ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଅକ୍ସିଜେନ୍‌ ପ୍ଲାଣ୍ଟ ବାହାରେ ୫-ଟି ହୋର୍ଡିଂ ଦେଖିବାପରେ ରାଗି ଯାଇଥିଲେ କେନ୍ଦ୍ର ଜଳ ଶକ୍ତି ଓ ଜନଜାତି ବିଭାଗ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ତୁରନ୍ତ ଏହାକୁ ହଟାଇବାକୁ ତାଗିଦ୍‌ କରିଥିଲେ। ଏହାପରେ ସିଡିଏମ୍‌ଓ ହୋର୍ଡିଂକୁ ସେଠାରୁ ହଟାଇ ଦେଇଛନ୍ତି। ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ବୁଧବାର ସକାଳ ପ୍ରାୟ ସାଢ଼େ ୧୧ଟାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତକରି ପ୍ରଧାନମନ୍ତ୍ରୀଙ୍କ କେୟାର ପାଣ୍ଠି ଅନୁଦାନରେ ଚିକିତ୍ସାଳୟ ପରିସରରେ ନିର୍ମିତ ଅକ୍ସିଜେନ୍ ପ୍ଲାଣ୍ଟ୍‌ ଦେଖିବାକୁ ଯାଇଥିଲେ। ତେବେ, ଅକ୍ସିଜେନ୍ ପ୍ଲାଣ୍ଟ ବାହାରେ ଓଡ଼ିଶା ସରକାରଙ୍କ ‘୫-ଟି’ର ଏକ ହୋର୍ଡିଂ ଥିବା ଦେଖି ଖୁବ୍ ରାଗି ଯାଇଥିଲେ। କରୋନା ସମୟରେ ଅକ୍ସିଜେନ୍‌ର ଆବଶ୍ୟକତା‌କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଅନୁଦାନରେ ଏହି ପ୍ଲାଣ୍ଟ ନିର୍ମାଣ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ‌ଲୋଗୋ ଥିବା ହୋର୍ଡିଂ କାହିଁକି ଏଠାରେ ଲାଗିନି ବୋଲି ମନ୍ତ୍ରୀ ଶ୍ରୀ ଟୁଡୁ ସିଡିଏମଓ ଡା. କାଳୀପ୍ରସାଦ ବେହେରାଙ୍କୁ ପ୍ରଶ୍ନ କରିଥିଲେ। ପ୍ଲାଣ୍ଟ ଭିତରେ ହୋର୍ଡିଂଥିବା ନେଇ ସିଡିଏମ୍‌ଓ କହିଥିଲେ। ଏହା ଶୁଣିବାପରେ ଭିତରେ କାହିଁକି ହୋର୍ଡିଂ ରହିବ ଏବଂ ଭାରତ ସରକାର ଅନୁଦା‌ନ ଦେଉଥିବା ଏଠାରେ କାହିଁକି ଲାଗିଛି ବୋଲି ପଚାରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ତାଗିଦ୍‌ ପରେ ସିଡିଏମଓ ଡା. ବେହେରା ୫-ଟି ହୋର୍ଡିଂକୁ ପ୍ଲାଣ୍ଟ ସମ୍ମୁଖରୁ ହଟାଇ ଦେଇଥିଲେ।

ଏହାପରେ କେନ୍ଦ୍ରମନ୍ତ୍ରୀ ଆଇସିୟୁ, ଅନ୍ତଃବିଭାଗ ଓ ବହିଃବିଭାଗ ବୁଲି ଦେଖିଥିଲେ। କେନ୍ଦ୍ର ସରକାରଙ୍କ ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୩୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର ୟୁନିଟ୍‌ ସ୍ଥାନ ଦେଖି ସିଡିଏମ୍‌ଓଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ, ଭାରତମାଳାର କ୍ୟାମ୍ପ୍‌ କାର୍ଯ୍ୟାଳୟରେ ରାସ୍ତା ନିର୍ମାଣର ଅଗ୍ରଗତି ‌ନେଇ ଭାରତମାଳା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହିତ ସମୀକ୍ଷା କରିଥିଲେ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପର୍ଶୁରାମ ମାଝୀ, ବରିଷ୍ଠ ନେତା ଗୋବିନ୍ଦ ଜୈନ, ଜଗଦୀଶ ବିଷୋୟୀ, ଗୌରୀ ମାଝୀ, କୁଞ୍ଜ ବିହାରୀ ଦାସ, ରମେଶ ସାହୁଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ।