ଜଳେଶ୍ବର: ପରିବା ଚାଷ ପାଇଁ ବାଲେଶ୍ବର ଜିଲ୍ଲା ଜଳେଶ୍ବରର ସୁନାମ ରହିଛି। ଋତୁ ଅନୁଯାୟୀ ଅଞ୍ଚଳର ଚାଷୀ ଭଳିକି ଭଳି ପନିପରିବା ଚାଷ କରିବା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ପଡ଼ୋଶୀ ପଶ୍ଚିମବଙ୍ଗକୁ ରପ୍ତାନି କରିଥାନ୍ତି। ଆଉ ଏଥିରୁ ବେଶ୍ ଦି ପଇସା ରୋଜଗାର ମଧ୍ୟ କରିଥାନ୍ତି। ହେଲେ ଚଳିତବର୍ଷ ଅଦିନିଆ ବର୍ଷା ପନିପରିବା ଚାଷ ପାଇଁ କାଳ ହୋଇଛି। ଥରକୁ ଥର ଚାଷୀ ଚାରା ଉତାରୁଥିବା ବେଳେ ଅଦିନିଆ ବର୍ଷା ତାକୁ ଉଜାଡ଼ି ଦେଉଛି। ଫଳରେ ଅଞ୍ଚଳର ହଜାର ହଜାର ପନିପରିବା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି।
ଜଳେଶ୍ବର ବ୍ଲକ ଅଧୀନସ୍ଥ ମହମ୍ମଦନଗର ପାଟଣା ପଞ୍ଚାୟତ ସେକସରାଇ ଗାଁର ସୁଶାନ୍ତ ପୋଲାଇ। ସୁଶାନ୍ତ ଡିସେମ୍ବର ମାସରେ ତାଙ୍କର ସାଢ଼େ ୪ ଏକର ଜମିରେ ପରିବା ଚାଷ କାମ ଆରମ୍ଭ କରିଥିଲେ। ଜହ୍ନି, ପୋଟଳ, କାଙ୍କଡ଼, ଟମାଟୋ ଆଦି ଚାରା ଜମିରେ ଲଗାଇଥିଲେ। ଚାରା ଲଗାଇବା ଦିନଠାରୁ ପ୍ରତି ସପ୍ତାହ ଅନ୍ତରରେ ଥରେ ଲେଖା ବର୍ଷା ଯୋଗୁ ପାଣି ଜମି ରହି ଗଛର ମୂଳ ସବୁ ପଚି ଯାଇଛି। ଫଳରେ ସୁଶାନ୍ତ ଚାଷ କରିଥିବା ଜମିରୁ ପ୍ରାୟ ୮୫ ପ୍ରତିଶତରୁ ଊର୍ଦ୍ଧ୍ବ ଫସଲ ଉଜୁଡ଼ି ଯାଇଛି। ସୁଶାନ୍ତ ତାଙ୍କର ଏହି ଶୀତଦିନିଆ ପରିବା ଚାଷ ପାଇଁ ପାଞ୍ଚ ଏକର ଜମିରେ ପାଖାପାଖି ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଲାଭ ତ ଦୂର କଥା, ଖର୍ଚ୍ଚ ମଧ୍ୟ ପାଇବେ ନାହିଁ। ସୁଶାନ୍ତଙ୍କ ପରି ବ୍ଲକର ହଜାର ହଜାର ଚାଷୀଙ୍କର ସମାନ ଅବସ୍ଥା।
ଚାଷ ବାରମ୍ବାର କ୍ଷତିଗ୍ରସ୍ତ ହେଉଥିବାରୁ ବଜାରକୁ ଆବଶ୍ୟକ ପରିମାଣର ପନିପରିବା ଆସୁନଥିବା ବେଳେ ଦର ଆକାଶଛୁଆଁ ହୋଇଛି। ଗୋଟିଏ ପାଖରେ ଚାଷୀ କ୍ଷତିଗ୍ରସ୍ତ ହେବା ସହ ଅନ୍ୟ ପାଖରେ ଖାଉଟି ହନ୍ତସନ୍ତ ହେଉଥିବା କହିଛନ୍ତି ସେକସରାଇ ଗାଁର ଚାଷୀ ହରିପଦ ମାନ୍ନା ଓ ଖକନ ଜେନା।
ପ୍ରକାଶଯୋଗ୍ୟ, ଜଳେଶ୍ବର ବ୍ଲକରେ ପ୍ରତି ରବି ଋତୁରେ ପାଖାପାଖି ୧୨୦୦ ହେକ୍ଟର ଜମିରେ ପନିପରିବା ଚାଷ ହୋଇଥାଏ। ସେଥିମଧ୍ୟରୁ ରାଜପୁର, ଶିଖରପୁର, ରାୟାଁରାମଚନ୍ଦ୍ରପୁର, ମହମ୍ମଦନଗର ପାଟଣା, ଗଡ଼ସାହିବାଲିଆପାଳ, ଓଲମରା, ମାକଡ଼ିଆ, ଖୁଦିଆମାଝିସାହି, ଲକ୍ଷ୍ମଣନାଥ, ଗୋବରଘାଟା ଓ ପାଇକସିଦା ଆଦି ପଞ୍ଚାୟତରରେ ସର୍ବାଧିକ ପରିବା ଚାଷ ହୋଇଥାଏ। ତେବେ ଏ ସମସ୍ତ ପଞ୍ଚାୟତରେ ନିୟମିତ ବ୍ୟବଧାନରେ ଅଦିନିଆ ବର୍ଷା ହେଉଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/27-3.jpg)