ପୁଲିସକୁ ପିଟିବା ଘଟଣାର ଭିଡିଓ ଭାଇରାଲ୍, ଗିରଫ ଭୟରେ ଗାଁ’ ପୁରୁଷଶୂନ୍ୟ

ଆହତ ଏଏସଆଇଙ୍କୁ ସମ୍ବଲପୁର ସ୍ଥାନାନ୍ତର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସୁବଳୟା ଥାନା ତିଲେଇମାଲ ଗାଁ’କୁ ସୋମବାର ଏକ ମାମଲାର ତଦନ୍ତ କରିବାକୁ ଯାଇଥିବା ଏଏସଆଇ ଗୌରହରି ମେହେରଙ୍କୁ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ପିଟିବାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ତଦନ୍ତକାରୀ ଏଏସଆଇଙ୍କଠାରୁ ଲୋକେ ସେ ଲେଖୁଥିବା କାଗଜ ଓ ଡାଇରି ମଧ୍ୟ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। କିଛି ଲୋକ ପୁଲିସକୁ ଚପଲରେ ମାଡ଼ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏପରିକି ସୁବଳୟା ଭାରପ୍ରାପ୍ତ ଥାନାଧିକାରୀ ଦୀପ୍ତିରଞ୍ଜନ ଦିଗାଲଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ନେପୁର ପ୍ରଧାନ ମଧ୍ୟ ଏଏସଆଇ ମେହେରଙ୍କୁ ଗୋଡ଼ାଉଥିବା ଭିଡିଓରେ ଦେଖାଯାଉଛି। ଆଉ କିଛିଲୋକ ଏଏସଆଇ ଗୌରହରି ମେହେରଙ୍କୁ ଦଉଡ଼ିରେ ବାନ୍ଧିବାକୁ ପ୍ରୟାସ କରୁଥିବା କୁହାଯାଉଛି। ଖବର ପାଇ ସୁବଳୟା ଭାରପ୍ରାପ୍ତ ଥାନାଧିକାରୀ ଦୀପ୍ତିରଞ୍ଜନ ଦିଗାଲ୍ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଏଏସଆଇ ମେହେରଙ୍କୁ ଉଦ୍ଧାର କରିଥିଲେ। ଆହତ ଏଏସଆଇ ଗୌରହରି ମେହେରଙ୍କ ବାମ କାନ୍ଧ ଭାଙ୍ଗିଥିବାରୁ ତା’ଙ୍କୁ ଅଧିକ ଚିକିତ୍ସା ପାଇଁ ସମ୍ବଲପୁର ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ତିଲେଇମାଲ ଗାଁର ରତ୍ନାକର ପଧାନ ଏବଂ ତାଙ୍କ ଭାଇ ସୁବାସ ପଧାନଙ୍କ ମଧ୍ୟରେ ଗଛକଟାକୁ ନେଇ ଗଣ୍ଡଗୋଳ ହେବାପରେ ମାମଲା ସୁବଳୟା ଥାନାକୁ ଯାଇଥିଲା। ତେବେ ସୁବଳୟା ପୁଲିସ କୁଆଡ଼େ ସାନଭାଇ ସୁବାସଙ୍କ କେସକୁ ଗ୍ରହଣ କରିଥିବା ବେଳେ ରତ୍ନାକରଙ୍କ କେସକୁ ଗ୍ରହଣ କରି ନ ଥିଲା। ସୋମବାର ରତ୍ନାକର ପୁନର୍ବାର ସୁବଳୟା ଥାନାକୁ ଆସିଥିଲେ ଓ ଏଏସଆଇ ମେହେର ତଦନ୍ତ ପାଇଁ ତିଲେଇମାଲ ଯାଇଥିଲେ। ଏଏସଆଇ ମେହେର ସାଦା ପୋଷାକରେ ଯାଇଥିବାବେଳେ କୁଆଡ଼େ ଘରେ ଏକାକୀ ଥିବା ରତ୍ନାକର ପ୍ରଧାନଙ୍କ ପତ୍ନୀ ନେପୁରଙ୍କୁ ଦୁର୍ବ୍ୟବହାର କରିଥିଲେ। ରତ୍ନାକରଙ୍କ ଛୋଟ ଝିଅ ଓ ପୁଅ ପାଟି କରିବାରୁ ଗ୍ରାମବାସୀ ସେଠାରେ ପହଞ୍ଚି ଏଏସଆଇ ମେହେରଙ୍କୁ ନିସ୍ତୁକ ମାଡ଼ ମାରିଥିବା କୁହାଯାଉଛି। ପୁଲିସ ଉପସ୍ଥିତିରେ ରତ୍ନାକରଙ୍କ ଏକ ପାଳଭାଡ଼ିରେ ସୁବାସ ନିଆଁ ଲଗାଇ ଦେଇଥିବା ମଧ୍ୟ ନେପୁର ଅଭିଯୋଗ କରିଛନ୍ତି। ରତ୍ନାକରଙ୍କ ପରିବାର ବୀରମହାରାଜପୁର ଏସଡିପିଓ ଏବଂ ସୁବର୍ଣ୍ଣପୁର ଏସପିଙ୍କୁ ଭେଟି ପୁଲିସ ବିରୋଧରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କେସକୁ ଗ୍ରହଣ କରାଯାଇ ନ ଥିବା କୁହାଯାଇଛି।

ସେପଟେ ପୁଲିସ ତଦନ୍ତ କରିବାକୁ ଯାଇ ଗାଁ’ର ଅନ୍ୟଜଣେ ବୃଦ୍ଧଙ୍କୁ ଜବରଦସ୍ତ ସାକ୍ଷୀ କରିବାକୁ ଉଦ୍ୟମ କରୁଥିବା ବେଳେ ବୃଦ୍ଧଜଣକ ଅମଙ୍ଗ ହେବାରୁ ତା’ଙ୍କୁ ପୁଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କାର୍ଯ୍ୟରତ ଏଏସଆଇଙ୍କୁ ଗୋଡ଼ାଇ ପିଟିବା ଅଭିଯୋଗରେ ପୁଲିସ ନେପୁର ପଧାନ, ମହାଦେବ ସାହୁ, ପ୍ରଫୁଲ୍ଲ ସାହୁ, ଦୁର୍ଗାପ୍ରସାଦ ପଧାନ, ରାଘବ ସାହୁ, ବାଦଲ ପଧାନ ଓ ବେଲାରସେନ ହାତୀ ପ୍ରମୁଖଙ୍କ ନାମରେ ମାମଲା ରୁଜୁ କରିଛି। ବୁଧବାର ବୀରମହାରାଜପୁର ଏସଡିପିଓ ଡୋଳାମଣି ଭୋଇ ତିଲେଇମାଲକୁ ଯାଇ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସକୁ ଗୋଡ଼ାଇ ପିଟୁଥିବା ଭିଡିଓଟି ଭାଇରାଲ୍ ହେବାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରି ଭୟରେ ତିଲେଇମାଲ ଗାଁ’ ଏବେ ପୁରୁଷଶୂନ୍ୟ ହୋଇଯାଇଛି। ଏସଡିପିଓ ଶ୍ରୀ ଭୋଇ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ଘଟଣାର ତଦନ୍ତ ଚାଲିଛି। କାରଣ ଯାହା ବି ହେଉ, ଆଇନକୁ ହାତକୁ ନେବା କଥାନୁହେଁ। ଯିଏ ଦୋଷୀ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’।

ସମ୍ବନ୍ଧିତ ଖବର