ମେ’ ୩ ଯାଏ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ, ନିଷ୍ପତ୍ତି ବଦଳାଇଲେ ଉଚ୍ଚଶିକ୍ଷା ବିଭାଗ ସଚିବ

ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଜାରି କରିଥିଲେ ବିଜ୍ଞପ୍ତି, ଅତ୍ୟାବଶ୍ୟକ ପଡ଼ିଲେ ୧୦% କର୍ମଚାରୀରେ ହେବ କାର୍ଯ୍ୟ

ଭୁବନେଶ୍ୱର: ‘ଲକଡାଉନ୍‌ରେ ବି ଖୋଲିବ ବିଶ୍ୱବିଦ୍ୟାଳୟ। କିଛି କଟକଣା ରହିବ, ତା’ ଭିତରେ କାମ ଚାଲିବ।’ ଗତକାଲି ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର। ବିଜ୍ଞପ୍ତିକୁ ଗୋଟିଏ ଦିନ ନ ବିତୁଣୁ, ବିଭିନ୍ନ ଆଡୁ ପ୍ରତିବାଦ ଓ ବିରୋଧ ହେବା ପରେ ପୁଣି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ପ୍ରଥମେ କୌଣସି ବିଜ୍ଞପ୍ତି ପ୍ରକାଶ ନକରି ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ନେଇ ଗଠନ ହୋଇଥିବା ହ୍ଵାଟ୍ସଆପ୍‌ ଗ୍ରୁପ୍‌ରେ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ଏବେ ଖୋଲ ନାହିଁ। ମେ’ ୩ ତାରିଖ ତଥା ଲକଡାଉନ୍‌ ଶେଷ ହେବା ଯାଏ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ପ୍ରଫେସର୍‌ କି କର୍ମଚାରୀ କେହି ବିଶ୍ୱବିଦ୍ୟାଳୟ ଆସିବେ ନାହିଁ। ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଏ ନେଇ ବିଶ୍ୱବିଦ୍ୟାଳୟର କୁଳସଚିବମାନେ ନିଜସ୍ତରରେ ବିଜ୍ଞପ୍ତି ଜାରି କରିବେ ବୋଲି ସଚିବ ସ୍ପଷ୍ଟ କରିଥିଲେ। ତେବେ ଖୋଲା ରଖିବାକୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନଥିବାରୁ କିଛି କୁଳସଚିବ ଦ୍ୱନ୍ଦ୍ୱରେ ପଡ଼ିଥିଲେ। କେଉଁ ଆଧାରରେ ନିଷ୍ପତ୍ତି ବଦଳାଇଲେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରିବେ, ତାହାକୁ ନେଇ ଚିନ୍ତାରେ ପଡ଼ିଥିଲେ ଏବଂ ବିଭାଗର ହସ୍ତକ୍ଷେପ ଲୋଡ଼ିଥିଲେ। ଶେଷରେ ବିଭାଗୀୟ ସଚିବ ଶ୍ରୀ ମିଶ୍ର ଆଜି ଅପରାହ୍‌ଣରେ ବାଧ୍ୟ ହୋଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ଶ୍ରୀ ମିଶ୍ର ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି ଯେ ଏପ୍ରିଲ ୨୦ରେ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଆଧାରରେ ମେ’ ୩ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ତେବେ ଯଦି କୌଣସି ଅତ୍ୟାବଶ୍ୟକ କାର୍ଯ୍ୟ ଥିବ, ତେବେ କୁଳପତି ଗ୍ରୁପ-ଏ (ଟିଚିଂ ଓ ନନ୍‌-ଟିଚିଂ), ଗ୍ରୁପ ‘ବି’, ଗ୍ରୁପ ‘ସି’, ଗ୍ରୁପ ‘ଡି’ କର୍ମଚାରୀଙ୍କୁ ସାମିଲ କରିପାରି‌ବେ। ଅତ୍ୟାବଶ୍ୟକ କାମ ପାଇଁ ଯେଉଁଦିନ ବି ବିଶ୍ୱବିଦ୍ୟାଳୟ ଖୋଲିବ, ସେଦିନ ମୋଟ କର୍ମଚାରୀର ୧୦ ପ୍ରତିଶତ ଆସିବେ। ତା’ଠାରୁ ଅଧିକ କର୍ମଚାରୀ ଯେମିତି ନ ଆସନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗ ସଚିବ ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ କିଛି ବିଶ୍ୱବିଦ୍ୟାଳୟ କୁଳସଚିବ ଗତକାଲିର ନିର୍ଦ୍ଦେଶନାମାକୁ ବାତିଲ କରିଦେଇଥିଲେ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ସକାଳୁ ସକାଳୁ ଏନେଇ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଅପରାହ୍‌ଣରେ ଉତ୍କଳ ବିଶ୍ଵବିଦ୍ୟାଳୟ କୁଳସଚିବ ଦୟାନିଧି ନାୟକ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଶ୍ରୀ ନାୟକ କହିଛନ୍ତି ଯେ ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ସମସ୍ତ ବିଜ୍ଞପ୍ତି ବାତିଲ କରାଗଲା। ମେ’ ୩ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ତେବେ ଜରୁରୀକାଳୀନ ସେବା ପାଇଁ ସମସ୍ତ ପ୍ରଫେସର୍‌ ଓ କର୍ମଚାରୀ ମୁଖ୍ୟାଳୟରେ ଉପସ୍ଥିତ ରହିବେ। ଘରୁ କାର୍ଯ୍ୟ କରିବେ। ଯଦି କୌଣସି ଜରୁରୀ ଆବଶ୍ୟକ ପଡ଼ିବ, ତେବେ ସଙ୍ଗେ ସଙ୍ଗେ ୧୦% କର୍ମଚାରୀ କାର୍ଯ୍ୟଳୟରେ ପହଞ୍ଚିବାକୁ କୁହାଯାଇଛି। ପିଏଚ୍‌ଡି, ବିଦ୍ୟୁତ୍‌, ସୁରକ୍ଷା ସଫେଇ କର୍ମଚାରୀମାନେ ପୂର୍ବ ଭଳି କାର୍ଯ୍ୟ ସମ୍ପାଦନ କରିବେ।

ସମ୍ବନ୍ଧିତ ଖବର