ଦଶରଥପୁର : ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅନ୍ତର୍ଗତ ଗ୍ରାମନନ୍ଦିପୁର ପଞ୍ଚାୟତ ଆବାସ କେଳେଙ୍କାରୀଙ୍କୁ ନେଇ ପୁଣି ଅଶାନ୍ତ ହୋଇଛି। ଆବାସ ତାଲିକାରେ ହେରଫେର କରାଯିବାକୁ ନେଇ କିଛି ଲୋକ ପିଇଓଙ୍କୁ ଘେରିଥିଲେ। ହତ୍ୟା ଧମକ ଦେବାସହ ଭତ୍ତା ଟଙ୍କା ଛଡ଼ାଇ ନେଇଥିବା ନେଇ ପଞ୍ଚାୟତର ପିଇଓ ପ୍ରଶାନ୍ତ ମିଶ୍ର ଓରଫ ଜିତୁ ଦଶରଥପୁର ଥାନାରେ ଅଭିଯୋଗ କରିଛନ୍ତି। ପିଇଓ ଶ୍ରୀ ମିଶ୍ରଙ୍କ ନାମରେ ମଧ୍ୟ ପାଲଟା ଅଭିଯୋଗ ହୋଇଛି।
ପିଇଓ ଶ୍ରୀ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ ଆଜି ସକାଳ ପ୍ରାୟ ୧୦ଟା ବେଳେ ଗ୍ରାମନନ୍ଦିପୁର ପଞ୍ଚାୟତକୁ ସେ ଯାଉଥିବା ସମୟରେ ଗ୍ରାମନନ୍ଦିପୁର(ମିର୍ଜାପୁର)ଛକ ନିକଟରେ ମିର୍ଜାପୁର ଗ୍ରାମର ମୂଷା ଦାସ, କୁନି ଦାସ ଓ ପ୍ରମୋଦ ଦାସ ତାଙ୍କୁ ଅଟକାଇଥିଲେ। ୨ ମହଲା ଘର ଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ବାଣ୍ଟିଛ ବୋଲି ତାଗିଦ୍‌ କରିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ମାରଣାସ୍ତ୍ର ଆଣି ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ବୋଲି ପିଇଓ ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି। ତାଙ୍କ ବ୍ୟାଗ୍‌ରେ ଭତ୍ତା ବଣ୍ଟନ ପାଇଁ ଥିବା ୫୭ହଜାର ୫୦୦ ଟଙ୍କା ଓ ଅଫିସ ଖାତାପତ୍ର ଛଡ଼ାଇ ନେଇଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଯାଇଛି।

Advertisment

ଏଭଳି ଅଭିଯୋଗ ହେବାପରେ ତଦନ୍ତ ଆରମ୍ଭ ହୋଇଥିବା ଆଇଆଇସି ବଦ୍ରିକାନାଥ ବେହେରା କହିଛନ୍ତି। ସୁରକ୍ଷା ଏବଂ କାର୍ଯ୍ୟାନୁଷ୍ଠାନ ଦାବିରେ ଦଶରଥପୁର ପିଇଓ ସଂଘ ପକ୍ଷରୁ ଆସନ୍ତାକାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ କଲମଛାଡ଼ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଅପରପକ୍ଷରେ, ଆବାସ ଦୁର୍ନୀତି ବିରୋଧରେ ପ୍ରତିବାଦ କରିବାରୁ ପିଇଓ ଶ୍ରୀ ‌ମିଶ୍ର ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ ବୋଲି ଅଭିଯୁକ୍ତମାନେ ପ୍ରଥମେ ଥାନାରେ ଅଭିଯୋଗ କରିଥିଲେ। ମିର୍ଜାପୁର ଗ୍ରାମର ପ୍ରଶାନ୍ତ ଦାସଙ୍କ ନାମରେ ଥିବା ଘରକୁ କାହିଁକି କାଟିଦିଆଗଲା ବୋଲି ପିଇଓଙ୍କୁ ପଚାରିବାରୁ ଶ୍ରୀ ମିଶ୍ର ସେମାନଙ୍କୁ ଧମକ ଦେବାସହ ଜାତିକୁ ‌ଆକ୍ଷେପ କରି ଗାଳି ଦେଇଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି।