ଝାରସୁଗୁଡ଼ା ( ତେଜସ୍କର ମହାପାତ୍ର) : ହୀରାକୁଦର ପଛୁଆ ପାଣି ଅତର୍କିତ ଭାବେ ଆସି ବସ୍ତି ବୁଡ଼େଇ ଦେଲା। ବସ୍ତିରୁ ଉଠି ଅଳ୍ପ ଦୂରରେ ଢିପ(ଉଚ୍ଚ)ଜାଗାରେ ପୁଣି ବସତି ସ୍ଥାପନ କଲେ ଲୋକେ। ହେଲେ ଏଥର ଦଇବ ବି ସହିଲାନି। ଜଙ୍ଗଲ ନିଆଁରେ ପୋଡ଼ିଗଲା ସମଗ୍ର ଗାଁ। କ୍ଷତିପୂରଣ କି ସରକାରୀ ସହାୟତା ମିଳିଲାନି। ଏପରିକି ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ ସୁବିଧା ତ ଦୂରର କଥା ବିସ୍ଥାପିତଙ୍କ ଗାଁକୁ ପ୍ରଶାସନ ରାସ୍ତା ଖଣ୍ଡିଏ ବି ନିର୍ମାଣ କଲାନି। ଶେଷରେ ଭିଟାମାଟି ଛାଡ଼ି ଅନ୍ୟ ଗାଁରେ ଆଶ୍ରୟ ନେଲେ ଏହି ବିସ୍ଥାପିତ। ଏବେ ସେହି ଭିଟାମାଟିରେ କେବଳ ପୁରୁଣା ଘର, କୂଅର ଭଗ୍ନାବଶେଷ ଓ ସେତେବେଳେ ଲଗାଇଥିବା ଚାରା ଆଜି ବିଶାଳ ବୃକ୍ଷ ହୋଇ ହୀରାକୁଦ ବିସ୍ଥାପନ ଯନ୍ତ୍ରଣାର କାହାଣୀ ବଖାଣୁଛି। ଏହା ହେଉଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଘୁନଘୁଟପାଲିର ଚିତ୍ର। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆଜି ବି ସରକାରୀ ରେକର୍ଡରେ ଘୁନଘୁଟପାଲି ଏକ ରାଜସ୍ବ ଗ୍ରାମ। କିନ୍ତୁ ଏଠାରେ ଜଣେ ବି ମଣିଷ ରହୁନାହାନ୍ତି। ହୀରାକୁଦ ବିସ୍ଥାପିତଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇବାକୁ ଜାତୀୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ ରହିଥିବା ସ୍ଥଳେ ଝାରସୁଗୁଡ଼ା ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ବର ଅମାତଙ୍କୁ ପଚାରିବାରେ, ଲଖନପୁର ତହସିଲଦାରଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଥିଲେ।

Advertisment

ଲଖନପୁର ବ୍ଲକ ବାଦୀମାଲ ଛକରୁ ପ୍ରାୟ ସାଢ଼େ ୩ କିମି ଭିତରକୁ ପାଦଚଲା ରାସ୍ତାରେ ଗଲେ ପଡ଼େ ଘୁନଘୁଟପାଲି। ପ୍ରାୟ ୧୫ ବର୍ଷ ହେବ ଗାଁରେ କେହି ନ ଥିବା ବେଳେ ଏବେ ତାହା ଜଙ୍ଗଲ ଭିତରେ ହଜିବାକୁ ବସିଲାଣି। ଗାଁରେ ଯାହା ଘରଦ୍ବାର ଥିଲା ଅଧା ହୀରାକୁଦର ପଛୁଆ ପାଣିରେ ଭାସିଗଲା ଓ ଆଉ କିଛି ମାଟିରେ ମିଶି ଯାଇଛି। ଗାଁରେ ସେତେବେଳେ ରହୁଥିବା ୧୦ଟି ଆଦିବାସୀ ପରିବାର ମାଛ ମାରି ଓ ଚାଷ କରି ଚଳୁଥିଲେ। ଗ‌ାଁକୁ ରାସ୍ତା ନଥିଲା କି କୌଣସି ମୌଳିକ ସୁବିଧା ନଥିଲା। ସରକାରୀ ସହାୟତା କହିଲେ କେବଳ ଗାଁର ଜଣେ ମହିଳାଙ୍କ ନାମରେ ୨୦୦୦ ମସିହାରେ ଏକ ଖପର ଆବାସ ଘର ମିଳିଥିଲା। କିନ୍ତୁ ବିଜୁଳି ସଂଯୋଗ ନଥିବାରୁ ବନ୍ୟଜନ୍ତୁଙ୍କ ଆକ୍ରମଣର ଶିକାର ହେବାକୁ ପଡୁଥିଲା। ଫଳରେ ଗ୍ରାମବାସୀ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଲାଗିଲେ। ୨୦୦୯ ମସିହାରେ ଜଙ୍ଗଲରେ ହଠାତ୍‌ ନିଆଁ ଲାଗିବାରୁ ସବୁ ପୋଡ଼ି ପାଉଁଶ ହୋଇଗଲା। ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିବା ଶୋଭାରାମ ମିର୍ଦ୍ଧାଙ୍କ ପରିବାର ନିକଟସ୍ଥ ଅତାବିରା ପଞ୍ଚାୟତର କୁମର ଗ୍ରାମକୁ ଚାଲି ଯାଇଥିଲେ। ସେବେଠୁ ଗାଁ ଜନଶୂନ୍ୟ ହୋଇଛି।

ପୂର୍ବରୁ ହୀରାକୁଦ ବିସ୍ଥାପିତ ‌ଭାବେ ଏହି ଘୁନଘୁଟପାଲି ଗ୍ରାମରେ ହିଁ ବିସ୍ଥାପିତ ପରିବାରଙ୍କୁ ସରକାର ଡିସି ପଟ୍ଟା ଦେଇଥିଲେ। ୨୦୧୫ ମସିହାରେ ସରକାର ମ୍ୟୁଟେସନ୍‌ କେସ୍‌ ନଂ ୩/୨୦୧୫ ବିସ୍ଥାପିତଙ୍କୁ ମିଳିଥିବା ଡିସି ପଟାକୁ ସ୍ଥାୟୀ ପଟ୍ଟା କରିଥିଲେ। କିନ୍ତୁ ପଟ୍ଟାରେ ମିଳିଥିବା ଜାଗା କେଉଁଠି ଅଛି ଆଜି ବି କ୍ଷତିଗ୍ରସ୍ତ ପରିବାର ଜାଣିନାହାନ୍ତି। ଶୋଭାରାମଙ୍କ ପୁଅ ଜନେକରାମଙ୍କ କହିବାନୁସାରେ, ହୀରାକୁଦର ପଛୁଆ ପାଣି ମାଡ଼ିବା ପରେ ତାଙ୍କ ପରିବାର ଘୁନଘୁଟପାଲିର ଉପରକୁ ଆସି ଜନବସତି ସ୍ଥାପନ କରିଥିଲେ। ନିଆଁ ଲାଗିବା ଦିନ ତାଙ୍କ ବାପା ଧାନ ବୁଣିବାକୁ ଯାଇଥିଲେ। ସେଠାରୁ ଫେରି ସମଗ୍ର ଗାଁ ଜଳି ଯାଇଥିବା ଦେଖିଥିଲେ। ସେବେଠୁ ତାଙ୍କ ପରିବାର କୁମର ଗ୍ରାମରେ ରହୁଛନ୍ତି। କିନ୍ତୁ ସେତେବେଳେ ନଦୀରୁ ମାଛ ମାରି ଶୁଖାଇବା ପାଇଁ ବ୍ୟବହାର ହେଉଥିବା ଚୂଲି ଆଜି ସୁରକ୍ଷିତ ଅଛି। ଅତାବିରା ସରପଞ୍ଚ ସଞ୍ଜିତ ପ୍ରଧାନଙ୍କୁ ପଚାରିବାରେ, ଆଜିକା ଦିନରେ ରାସ୍ତା, ବିଜୁଳି ବିନା କଣ ମଣିଷ ବଞ୍ଚିପାରିବ ଯେ ଲୋକେ ସେ ଗାଁରେ ରହିଥାନ୍ତେ ବୋଲି କହିଛନ୍ତି।