ଯାଜପୁର/ଦଶରଥପୁର: ଗତ ୩୧ ତାରିଖରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ବିଂଝାରପୁର ଗସ୍ତ ବେଳେ ସ୍ଥାନୀୟ ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସଭା ପାଇଁ ଲୋକ ଯୋଗାଡ଼ କରିବାକୁ ଯାଇ ନିଜ ମାଁସଡ଼ା ପଞ୍ଚାୟତର ପିଇଓ ଗୋପାଳ ମହାନ୍ତି  ଓରଫ  ନୀଳାଦ୍ରି ଶୋଭମ ମହାନ୍ତିଙ୍କୁ କାମରେ ଲଗାଇଥିଲେ। ପିଇଓଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ଶ୍ରୀ ମହାନ୍ତି ଦଶରଥପୁର ବ୍ଲକ୍‌ର ମଲ୍ଲିକାପୁର ରାସ୍ତାରେ ବାଇକ୍‌ ଆରୋହୀଙ୍କୁ ଟଙ୍କା ବାଣ୍ଟିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ରାଜନୈତିକ ମହଲରେ କମ୍ପନ ସୃଷ୍ଟି ହୋଇଛି।

Advertisment

ଶ୍ରୀ ପାଣ୍ଡିଆନ୍‌ ତାଙ୍କ ତିନି ଦିନିଆ ଗସ୍ତରେ ଯାଜପୁର ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀରେ ୯ଟି ସମାବେଶ କରିଥିଲେ। ଏହି ସଭାଗୁଡ଼ିକରେ  ହଜାର ହଜାର ଲୋକ ବିଭିନ୍ନ ଗାଡ଼ିରେ ବୁହା ହୋଇ ଆସିଥିଲେ। ଏଥିସହ ବାଇକ୍‌ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସଭାକୁ ଏତେ ଲୋକ ଆସିଲେ କିପରି? ଯୋଗାଡ଼ କଲା କିଏ? ଏ ନେଇ ବିରୋଧୀ ପ୍ରଶ୍ନ ଉଠାଉଥିବା ବେଳେ ଦଶରଥପୁର ବ୍ଲକ୍ ମଲ୍ଲିକାପୁର ଅଞ୍ଚଳର ଭିଡିଓ ଭାଇରାଲ୍ ହେବା ପରେ କିପରି ଭାବେ ଲୋକ ଯୋଗାଡ଼ ହୋଇଥିଲା ପଦାକୁ ଆସିଛି।

ପ୍ରକାଶ ଥାଉକି ଗତ ୩୧ତାରିଖ ଅପରାହ୍ଣରେ ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲିକଙ୍କ  ନିର୍ବାଚନମଣ୍ଡଳୀ ବିଂଝାରପୁରର ବରୁଣେଶ୍ବର ପଡ଼ିଆରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ବିରାଟ ସଭା ଆୟୋଜନ କରାଯାଇଥିଲା। ଏଠାରେ ଜିନ୍ଦାବାଦ ପକାଇ ଶହଶହ ମୋଟର ସାଇକେଲରେ ଯୁବକମାନେ ସଭାମଞ୍ଚ ଆଡ଼କୁ ଯାଇଥିଲେ। ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଏତେ ସମର୍ଥକ ବିଂଝାରପୁରରୁ ଆସିଲେ କେଉଁଠୁ ବୋଲି ସେତେ ବେଳେ ଗୁଞ୍ଜରଣ ହୋଇଥିଲା।  ଯାହାର ରହସ୍ୟ ଉନ୍ମୋଚନ କରିଛି ଏହି ଭିଡିଓ। ସରକାରୀ କର୍ମଚାରୀଙ୍କ ଜରିଆରେ ହଜାର ହଜାର ଟଙ୍କା ବାଣ୍ଟି ଲୋକ ଯୋଗାଡ଼ କରି ୫-ଟି ସଚିବଙ୍କ ନିକଟରେ  ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଦବଦବା ଦେଖାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ରାଜସ୍ବ ମନ୍ତ୍ରୀଙ୍କ ଗାଁ ମାଁସଡ଼ା ଓ ବିଂଝାରପୁରର ପିଇଓ ଦାୟିତ୍ବରେ ଗୋପାଳ ମହାନ୍ତି  ଓରଫ ନୀଳାଦ୍ରି ଶୋଭମ ମହାନ୍ତି ଥିବା ଜଣାପଡ଼ିଛି।

ପିଇଓ ଶ୍ରୀ ମହାନ୍ତି ସରକାରୀ କର୍ମଚାରୀଙ୍କ ସର୍ତ୍ତାବଳୀର ଖୋଲା ଉଲ୍ଲଂଘନ କରିଥିବାରୁ ତାଙ୍କୁ ଜିଲ୍ଲାପାଳ ଅବିଳମ୍ବେ ଚାକିରୁ ବହିଷ୍କାର କରନ୍ତୁ ବୋଲି ରାଜ୍ୟ କଂଗ୍ରେସର ମୁଖ୍ୟପାତ୍ର ପଦ୍ମାକର ଗୁରୁ କହିଛନ୍ତି। ସଚିବଙ୍କ ସଭା ପାଇଁ ମନ୍ତ୍ରୀ, ବିଧାୟକ ଖୁଣ୍ଟ ପୋତି ମଞ୍ଚ ପ୍ରସ୍ତୁତ କରୁଥିବା ବେଳେ ସରକାରୀ କର୍ମଚାରୀ ଟଙ୍କା ବାଣ୍ଟି ଲୋକ ଯୋଗାଡ଼ କରୁଛନ୍ତି। ଏହାଠୁ ବଳି ବିଡ଼ମ୍ବନାର ବିଷୟ ଆଉ କଣ ହୋଇପାରେ ବୋଲି ଶ୍ରୀ ଗୁରୁ କହିଛନ୍ତି। ଯାଜପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ ମଧ୍ୟ ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେଡିର ଏହା ପୁରୁଣା ଅଭ୍ୟାସ ବୋଲି କହିଛନ୍ତି। ପୂର୍ବରୁ ନେତାଙ୍କ ପାଇଁ ଲୋକ ଯୋଗାଡ଼ କରୁଥିଲେ ଏବେ ସଚିବଙ୍କ ପାଇଁ ଟଙ୍କା ବାଣ୍ଟି ଲୋକ ଯୋଗାଡ଼ କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ ଘଟଣା। ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ​ ସେ ଦାବି କରିଛନ୍ତି।