୨୬ରେ ଦେଶବ୍ୟାପୀ ଆନ୍ଦୋଳନ କରିବ ସଂଯୁକ୍ତ କିଷାନ ମୋର୍ଚା

ଭୁବନେଶ୍ବର : ସମସ୍ତ ଫସଲର ଏମଏସ୍‌ପିର ଆଇନଗତ ମାନ୍ୟତା, କୃଷକଙ୍କ ଋଣ ଛାଡ଼ ସମେତ ୮ଦଫା ଦାବି ନେଇ ସଂଯୁକ୍ତ କିଷାନ ମୋର୍ଚା ପକ୍ଷରୁ ଆସନ୍ତା ୨୬ ଜାନୁଆରି ସାଧାରଣତନ୍ତ୍ର ଦିବସ ଅବସରରେ ଦେଶବ୍ୟାପୀ ଗଣପ୍ରତିବାଦ ହେବ ବୋଲି ଘୋଷଣା କରିଛନ୍ତି ସଂଯୁକ୍ତ କିଷାନ ମୋର୍ଚାର ସର୍ବଭାରତୀୟ ନେତା ହାନାନ ମୋଲ୍ଲା।

ଲୋହିଆ ଏକାଡେମିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ୨୦୨୧ ମସିହା ଡିସେମ୍ବର ୧୧ ତାରିଖରେ ମୋଦୀ ସରକାର ଚାଷୀଙ୍କୁ ଦେଇଥିବା ଅନେକ ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପୂରଣ କରି ପାରିନାହିଁ। ଏହାକୁ ଭିତ୍ତି କରି ସ୍ବାମୀନାଥନ କମିସନଙ୍କ ସୁପାରିସ ଅନୁଯାୟୀ ସମସ୍ତ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ପ୍ରଦାନ ପାଇଁ ଆଇନ ପ୍ରଣୟନ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଫସଲ ମୂଲ୍ୟାୟନ ପାଇଁ ଗଠନ କରାଯାଇଥିବା କମିଟି ପ୍ରତ୍ୟାହାର କରାଯାଇ ଚାଷୀଙ୍କୁ ନେଇ କମିଟି ଗଠନ, ଚାଷୀଙ୍କ ଋଣ ଛାଡ଼, ବିଦ୍ୟୁତ୍‌ ସଂଶୋଧିତ ବିଲ ୨୦୨୨ ପ୍ରତ୍ୟାହାର, ଲକ୍ଷ୍ମୀପୁର ଖେରିରେ ଚାଷୀ ଆନ୍ଦୋଳନ କରୁଥିବାବେଳେ ୪ ଚାଷୀ ଏବଂ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କ ପିତା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର, ସମସ୍ତ ମଧ୍ୟମ, କ୍ଷୁଦ୍ର, ନାମମାତ୍ର ଏବଂ ଭାଗଚାଷୀଙ୍କୁ ମାସିକ ୫ ହଜାର ପେନସନ, ବିଜେପି ଶାସିତ ରାଜ୍ୟରେ ଆନ୍ଦୋଳନରତ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର, ଚାଷୀ ଆନ୍ଦୋଳନରେ ସହିଦ ୭୧୫ ଚାଷୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ଏବଂ ଦିଲ୍ଲୀର ସିଙ୍ଘୁ ବୋର୍ଡରେ ଆବଶ୍ୟକ ଜମି ପ୍ରଦାନ ପାଇଁ ଦାବି ହୋଇଥିଲା।

ସାମ୍ବାଦିକ ସମ୍ମିଳନୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓଡିଶା ତରଫରୁ କ୍ଷୀରୋଦ ସିଂହ ଦେଓ, ସୁରେଶ ପାଣିଗ୍ରାହୀ, ପ୍ରଫୁଲ୍ଲ ସାମନ୍ତରାୟ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଶ୍ରୀକାନ୍ତ ମହାନ୍ତି, ରଘୁନାଥ ଦାସ, ଦେବପ୍ରାସାଦ ରାୟ, ଶଙ୍କର ନରେନ୍ଦ୍ର ମହାନ୍ତି, ସୁଶୀଲ କୁମାର ସାହୁ, ଲଳିତ ପ୍ରଧାନ, ଵଳଭଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର