ଦେବଗଡ଼: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ନିଜ ପ୍ରାର୍ଥିତ୍ବ ସପକ୍ଷରେ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ଦେବଗଡ଼ବାସୀଙ୍କୁ ସାହୁକାର ଓ ନିଜକୁ ହଳିଆ ବୋଲି କହିଛନ୍ତି।
ପୁରୁଣାଗଡ଼ସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ପହଞ୍ଚିବା ପରେ ଶ୍ରୀ ପ୍ରଧାନଙ୍କୁ ବିଜେପି ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ଏକ ବିଶାଳ ବାଇକ୍ ରାଲିରେ ନଗର ପରିକ୍ରମା କରି ତିଲେଇବଣି ବ୍ଲକ୍ର ନିକ୍ତିମାଳ ଗ୍ରାମସ୍ଥିତ ସିଦ୍ଧେଶ୍ୱର ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ମୋଦୀ ସରକାରରେ ଦେବଗଡ଼ ଜିଲ୍ଲାର ବିକାଶ ପାଇଁ ବହୁ ଅନୁଦାନ ଆସିଛି। ମୋଦୀ ସରକାରଙ୍କ ୧୦ ବର୍ଷ ଶାସନରେ ଦେବଗଡ଼ ଜିଲ୍ଲାକୁ ଚାଉଳ, ଘର, ଶୌଚାଳୟ, ଉଜ୍ବଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ୨୨୦୦ କୋଟିରୁ ଅଧିକ ଟଙ୍କା ମିଳିଛି। ଏଥିସହିତ, ‘ଆପଣମାନେ ମୋ ସାହୁକାର, ମୁଁ ଆପଣଙ୍କମାନଙ୍କର ହଳିଆ। ପ୍ରଧାନମନ୍ତ୍ରୀ ମୋଦୀ ବଡ଼ ହଳିଆ ହେଲେ ମୁଁ ସାନ ହଳିଆ ହୋଇ ଆପଣଙ୍କ ପାଖରେ ରହିବି, ’ ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ତିଲେଇବଣି ପଞ୍ଚାୟତ ସମିତି ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ, ଉପାଧ୍ୟକ୍ଷା ଆରତୀ ପ୍ରଧାନ, ବରିଷ୍ଠ ବିଜେପି ନେତା ରୋହିତ ଗଙ୍ଗଦେବ, ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ ଯୋଗେଶ ଚନ୍ଦ୍ର ପ୍ରଧାନ, ସିଦ୍ଧେଶ୍ବର ମନ୍ଦିର ପରିଚାଳନା କମିଟି ସଭାପତି ଚନ୍ଦ୍ରଶେଖର ପ୍ରଧାନ, ବିଜେପି ନେତ୍ରୀ ମାଧବୀ ଦେବୀ, ଉପନଗରପାଳ ପ୍ରଜିତ ଭୋଜ, ଜିଲ୍ଲା ବିଜେପି ସାଧାରଣ ସଂପାଦକ ସଚ୍ଚିକାନ୍ତ ଦାଶ, ଯୁବନେତା ସୁଧୀର ବ୍ରହ୍ମା, ପୂର୍ବ ଜିଲ୍ଲାପରିଷଦ ସଭାପତି ରଣଜିତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ଉପସଭାପତି ଭାରତ ଭୂଷଣ ପ୍ରଧାନ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/gjjgjggjgjd.jpg)