କୋଣାର୍କ : ଶୁକ୍ରବାର କେନ୍ଦ୍ର ଆଇନ ସଚିବ ଏସ୍ କେ ଜିତ ରାହାତେ କୋଣାର୍କ ଗସ୍ତ କରିବା ସହିତ କୋଣାର୍କ ସିଭିଲ କୋର୍ଟ କମ୍ପ୍ଲେକ୍ସର ନିର୍ମାଣସ୍ଥଳୀ ବୁଲି ଦେଖିଛନ୍ତି।ଏହି କାର୍ଯ୍ୟକୁ ଆସନ୍ତା ଛଅ ମାସ ମଧ୍ୟରେ ସାରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହା ସହିତ ଏହି କୋର୍ଟ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ପୂରଣ କରିବା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ କ୍ଷେତ୍ରରେ ରୋଜଗାର ଓ କର୍ମନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଥିଲେ। କୋଣାର୍କ ସିଭିଲ କୋର୍ଟ କ୍ୟାମ୍ପସ ମଧ୍ୟରେ ଖୁବ୍ ଶୀଘ୍ର ଏକ ନୂଆ ଫାଷ୍ଟ୍ ଟ୍ରାକ୍ କୋର୍ଟ ଖୋଲାଯିବ ବୋଲି କୋଣାର୍କ ବାର୍ ଆସୋସିଏସନ୍ ପ୍ରତିନିଧିମାନଙ୍କୁ ଶ୍ରୀ ରାହାତେ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ତୁରନ୍ତ ପ୍ରସ୍ତାବ ଦାଖଲ କରିବା ପାଇଁ ସେ କହିଛନ୍ତି।
କେନ୍ଦ୍ର ଆଇନ ସଚିବଙ୍କ ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲା କୋର୍ଟ ରେଜିଷ୍ଟ୍ରାର ନିଖିଲ ମହାନ୍ତି, କୋଣାର୍କ ଜେଏମ୍ଏଫ୍ସି ଭାନୁପ୍ରତାପ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କୋଣାର୍କ ବାର୍ ଆସୋସିଏସନ୍ ସଭାପତି ଆଇନଜୀବୀ ଶ୍ରୀଜୟ ବରାଳ, ଯୁଗ୍ମ ସମ୍ପାଦକ ଗନ୍ଧର୍ବ ଦଳାଇ, ବିଜୟ ମହାନ୍ତି, ପ୍ରଦୀପ୍ତ ପାତ୍ର, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଅଜିତକୁମାର ମହାପାତ୍ର, ଏସ୍ଡିଓ ଶଶିଭୂଷଣ ମହାନ୍ତି, ସହାୟକ ଯନ୍ତ୍ରୀ ଦିଲୀପ ବିଶ୍ୱାଳ, କୋଣାର୍କ ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।