ବେଗୁନିଆପଡ଼ା : କେନ୍ଦ୍ର ରେଳ ଓ ହସ୍ତତନ୍ତ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଦର୍ଶନା ଜର୍ଦ୍ଦୋସ୍ ଆଜି ୩ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି। ଏହି ଅବସରରେ ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି। ଖଲ୍ଲିକୋଟ ରେଳଷ୍ଟେସନରେ ମନ୍ତ୍ରୀ ପହଞ୍ଚିବା ପରେ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋଦଳାରେ ପହଞ୍ଚିଥିଲେ। କୋଦଳା ଦଣ୍ଡିଶ୍ୱର ମନ୍ଦିର ଛକରେ ବରିଷ୍ଠ ନେତା ରଞ୍ଜନ ପଲେଇ, ଗୋକୁଳାନନ୍ଦ ମଲ୍ଲିକ, କୋଦଳା ନଗରପାଳ ସୂର୍ଯ୍ୟନାରାୟଣ ନାୟକ, ପ୍ରମୋଦ କୁମାର ପଣ୍ଡା ଓ ନୀଳ ବିଷୋୟୀଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ।
ଏହାପରେ ମନ୍ତ୍ରୀ କୋଦଳା ଡାକବଙ୍ଗଳାରେ ପହଞ୍ଚି ବିଜେପିର ଜିଲ୍ଲାସ୍ତରୀୟ କୋର୍ କମିଟି ଓ ମଣ୍ଡଳ ସଭାପତିଙ୍କ ସହ ସାଂଗଠନିକ ସ୍ଥିତି ଉପରେ ଆଲୋଚନା କରିଥିଲେ। ପରେ କୋଦଳା ଏନ୍ଏସି ପରିସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ ଏବଂ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଏହି ବୈଠକରେ ବେଗୁନିଆପଡ଼ା ବିଡିଓ ବାସୁଦେବ ନାୟକ, ଏବିଡିଓ ନିରଞ୍ଜନ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ।
ବୈଠକ ପରେ ମନ୍ତ୍ରୀ କୋଦଳା ଡାକ୍ତରଖାନା ଗସ୍ତ କରି ରୋଗୀ ଓ ପ୍ରସୂତିଙ୍କ ସହ ଆଲୋଚନା କରିଥିଲେ। ନିରାମୟ ଯୋଜନାର କାର୍ଯ୍ୟକାରିତା ବିଷୟରେ ପଚାରି ବୁଝିଥିଲେ। ସେଠାରୁ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ଉପରେ ସମ୍ବୋଧନ କରିଥିଲେ। ଏହାପରେ ଆଠଗଡ଼କୁ ଯାଇଥିଲେ।
ଆସନ୍ତାକାଲି ମନ୍ତ୍ରୀ ମାରଦା ଶରଣ ଶ୍ରୀକ୍ଷେତ୍ର ସମେତ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଏବଂ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବେ। ଆସିକା ଲୋକସଭା ପ୍ରାର୍ଥିନୀ ଅନୀତା ଶୁଭଦର୍ଶିନି, ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଗୋକୁଳାନନ୍ଦ ମଲ୍ଲିକ, ଅରୁଣ ପଣ୍ଡା, ବରିଷ୍ଠ ବିଜେପି ନେତା ଅନୀଲ ପଣ୍ଡା, ପୂର୍ବତନ ଆସିକା ଲୋକସଭା ପ୍ରାର୍ଥୀ ତଥା ବିଜେପି ବରିଷ୍ଠ ନେତା ମହେଶ ମହାନ୍ତିଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।