ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୨ ଜଣ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଆଜି ଥାନାରେ ହାଜର ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ। ଏହି ଘଟଣାରେ ପୁଲିସର ସ୍ବତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିବା ପରେ ଗିରଫ ଆଶଙ୍କାରେ ମନ୍ତ୍ରୀ ଶ୍ରୀ ଟୁଡ଼ୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।
ଏହି ମାମଲାରେ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ସହ ମାର୍ଚ୍ଚ ୪ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟର ନିର୍ଦ୍ଦେଶ କ୍ରମେ ଶ୍ରୀ ଟୁଡ଼ୁ ଆଜି ରାତି ୮.୪୦ ମିନିଟ୍ରେ ବାରିପଦା ଟାଉନ୍ ଥାନାରେ ହାଜର ହୋଇଥିଲେ। ସେ ଥାନାରେ ୫ରୁ ୭ ମିନିଟ ରହିଥିବା ବେଳେ ତଦନ୍ତକାରୀ ଅଧିକାରୀଙ୍କ ସହ ମାମଲା ସମ୍ପର୍କରେ କଥା ହୋଇଥିଲେ। ପ୍ରକାଶଥାଉକି, ଜାନୁଆରି ୨୧ ତାରିଖରେ ମନ୍ତ୍ରୀ ଶ୍ରୀ ଟୁଡ଼ୁ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଅଶ୍ବିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।