ଅପହରଣ ନାଟକ ରଚିଥିବା ଫିରିଙ୍ଗିଆ ବ୍ଲକ୍‌ ଉପାଧ୍ୟକ୍ଷଙ୍କ ଅସଲ ଗୁମର, ଜିଲ୍ଲା ବିଜେଡି ସଭାପତି ହେବାକୁ ଲବି ଚଳାଇଥିଲେ

ଫୁଲବାଣୀ: ନିଜେ ନିଜର ଅପହରଣ ଡ୍ରାମା କରି ଗିରଫ ହୋଇ ଜେଲ୍‌ ଯାଇଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଉପାଧ୍ୟକ୍ଷ ଅଜିତ ସାହୁ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ହେବାକୁ ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ବିଜେଡିର ଜଣେ ରାଜ୍ୟସ୍ତରୀୟ ନେତାଙ୍କୁ ଧରିଥିଲେ ଏବଂ ତାଙ୍କୁ କୁଆଡ଼େ ମୋଟା ଅଙ୍କର ଟଙ୍କା ବି ଦେଇଥିଲେ। ତେବେ ତାଙ୍କୁ ‘ପିଲାଲୋକ’ କହି କନ୍ଧମାଳ ଜିଲ୍ଲା ବିଜେଡିର ବରିଷ୍ଠ ନେତାମାନେ ଏଡ଼ାଇ ଯାଉଥିବାରୁ ସେ ନିଜକୁ ଅନ୍ୟମାନଙ୍କ ପାଖରେ ସ୍ବତନ୍ତ୍ର ବୋଲି ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ମାଓବାଦୀଙ୍କ ଦ୍ବାରା ଅପହରଣ ହେବାର ନାଟକ ରଚିଥିଲେ। କୋରାପୁଟର ପୂର୍ବତନ ସାଂସଦ ଝିନ୍ନ ହିକ୍‌କାଙ୍କୁ ମାଓବାଦୀ ଅପହରଣ କରିନେବା ପରେ ସେ ଯେମିତି ଚର୍ଚ୍ଚିତ ହୋଇ ଯାଇଥିଲେ, ଅନୁରୂପ ଢଙ୍ଗରେ ଅଜିତ ରାତାରାତି ‌ଲୋକପ୍ରିୟ ନେତା ହୋଇଯିବେ ବୋଲି ଅଜିତ ସାହୁଙ୍କ ଧାରଣା ଥିଲା। କିନ୍ତୁ ତାଙ୍କର ଏ ଉଦ୍ଭଟ ଯୋଜନା ତାଙ୍କ ପାଇଁ ବୁମେରାଂ ହୋଇ ତାଙ୍କ ପାଇଁ କାଳ ପାଲଟିଯାଇଛି। ଆଜି ଫିରିଙ୍ଗିଆ ପୁଲିସ ବ୍ଲକ୍ ଉପାଧ୍ୟକ୍ଷ ଅଜିତ ସାହୁଙ୍କୁ କୋର୍ଟ ଚାଲାଣ କରିଛନ୍ତି।

ସୂଚନାଯୋଗ୍ୟ, ଫିରିଙ୍ଗିଆ ବ୍ଲକ୍ ଉପାଧ୍ୟକ୍ଷ ଅଜିତ ସାହୁ ଗତ ପଞ୍ଚାୟତ ନିର୍ବାଚନରେ ବାଲନ୍ଦାପଡ଼ା ପଞ୍ଚାୟତର ସମିତିସଭ୍ୟ ଭାବେ ନିର୍ବାଚିତ ହେବାପରେ ହାତୀ ତାଙ୍କ ମୁଣ୍ଡରେ ସୁନାକଳସ ଢାଳିଥିଲା ଏବଂ ସେ ଫିରିଙ୍ଗିଆ ବ୍ଲକ୍ ଉପାଧ୍ୟକ୍ଷ ହୋଇଥିଲେ। ଅଜିତ ରାଜନୀତିରେ ପୂରା ନୂଆ ହେଲେ ମଧ୍ୟ ସେ ଅନ୍ୟମାନଙ୍କୁ ପଛରେ ପକାଇ ଅତିକ୍ରମ କରିଯିବାକୁ ଚେଷ୍ଟାରେ ଥିଲେ। ତାଙ୍କର ବୟସ ମାତ୍ର ୨୬। ବାଲନ୍ଦାପଡ଼ା ସମିତିସଭ୍ୟ ନିର୍ବାଚିତ ହେବା ପୂର୍ବରୁ ସେ ବିଜେପିର ଛୋଟ ନେତା ଥିଲେ। ତାଙ୍କର ନିଜ ଘର ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ତେବେ ସେ ବାଲନ୍ଦାପଡ଼ାର ବାସିନ୍ଦା ପାଲଟି ଯାଇଥିଲେ। ତାଙ୍କର ଦୁଇଟି ସ୍ଥାନରେ ଭୋଟର ତାଲିକାରେ ନାମ ରହିଛି ବୋଲି ବିରୋଧୀମାନେ ଅଭିଯୋଗ ଆଣିଛନ୍ତି। ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଯିବା ପରେ ସେ ବିଜେଡିର ଜିଲ୍ଲା ସଭାପତି ହୋଇଯିବାକୁ ଲକ୍ଷ୍ୟ ରଖିଥିଲେ। ଏମିତିକି ଅଜିତ୍‌ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଗାଁ ପାଖର ହୋଇଥିଲେ ମଧ୍ୟ ସେ ବିଧାୟକଙ୍କୁ ଆଦୌ ଗୁରୁତ୍ବ ଦେଉ ନଥିଲେ। ବିଧାୟକ ଅଙ୍ଗଦ କହଁରଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିଲା। ଅନ୍ୟ ପଟେ ବର୍ତ୍ତମାନର ଜିଲ୍ଲା ବିଜେଡି ସଭାପତି ପଦରୁ ସରୋଜ କର୍ଣ୍ଣଙ୍କୁ ହଟାଇ ସେହି ପଦବିକୁ ଅକ୍ତିଆର କରିବାକୁ ଜଣେ ରାଜ୍ୟସ୍ତରର ନେତାଙ୍କୁ ମୋଟା ଅଙ୍କ ଦେଇଥିଲେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଜୋର୍‌ ଚାଲିଛି। ତେବେ ସେ କନ୍ଧମାଳ ଜିଲ୍ଲାର ନେତୃମଣ୍ଡଳୀଙ୍କୁ ଅଣଦେଖା କରି ରାଜ୍ୟସ୍ତର ନେତାଙ୍କୁ ଗୁରୁତ୍ବ ଦେଉଥିବାରୁ କନ୍ଧମାଳ ବିଜେଡି ମହଲରେ ଏକପ୍ରକାର କୋଣଠେସା ହୋଇ ରହିଥିଲେ। ଏଭଳି ମାନସିକ ଦୁଶ୍ଚିନ୍ତାରେ ଥିବାବେଳେ ହଠାତ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ ଏଭଳି ଏକ ଅଜବ ଯୋଜନା କରିଥିଲେ।

ଗତ ଶୁକ୍ରବାର ରାତିରେ ଉପାଧ୍ୟକ୍ଷ ଅଜିତ ସାହୁଙ୍କର ଅପହରଣ ହୋଇଥିବା ନେଇ ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳି ଯାଇଥିଲା। ଏହାପରେ ପୁଲିସ ଅନୁସନ୍ଧାନ ଆରମ୍ଭ କରି ଦେଇଥିଲା। ପୁଲିସ ଅନୁସନ୍ଧାନ କରି ଉପାଧ୍ୟକ୍ଷ ଅଜିତ ସାହୁଙ୍କୁ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସୁଡ୍ରା ଗାଁରୁ ଉଦ୍ଧାର କରିଥିଲା। ଅଜିତ ତାଙ୍କ ବନ୍ଧୁମାନଙ୍କ ସହଯୋଗରେ ଏଭଳି ଏକ ନାଟକ ରଚନା କରିଥିଲେ। ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ସାହୁ ଗତ ଶୁକ୍ରବାର ରାତିରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜାଜେଶପାଙ୍ଗା ଗ୍ରାମରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବାକୁ ଯାଇଥିଲେ। ତାଙ୍କ କାର୍‌ରେ ରତଙ୍ଗ ପଞ୍ଚାୟତର ସମିତିସଭ୍ୟ ବିରଞ୍ଚି ମଲିକ ଏବଂ ଅନ୍ୟ ଜଣେ ସହଯୋଗୀ ଡଙ୍ଗରପଡ଼ା ଗାଁ ସାଥୀ ବସନ୍ତ ମଲିକ ଉପସ୍ଥିତ ଥିଲେ। ଜାଜେଶପାଙ୍ଗା ଗ୍ରାମରେ ବରାଳଦେବୀଙ୍କ ଯାତ୍ରା ଅନୁଷ୍ଠିତ ହେଉଥିଲା। ଯାତ୍ରାରେ ବିଳମ୍ବ ହେବାରୁ ଉପାଧ୍ୟକ୍ଷ ଶ୍ରୀ ସାହୁ ନିଜ କାର୍‌ରେ ଦୁଇ ସହ‌ଯୋଗୀଙ୍କ ସହ ସାଡ଼ିଙ୍ଗିଆ ଅଭିମୁଖେ ବାହାରିଥିଲେ। ଏହା ପରଠାରୁ ସେ ନିଖୋଜ ଥ‌ିଲେ ବୋଲି ସମଗ୍ର ଜିଲ୍ଲାରେ ପ୍ରଚାର ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର