ଛେଣ୍ଡିପଦା : ରବିବାର ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କରୋନା ସଂକ୍ରମିତ ପାଣିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
ସୂଚନାରୁ ପ୍ରକାଶ, ଛେଣ୍ଡିପଦା ବ୍ଳକ୍ ରାଇଝରଣ ଗାଁର ସନ୍ତୋଷ ଗୋଚ୍ଛାୟତ(୪୫) ଜିନ୍ଦଲ୍ ପ୍ଲାଣ୍ଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଠିକାଶ୍ରମିକ ରୂପେ କାର୍ଯ୍ୟ କରୁଥିଲେ। ତିନିଦିନ ପୂର୍ବରୁ ସେ କରୋନା ପରୀକ୍ଷା କରାଇଥିଲେ। ଗତକାଲି ରିପୋର୍ଟ ଆସିବାରୁ ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା। ଏଥିରେ ସେ ବିବ୍ରତ ହୋଇପଡ଼ିଥିଲେ। ପରିବାର ଲୋକେ ମଧ୍ୟ ଏହାକୁ ନେଇ ଡରି ଯାଇଥିଲେ। ଘରେ ଭୟର ବାତାବରଣ ଖେଳି ଯାଇଥିଲାବେଳେ ଘୋର ମାନସିକ ଦୁଶ୍ଚିନ୍ତାରେ ଭାଙ୍ଗି ପଡ଼ିଥିଲେ ସନ୍ତୋଷ। ଘରେ ଏକାନ୍ତବାସରେ ରହିବାକୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା। ତେବେ ସେ ଗତକାଲି ହଠାତ୍ ସାଇକଲ୍ରେ ଘରୁ ବାହାରି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ସଦସ୍ୟ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ସନ୍ତୋଷ ନେଇଥିବା ସାଇକଲ୍କୁ ପରିବାର ସଦସ୍ୟ ରାଇଝରଣ ଜଳସେଚନ ପ୍ରକଳ୍ପ ହୁଡ଼ାରେ ପଡ଼ିଥିବା ଦେଖିଥିଲେ। ମାତ୍ର ସନ୍ତୋଷଙ୍କର ସଂଧାନ ମିଳିନଥିଲା। ଆଜି ପୂର୍ବାହ୍ଣ ୮ ଟାବେଳେ ରାଇଝରଣ ଡ୍ୟାମ୍ରେ ତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ।
କରୋନାରେ ସଂକ୍ରମିତ ହେବା ପରେ ସନ୍ତୋଷ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତାଙ୍କ ପରିବାର ସଦସ୍ୟ ପ୍ରକାଶ କରିଛନ୍ତି। ପୁଲିସ ପରିବାର ସଦସ୍ୟଙ୍କ ଏତଲାକ୍ରମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/drown-in.jpg)