ଅସୁରକ୍ଷିତ ଜୁଡ଼ିଆଘାଟି, ବାରମ୍ବାର ଖସୁଛି ପଥର

କେନ୍ଦୁଝର:  କେନ୍ଦୁଝର ଜିଲ୍ଲାରେ ଭୀଷଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆଜି ସକାଳେ ଜୁଡ଼ିଆ ଘାଟିରୁ ପଥର ଖସିଛି। ବଡ଼ ପଥରଟି ଗଡ଼ି ଆସି ୪୯ ନମ୍ବର ଜାତୀୟ ରାଜପଥ ମଝିରେ ପଡ଼ିଥିଲା।  ସୌଭାଗ୍ୟକୁ ଏହି ସମୟରେ କୌଣସି ଗାଡ଼ି ସେହି ରାସ୍ତାରେ ଯାଉନଥିଲା। ତେବେ ଏହି କାରଣରୁ ଦୀର୍ଘ ସମୟ ଧରି ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ପଡ଼ିଥିବା ପଥରକୁ ହଟାଇବା ପାଇଁ ଜେସିବି ମେସିନ୍‌ ଲଗାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି।

ପଥର ଖସିବା ସ୍ଥାନର କିଛି ଦୂରରୁ ରାସ୍ତା ବନ୍ଦ କରାଯାଇଛି। ତେଣୁ ବଡ଼ବଡ଼ ଟ୍ରକ୍‌ ଓ ଟ୍ରେଲର ଗୁଡ଼ିକ ପାଇଁ ଯାତାୟାତରେ ସମସ୍ୟା ହୋଇଛି। ବର୍ଷା ଲାଗି ରହିଥିବାରୁ ଏଠାରେ ପୁଣିଥରେ ପଥର ଖସିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ୪୯ ନମ୍ବର ଜାତୀୟ ରାଜପଥର କରିଡର ମ୍ୟାନେଜର ଲିଙ୍ଗରାଜ ବାରିକ କହିଛନ୍ତି, ଗତକାଲିଠାରୁ ବର୍ଷା ଲାଗି ରହିଥିବାରୁ ପାହାଡ଼ରୁ ପଥର ଖସିଛି। ପଥର ହଟାଇବା ପାଇଁ ପ୍ରକ୍ରିୟା ଜାରି ରହିଛି। ପରବର୍ତ୍ତୀ ପରିସ୍ଥିତି ପାଇଁ ଆମେ ସତର୍କ ରହିଛୁ । କିଛିବର୍ଷ ହେଲା ଜୁଡ଼ିଆ ଘାଟିରେ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଜାରି ରହିଥିଲା। ସେତେବେଳେ ବ୍ୟାପକ ପାହାଡ଼ କଟା ଯାଇଥିଲା। ପାହାଡ଼ କଟା ହେବା ପରେ ଏଠାରେ ପଥର ଖଞ୍ଜାଯାଇ ଯେଉଁ ସୁରକ୍ଷାବାଡ଼ ନିର୍ମାଣ ହୋଇଛି ଏବଂ ତାରଜାଲି ଦିଆଯାଇଛି ପାହାଡ଼ ଉପରେ ଥିବା ବଡ଼ବଡ଼ ପଥର ଖଣ୍ଡକୁ ଅଟକାଇବା ପାଇଁ ଏହା ସମର୍ଥ ନୁହେଁ। ୨୦୧୯ ସେପ୍ଟେମ୍ବର ୨୫ରେ ଜୁଡ଼ିଆ ଘାଟିରେ ଏକ ବିଶାଳ ପଥର ପଡ଼ିଥିଲା। ଯାହା ସବୁଠୁ ବଡ଼ ପଥର ଖଣ୍ଡ ବୋଲି କୁହାଯାଉଛି। ସେହିପରି ଗତ ଅଗଷ୍ଟ ୧୪ରେ ମଧ୍ୟ ଏହି ଘାଟିରେ ପଥର ଖସିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଆଜି ପୁଣି ସମାନ ସ୍ଥାନରେ ପଥର ଖସିବା କାରଣରୁ ବର୍ଷାଦିନେ ଜୁଡ଼ିଆ ଘାଟି ସୁରକ୍ଷିତ ନୁହେଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର