ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ: ପରୀକ୍ଷା, ମୂଲ୍ୟାୟନକୁ ନେଇ ସନ୍ଦେହ ଦୂର କରାଯାଉ

ଭୁବନେଶ୍ବର: ବାକି ଥିବା ପରୀକ୍ଷା କେବେ ହେବ ଓ ସରିଯାଇଥିବା ପରୀକ୍ଷାର ଖାତା କେବେ ମୂଲ୍ୟାୟନ ହେବ, ସେ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ଲକ୍‌ଡାଉନ୍ ପାଇଁ ସବୁ ଅଧାରେ ଅଟକିଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସନ୍ଦେହ ଦୂର କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ କେନ୍ଦ୍ର ମନ୍ତ୍ରୀ ଦର୍ଶାଇଛନ୍ତି, ଏହି ସମୟରେ ମାଟ୍ରିକ୍, ଉଚ୍ଚ ମାଧ୍ୟମିକ ଓ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଏ। କିନ୍ତୁ ଏ ବର୍ଷ କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଯୋଗୁ ପରୀକ୍ଷା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଯଦିଓ ଓଡ଼ିଶାରେ ମାଟ୍ରିକ୍ ପରୀକ୍ଷା ଶେଷ ହୋଇଛି, ତେବେ ଖାତା ମୂଲ୍ୟାୟନ ହୋଇ ନାହିଁ। ସେହିପରି କଲେଜ/ବିଶ୍ବବିଦ୍ୟାଳୟରେ ବହୁ ପରୀକ୍ଷା ଏ ଯାଏ ହୋଇନାହିଁ। ରାଜ୍ୟ ସ୍ତରରେ ଓ ସର୍ବଭାରତୀୟ ସ୍ତରରେ ହେଉଥିବା ପ୍ରବେଶିକା ପରୀକ୍ଷାଗୁଡ଼ିକ ଉପରେ ଏହାର ପ୍ରଭାବ ପଡ଼ିବ।

ବାକି ଥିବା ପରୀକ୍ଷାଗୁଡ଼ିକ କେବେ ହେବ ଓ ମୂଲ୍ୟାୟନ କେବେ ହେବ, ସେ ନେଇ ସରକାରୀ ପଦକ୍ଷେପ ସମ୍ପର୍କରେ ଜାଣିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚାହିଁ ବସିଛନ୍ତି। କାରଣ ସେମାନଙ୍କ ଭବିଷ୍ୟତ ଏହା ଉପରେ ନିର୍ଭର କରେ। ଲୋକଙ୍କ ବୃହତର ସ୍ବାର୍ଥ ଦୃଷ୍ଟିରୁ ପରୀକ୍ଷା/ମୂଲ୍ୟାୟନ ସମ୍ପର୍କରେ ଥିବା ସଂଶୟକୁ ଦୂର କରିବା ପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଅନୁରୋଧ କରିଛନ୍ତି। ଯେହେତୁ ସାମାଜିକ ଦୂରତ୍ବ ଆହୁରି କିଛି ଦିନ ମାନିବାକୁ ପଡ଼ିବ, ତେଣୁ ଅନ୍‌ଲାଇନ୍ ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ତେଣୁ ସରକାର ତାଙ୍କ ଭବିଷ୍ୟତ ଯୋଜନା ତୁରନ୍ତ ପ୍ରସ୍ତୁତ କରି ଲୋକଙ୍କୁ ଜଣାନ୍ତୁ। କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସହ ପରାମର୍ଶ କରି ସାରା ରାଜ୍ୟରେ ଗୋଟିଏ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀ ଷଡ଼ଙ୍ଗୀ ପ୍ରସ୍ତାବ ଦେଇଛନ୍ତି। ଏହା ଫଳରେ ଦେଶର ବିଭିନ୍ନ ସ୍ଥାନରେ ପଢ଼ିବା ପାଇଁ ଆମ ରାଜ୍ୟର ଛାତ୍ରଛାତ୍ରୀମାନେ ସୁଯୋଗ ପାଇପାରିବେ ବୋଲି ସେ ଆଶାପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର