ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ହେବ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯିବ। ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଏଭଳି ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଜି ବିଜେଡି ରାଜ୍ୟ ପରିଷଦ ବୈଠକରେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏଭଳି ସୂଚନା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡିର ମୟୂରଭଞ୍ଜ ଜିଲ୍ଲା କମିଟିର ଏ ସଂକ୍ରାନ୍ତ ପ୍ରସ୍ତାବକୁ ସରକାର ଗ୍ରହଣ କରିବେ। ଅର୍ଥାତ୍ ଖୁବ୍‌ଶୀଘ୍ର ସରକାରୀସ୍ତରରେ ଏହି ନିଷ୍ପତ୍ତି ଉପରେ ମୋହର ଲାଗିବ।

ଗତ ୧୬ ତାରିଖ ଦିନ ‘ସମ୍ବାଦ’ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ ତମ ଜୟନ୍ତୀ ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲା। ‘‘ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ଭୁଲିଗଲେ’’ ଶୀର୍ଷକରେ ପ୍ରକାଶିତ ଏହି ଖବର ସମଗ୍ର ରାଜ୍ୟରେ କମ୍ପନ ସୃଷ୍ଟି କରିଥିଲା। କେବଳ ସେତିକି ନୁହେଁ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ଅବସରରେ ୧୭ ତାରିଖ ସଂସ୍କରଣରେ ଏକ ‘‘ସ୍ବତନ୍ତ୍ର ପୃଷ୍ଠା’’ ଜରିଆରେ ତାଙ୍କର ଓଡ଼ିଶା ପାଇଁ ଅବଦାନ ସଂପର୍କରେ ସ୍ମରଣ କରାଇ ଦିଆଯାଇଥିଲା। ଏହା ପରେ ସବୁ ମହଲରେ ତତ୍ପରତା ପ୍ରକାଶ ପାଇଥିଲା ଓ ମୟୂରଭଞ୍ଜ ଜିଲ୍ଲା ବିଜେଡି ଆଉ ପାଦେ ଆଗକୁ ଯାଇ ଏକାଧିକ ପ୍ରସ୍ତାବ ସହିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ କରିବା ଲାଗି ଏକ ପ୍ରସ୍ତାବି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ। ଆଜି ନବୀନ ଏ ସଂକ୍ରାନ୍ତରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଏହି ପ୍ରସ୍ତାବକୁ ସ୍ୱାଗତ କରି ଧନ୍ୟବାଦ ଜଣାଇଲେ ସାଂସଦ ମମତା ମହନ୍ତ। ପୂର୍ବରୁ କଟକ ବଡ଼ ମେଡିକାଲକୁ ମଧ୍ୟ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଇଛି।

ଉଲ୍ଲେଖଥାଉକି, ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ଗଠନ ଶ୍ରୀ ଭଞ୍ଜଦେଓ ମୁଖ୍ୟ ପୁରୋଧା ଥିଲେ ଓ ‘ଉତ୍କଳ ସମ୍ମିଳନୀର ମଧ୍ୟ ମୁଖ୍ୟ ପୃଷ୍ଠପୋଷକ ଥିଲେ। ଶିକ୍ଷା, ସ୍ବାସ୍ଥ୍ୟ, କଳା ସଂସ୍କୃତିଠାରୁ ଆରମ୍ଭ କରି ଶିଳ୍ପର ବିକାଶରେ ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶାସନ ସମୟରେ (୧୮୯୨) କୃଷକମାନେ ଜମିର ମାଲିକାନା ସତ୍ୱ ଲାଭ କରିଥିଲେ। ସ୍ୱଳ୍ପ ସୁଧରେ ଶସ୍ୟ ଋଣ ଦେବାର ବ୍ୟବସ୍ଥା ମଧ୍ୟ ତାଙ୍କ ଦ୍ବାରା ପ୍ରଚଳିଚ। ମୟୂରଭଞ୍ଜର ଛଉ ନୃତ୍ୟକୁ ବିଶ୍ବପ୍ରସିଦ୍ଧ କରିବାରେ ତାଙ୍କର ଅବଦାନ ଥିଲା। ରେଭେନ୍‌ସା ମହାବିଦ୍ୟାଳୟ(ବିଶ୍ବବିଦ୍ୟାଳୟ) ପ୍ରତିଷ୍ଠାରେ ତାଙ୍କର ବଡ଼ ଭୂମିକା ଥିଲା। ଗୋବୀଜ ଟିକାକୁ ସେ ବାଧ୍ୟତା ମୂଳକ କରିଥିଲେ। ବାରିପଦାରେ ସେ ସ୍ବତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠା କରିଥିଲେ। ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବାର ଅଧିକାର ସମଗ୍ର ଭାରତ ବର୍ଷରେ କେବଳ ମୟୂରଭଞ୍ଜ ମହାରାଜାଙ୍କୁ ମିଳିଥିଲା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ୧୧ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ କରିଥିଲେ। କେବଳ ସେତିକି ନୁହେଁ, ବାରିପଦା ସହରକୁ କଟକ ଓ କଲିକତା ସହିତ ଟେଲିଗ୍ରାଫ ସଂଯୋଗ କରାଇଥିଲେ।

ସମ୍ବନ୍ଧିତ ଖବର