ତାଳଚେର: ଓଡିଶାରେ ଦକ୍ଷତା ବିକାଶ ଓ ଶିକ୍ଷାକୁ ଗୁରୁତ୍ୱ ଦେଇ ଯୁବ ସମାଜକୁ ଉଦ୍ୟମୀ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଦେଶର ଯୁବପିଢିଙ୍କୁ ଭବିଷ୍ୟତର ମୁକାବିଲା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଶିଳ୍ପ ସଂସ୍ଥା ସହ ଶିକ୍ଷାନୁଷ୍ଠାନକୁ ଯୋଡ଼ିବା ପାଇଁ ପ୍ରଧାନ୍ୟ ଦିଆଯାଇଛି । ତିନିଦିନିଆ ଅନୁଗୁଳ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରରେ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀଗୃହ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ପରଦର୍ଶନ ସହ ସମୀକ୍ଷା କରି ଏହା କହିଛନ୍ତି।

Advertisment

କେନ୍ଦ୍ରମନ୍ତ୍ରୀ ଆଜି ତାଳଚେରରେ ଏମ୍ସିଲ୍ର ଜଗନ୍ନାଥ ଓ ସୁଭଦ୍ରା କ୍ଷେତ୍ର ଅଞ୍ଚଳରେ ପ୍ରସ୍ତାବିତ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀଗୃହ ପରିଦର୍ଶନ କରିବା ସହ ଏ ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି କେନ୍ଦ୍ରୀୟ ବିଦ୍ୟାଳୟ ଦୁଇଟିରେ ଏମ୍ସିଏଲ୍ର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀମାନେ ନିଜ ପିଲାଙ୍କୁ ପଢ଼ାଇ ପାରିବେ ଓ ସ୍ଥାନୀୟ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ଲାଭ କରିପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ତାଳଚେରରେ ପୁରଣା ଆରଟିଓ ବିଲଡିଂ ଠାରେ ଅନ୍ୟ ଏକ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀ ଗୃହ ଓ ଡେରା ପଞ୍ଚାୟତରେ ନିର୍ମାଣାଧୀନ କୋଲିୟରୀ ହାଇସ୍କୁଲ ପରିଦର୍ଶନ କରିଥିଲେ। ସ୍କୁଲ୍ ନିର୍ମାଣର ଅଗ୍ରଗତି ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଆସନ୍ତା ବର୍ଷ ଯେପରି ଡେରା ସ୍କୁଲ୍ରେ ପିଲାମାନେ ପାଠ ପଢ଼ିବେ, ଏହାକୁ ଦୃଷ୍ଟିରେ ରଖି ନିର୍ମାଣକାର୍ଯ୍ୟ ସାରିବାକୁ ଏମସିଏଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ, ଡେରା ଅଞ୍ଚଳରେ ଥିବା ଏମ୍ସିଏଲ ଡାକ୍ତରଖାନା କିଭଳି ଶୀଘ୍ର କାର୍ଯ୍ୟକ୍ଷମ ହେବ, ସେ ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ପ୍ରଧାନ ସେଠାରୁ ଆସି ତାଳଚେରରେ ଥିବା ବିଜୁ ପଟ୍ଟନାୟକ କୌଶଳ ବିକାଶ ତାଲିମକେନ୍ଦ୍ର ବୁଲି ଦେଖିବା ସହ କେନ୍ଦ୍ରରେ ଦିଆଯାଉଥିବା ତାଲିମ ଉପରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଦେଶର ଯୁବପିଢିଙ୍କୁ ଭବିଷ୍ୟତର ମୁକାବିଲା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଶିଳ୍ପ ସଂସ୍ଥା ସହ ଶିକ୍ଷାନୁଷ୍ଠାନକୁ ଯୋଡ଼ିବା ପାଇଁ ପ୍ରଧାନ୍ୟ ଦିଆଯାଇଛି। ବର୍ତ୍ତମାନ ଶିଳ୍ପସଂସ୍ଥା ଗୁଡ଼ିକ ପ୍ରଶିକ୍ଷଣ, ସ୍କିଲିଂ ଏବଂ ରି-ସ୍କିଲିଂର ଗୁରୁତ୍ୱକୁ ବୁଝିଛନ୍ତି । ଏ ଦୃଷ୍ଟିରୁ ଅନୁଗୁଳ ସମେତ ପଡ଼ୋଶୀ ଜିଲ୍ଲାରେ ଥିବା ଶିଳ୍ପ ଅନୁଷ୍ଠାନରେ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଅନୁସାରେ ଓଡ଼ିଶାରେ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବ ସମାବେଶୀ ଓ ସୁଲଭ ମୂଲ୍ୟରେ ପ୍ରଦାନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ସାଧୁବାଦ ଦେଉଛନ୍ତି। ସେହିପରି ଏମସିଏଲ ଏହି କାମରେ ସହଯୋଗୀ ହୋଇଥିବାରୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି ।