ରାଜ୍ୟ ସରକାରଙ୍କ ଗାଡ଼ି ଚିନ୍ତା ବଢ଼ିଲା, ୧୫ବର୍ଷରୁ ପୁରୁଣା ସବୁ ସରକାରୀ ଗାଡ଼ି ଅଚଳ ଘୋଷଣା

୫୬୩ଟି ଗାଡ଼ି ୧୫ବର୍ଷରୁ ଅଧିକ, ନୂଆ ଗାଡ଼ି କିଣିଲେ ୬୦କୋଟି, ଭଡ଼ା ଆଣିଲେ ମାସକୁ ୨କୋଟି ବୋଝ

ଭୁବନେଶ୍ବର : ୧୫ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡ଼ି ଆଉ ରାସ୍ତାରେ ଗଡ଼ିପାରିବନି। ଏହି ଗାଡ଼ିର ପଞ୍ଜୀକରଣ ବି ନବୀକରଣ ହେବନି ବୋଲି କେନ୍ଦ୍ର ସରକାର ନିୟମ କରିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ ଲୋକାଲ ଅଥରିଟି, ସରକାରଙ୍କ ଅଧିକୃତ, ସ୍ବୟଂଚାଳିତ ସଂସ୍ଥାଗୁଡ଼ିକରେ ଏବେବି ୫୬୩ଟି ପୁରୁଣା ଗାଡ଼ି ସରକାରୀ କାର୍ଯ୍ୟରେ ବ୍ୟବହାର ହେଉଥିବାରୁ ଏହାକୁ ତୁରନ୍ତ ଅଚଳ ଘୋଷଣା କରିବା ପରେ ଏହାର ବିକଳ୍ପ ବ୍ୟବସ୍ଥା କରିବା ଚିନ୍ତା ରାଜ୍ୟ ସରକାରଙ୍କୁ ଘାରିଛି। କାରଣ ଏହି ଗାଡ଼ି ବଦଳରେ ନୂଆ ଗାଡ଼ି କିଣି‌ କିଣିଲେ ରାଜ୍ୟ ସରକାରଙ୍କୁ ପ୍ରାୟ ୬୦କୋଟିର ଅତିରିକ୍ତ ବୋଝ ପଡ଼ିବ।

ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କର ୫୬୩ଟି ଗାଡ଼ି ଏବେ ୧୫ବର୍ଷରୁ ଅଧିକ ପୁରୁଣା ହୋଇଥିଲେ ବି ଏହା ଗଡ଼ିବା ଯୋଗ୍ୟ ଅଛି। ଏଥିରେ ୧୫ରୁ ୨୦ବର୍ଷ ପୁରୁଣା ୩୦୦ଟି ଗାଡ଼ି ଥିବାବେଳେ ୨୬୩ଟି ଗାଡ଼ି ୨୦ବର୍ଷରୁ ଅଧିକ ପୁରୁଣା। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଏବେ ୧୮୫ଟି ୧୫ରୁ ୨୦ବର୍ଷ ପୁରୁଣା ଏବଂ ୧୭୪ଟି ୨୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ଚଢ଼ୁଛନ୍ତି। ରାଜ୍ୟ ସରକାରଙ୍କ ଅଧିକୃତ ବିଭିନ୍ନ ସଂସ୍ଥାରେ ବାବୁମାନେ ୯୭ଟି ୧୫ରୁ ୨୦ବର୍ଷ ପୁରୁଣା ଗାଡ଼ି ଚଢ଼ୁଥିବାବେଳେ ୮୭ଟି ୨୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ବ୍ୟବହାର କରୁଛନ୍ତି। କେବଳ ଏତିକି ନୁହେଁ ସ୍ବୟଂଚାଳିତ ସଂସ୍ଥାଗୁଡ଼ିକ ୧୮ଟି ୧୫ରୁ ୨୦ବର୍ଷ ପୁରଣା ଗାଡ଼ି ଏବଂ ୨ଟି ୨୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ଚଳାଉଛନ୍ତି। ଏହିପରି ୫୬୩ଟି ପୁରୁଣା ଗାଡ଼ି ନୂଆ ନିୟମ ଅନୁଯାୟୀ ବ୍ୟବହାର ହୋଇପାରିବନି ବୋଲି ନିର୍ଦ୍ଦେଶନାମା ଆସିଛି।

ଅପରପକ୍ଷେ ରାଜ୍ୟ ସରକାର କିଛି ଦିନ ତଳେ ନିଷ୍ପତ୍ତି ନେଇଛନ୍ତି ଯେ, ଏଣିକି କୌଣସି ବିଭାଗରେ ନୂଆ ଗାଡ଼ି କିଣାଯିବନି। ଭଡ଼ା ସୂତ୍ରରେ ଗାଡ଼ି ଅାଣି ଚଲାଯିବ। ଯଦି ନୂଆ ଗାଡ଼ି କିଣାଯିବ ତେବେ କେବଳ ଇ-ଯାନ କିଣାଯିବ। ହେଲେ ଇ-କାର୍‌ କିଣିଲେ ବଜାର ମୂଲ୍ୟ ଦେଖିଲେ ଗାଡ଼ିର ଦାମ୍ ୧୦ଲକ୍ଷ ଟଙ୍କାରୁ କମ୍‌ ନାହିଁ। ୫୬୩ଟି ଗାଡ଼ି କିଣିଲେ ଅତି କମ୍‌ରେ ୬୦କୋଟିର ବୋଝ ପଡ଼ିବ। ସେହିପରି ଯଦି ଭଡ଼ା ସୂତ୍ରରେ ଗାଡ଼ି ଆଣି ବ୍ୟବହାର କରାଯାଏ ତେବେ ମାସକୁ ପ୍ରାୟ ୧କୋଟି ୬୦ଲକ୍ଷରୁ ୨କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ହେବ। ତେଣୁ ଏବେ କି ପଦକ୍ଷେପ ନିଆଯିବ ସେନେଇ ଚିନ୍ତାରେ ରାଜ୍ୟ ସରକାର ପଡ଼ିଯାଇଛନ୍ତି।
ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ସବୁ ପୁରଣାଗାଡ଼ିର ତଥ୍ୟ ଅାମେ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟକୁ ପଠାଇଛୁ। ୫୦୦ରୁ ଅଧିକ ୧୫ବର୍ଷରୁ ପୁରୁଣା ଗାଡ଼ି ଥିବାରୁ ଏନେଇ କିଛି ବିକଳ୍ପ ପଦକ୍ଷେପ ନେବାକୁ କି ଗାଡ଼ି କିଣିବାକୁ ସବ୍‌ସିଡି ଦେବାକୁ ଅନୁରୋଧ କରିବୁ।

ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ ବିଭିନ୍ନ ସଂସ୍ଥା ପାଖରେ ୧୫ବର୍ଷରୁ କମ୍‌ ୧୬୩୬୯ଟି ଗାଡ଼ି ଏବେ ବ୍ୟବହାର ହେଉଥିବାବେଳେ ୩୨୬୬ଗାଡ଼ି ଖରାପ ହୋଇ ଚାଲୁନି। ୧୫ରୁ ୨୦ବର୍ଷ ପୁରୁଣ‌ା ୩୦୦ଟି ଗାଡ଼ି ଚାଲୁଥିବାବେଳେ ୧୮୧୯ଟି ଗାଡ଼ି ଆଉ ଗଡ଼ିବା ଯୋଗ୍ୟ ନାହିଁ। ୨୦ବର୍ଷରୁ ଅଧିକ ୨୬୩ଟି ଗାଡ଼ି ଚାଲୁଥିବାବେଳେ ୫୦୬୦ଟି ଗାଡ଼ି ଚାଲୁନି। ଏବେ ୧୦୧୪୫ଟି ଗାଡ଼ି ଅଚଳ ହୋଇ ପଡ଼ିଛି। ଏହିସବୁ ଗାଡ଼ି ନେଇ କି ପଦକ୍ଷେପ ନିଆଯିବ ତାହା ସ୍ଥିର ହୋଇନି।

ସମ୍ବନ୍ଧିତ ଖବର