ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ସାଂଘାତିକ ଭାବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିଛି। ଫଳରେ, ଜିଲ୍ଲାର ସବୁଜିମା ହ୍ରାସ ପାଇଛି। ବ୍ରିଟିସ୍ ଅମଳରେ ୨୦୫୦ ମସିହା ବେଳକୁ ଜିଲ୍ଲା ମରୁଭୂମି ପାଲଟିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ‘ଗ୍ଲୋବାଲ୍ ଫରେଷ୍ଟ ୱାଚ୍’ ନାମକ ସଂସ୍ଥାର ରିପୋର୍ଟ ଆଉ ଏକ ଉଦ୍ବେଗଜନକ ଚିତ୍ର ସାମ୍ନାକୁ ଆଣିଛି। ଏହି ସଂସ୍ଥା ବଲାଙ୍ଗୀର ଜିଲ୍ଲାର ଗତ ୧୫ ବର୍ଷ ଧରି ଜଙ୍ଗଲ ଏବଂ ସବୁଜିମା ଉପରେ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିଛି।
ରିପୋର୍ଟ ଅନୁଯାୟୀ, ୨୦୧୦ ମସିହାରେ ଜିଲ୍ଲାରେ ସ୍ଥାୟୀ ଓ ସଂରକ୍ଷିତ ଜଙ୍ଗଲକୁ ବାଦ୍ଦେଲେ ୭.୮୪ କିଲୋହେକ୍ଟରରେ ସବୁଜିମା ରହିଥିଲା। ଯାହା ଜିଲ୍ଲାର ମୋଟ୍ ଆକାରର ୧.୨ ପ୍ରତିଶତ। ମାତ୍ର, ୨୦୨୩ ବେଳକୁ ୨ ହେକ୍ଟର ସବୁଜିମା ଏବଂ ଗଛ ନଷ୍ଟ ହୋଇଛି। ଏତିକି ଗଛ ନଷ୍ଟ ହେବାଦ୍ବାରା ୧.୪୮ କିଲୋଟନ୍ ଅଙ୍ଗାରକାମ୍ଳ ନିର୍ଗର୍ମନ ବୃଦ୍ଧି ପାଉଥିବା ସଂସ୍ଥା ଆକଳନ କରିଛି। ସେହିପରି, ୨୦୦୧ ମସିହାରୁ ୨୦୨୩ ଯାଏଁ ୨୫୦ ହେକ୍ଟରରେ ଗଛ ନଷ୍ଟ ହୋଇଛି। ଏହି ଅବଧି ଭିତରେ ଜିଲ୍ଲାରେ ୬୮୮ ଥର ଜଙ୍ଗଲ ପୋଡ଼ିହୋଇଛି। ଏଥିରେ ଜଙ୍ଗଲକୁ ବାଦ୍ଦେଲେ ୩୨ ହେକ୍ଟର ଅଞ୍ଚଳରେ ଗଛ ଏବଂ ସବୁଜିମା ନଷ୍ଟ ହୋଇଛି।
୨୦୦୮ ଏବଂ ୨୦୧୨ ମସିହାରେ ସର୍ବାଧିକ ଭାବେ ସବୁଜିମା ନଷ୍ଟ ହୋଇଛି। ବିଭିନ୍ନ ପ୍ରକଳ୍ପ ଏବଂ ଚାଷ ପାଇଁ ଗଛ କଟାଯିବା ଫଳରେ ମଧ୍ୟ ଏହି ସବୁଜିମା ନଷ୍ଟ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୭ ମସିହାର ସରକାରୀ ରିପୋର୍ଟ ଅନୁସାରେ, ଜିଲ୍ଲାରେ ୭୦ ବର୍ଗକିଲୋମିଟର୍ ଘଞ୍ଚ ଜଙ୍ଗଲ, ୨୨୪ ବର୍ଗକିଲୋମିଟର୍ ମଧ୍ୟମ ଘଞ୍ଚ ଜଙ୍ଗଲ ଏବଂ ୮୩୭ ବର୍ଗକିଲୋମିଟର୍ ବିକ୍ଷିପ୍ତ ଜଙ୍ଗଲ ରହିଥିଲା। ମାତ୍ର, ୨୦୨୩ ମସିହାରେ ଜଙ୍ଗଲର ଘନତ୍ବ ୧ ପ୍ରତିଶତ ହ୍ରାସ ପାଇଥିବା ଅନ୍ୟ ଏକ ସଂସ୍ଥା ରିପୋର୍ଟରେ ଉଲ୍ଲେଖ କରିଛି। କ୍ରମାଗତ ଭାବେ ଜଙ୍ଗଲ ଏବଂ ବୃକ୍ଷଲତା ନଷ୍ଟ ହେଉଥିବାରୁ ଜିଲ୍ଲାରେ ଆଗକୁ ଜଳବାୟୁ ପରିବର୍ତ୍ତନର ସାଂଘାତିକ ଚିତ୍ର ଦେଖାଯିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/Greenery-Decreasing-in-Balangir-District_2_Punashcha-Pruthibi_Thumbnail.jpg)