ଗୁଳିକାଣ୍ଡ ବେଳର ଭିଡିଓ ଅନେକ କଥା ବୟାନ କରୁଛି
ପୁଲିସର ବନ୍ଧୁକ ଛଡ଼ାଇବା ପଛର କାରଣ କଣ ? ମନ୍ତ୍ରୀଙ୍କ କାର୍ରେ ପିଏସ୍ଓ ନଥିଲେ କାହିଁକି?
ଝାରସୁଗୁଡ଼ା: ନବ ଦାସଙ୍କୁ ଗୁଳି କଲା ସମୟରେ ଉତ୍ତୋଳନ ହୋଇଥିବା ଭିଡିଓରୁ ଅନେକ ତଥ୍ୟ ଲୁଚି ରହିଥିବା ଦେଖିବାକୁ ମିଳୁଛି। ସେଦିନ ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଢିଲା କରି ଦିଆଯାଇଥିଲା। କାରକେଡ୍ ସିଧା ସଭାସ୍ଥଳରେ ଯଦି ଅଟକି ଥାନ୍ତା ହୁଏତ ଏହି ଅଘଟଣକୁ ଟାଳି ଦିଆଯାଇ ପାରିଥାନ୍ତା। ମାତ୍ର ସଭାସ୍ଥଳର ବହୁ ଆଗରୁ ବରକୋଳି ଗଛ ପାଖରେ ମନ୍ତ୍ରୀଙ୍କ କାର୍ଟି ହଠାତ୍ ଅଟକି ଯାଇଥିଲା। କାର୍ ଅଟକାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ନା ନାହିଁ ଜଣାନାହିଁ। ତେବେ ଉକ୍ତ କାର୍ରୁ କେହି ଓହ୍ଲାଇାବା ଆଗରୁ ମନ୍ତ୍ରୀ ଏକୁଟିଆ ଓହ୍ଲାଇ ଠିଆ ହୋଇ ପଡ଼ିଥିଲେ। ସେହି ସମୟରେ ଦୁଇ ଜଣ କର୍ମୀ ଦୁଇଟି ଫୁଲମାଳ ମନ୍ତ୍ରୀଙ୍କୁ ପିନ୍ଧାଉଥିବା ସମୟରେ ମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିଥିଲା।
ଗୁଳି ବାଜିବା ପରେ ପିଏସ୍ଓ ପଛ କାର୍ରୁ ଓହ୍ଲାଇ ଆସୁଥିବା ଦେଖା ଯାଇଥିଲା। କାର୍ର ସେଣ୍ଟ୍ରାଲ ଲକ ଡ୍ରାଇଭର ପାଖରେ ରହୁଥିବା ବେଳେ ଡ୍ରାଇଭର କେମିତି ତୁରନ୍ତ ଏହାକୁ ଖୋଲି ଦେଲେ ଏହା ମଧ୍ୟ ତଦନ୍ତ ପରିସରକୁ ଯାଉଛି। ମନ୍ତ୍ରୀଙ୍କ ପିଏସ୍ଓ ସେଦିନ ମନ୍ତ୍ରୀଙ୍କ କାର୍ରେ ନବସି ପଛରେ ଯାଉଥିବା ଅନ୍ୟ ଏକ କାର୍ରେ ଯିବା ପଛରେ ରହସ୍ୟ ମଧ୍ୟ ଜଣାପଡ଼ୁ ନାହିଁ। ଘଟଣା ପରେ ପୁଲିସ ପିଏସ୍ଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବନ କରିସାରିଛି। ମନ୍ତ୍ରୀଙ୍କୁ ଦୁଇଜଣ ପିଏସ୍ଓ ସୁରକ୍ଷା ଯୋଗାଉଥିଲେ। ଜଣେ ଝାରସୁଗୁଡ଼ା ପୁଲିସର ଓ ଆଉ ଜଣେ ଭୁବନେଶ୍ବର ଏସ୍ପି ସିକ୍ୟୁରିଟି ବିଭାଗର। ସେଦିନ କେବଳ ଝାରସୁଗୁଡ଼ା ପୁଲିସର ପିଏସ୍ଓ ସୁରକ୍ଷାରେ ଥିବା ବେଳେ ଏସ୍ପି ସିକ୍ୟୁରିଟି ବିଭାଗର ପିଏସ୍ଓ ଅନୁପସ୍ଥିତ ଥିବା କାରଣ ମଧ୍ୟ ଜଣାପଡ଼ି ନାହିଁ।
ଗୁଳିକାଣ୍ଡ ପରେ ଗୋପାଳକୁ ଧସ୍ତାଧସ୍ତି ବେଳେ ସରୋଜ ସାହା ନାମକ ଜଣେ ବିଜେଡି କର୍ମୀ (ଯିଏକି ଗୁଳିକାଣ୍ଡ ପୂର୍ବରୁ ମନ୍ତ୍ରୀଙ୍କ ବେକରେ ଫୁଲମାଳ ପିନ୍ଧାଉଥିବା ଦେଖା ଯାଇଥିଲା) ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ ସ୍ବାଇଁଙ୍କ ବାମ ପଟେ ବେଲଟ୍ରେ ଖୋଳରେ ଲାଗିଥିବା ପିସ୍ତଲକୁ ଛଡ଼ାଇ ନେଇ ତାକୁ ଧରି ଧାଉଁଥିବା ପଛର କାରଣ କ’ଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଗୁଳିକାଣ୍ଡ ପରେ ଗୋପାଳକୁ କିଛି କର୍ମୀ ଉତ୍ତେଜିତ ହୋଇ ମାଡ଼ ମାରୁଥିବା ବେଳେ ସେଠାରେ ପୁଲିସର ଅସହାୟତା ସ୍ପଷ୍ଟ ବାରି ହୋଇପଡ଼ୁଥିବା ଦେଖା ଯାଇଥିଲା। ଗୋପାଳ ତଳେ ପଡ଼ି ଯାଇଥିବା ବେଳେ ଅନ୍ୟ କିଛି ପୁଲିସ କର୍ମଚାରୀ ମଧ୍ୟ ତଳେ ପଡ଼ି ଯାଉଥିବା ଦେଖିବକୁ ମିଳୁଥିଲା। ସେଠାରେ ଉପସ୍ଥିତ ଥିବା ଆଇଆଇସିଙ୍କ ବନ୍ଧୁକ ଟାଣି ନେବା ପରେ ମଧ୍ୟ ଆଇଆଇସି ଆଦୌ ଜାଣି ପାରୁନଥିବା ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି।
ଉକ୍ତ ଯୁବକ ପୁଲିସ ବନ୍ଧୁକ ହାତରେ ଧରି ହାତ ଉପରକୁ ଉଠାଇ ସେଠାରେ ବୁଲୁଥିବା ବେଳେ କେହି ପୁଲିସ ଏହାର ପ୍ରତିରୋଧ ମଧ୍ୟ କରିନଥିବା ଦେଖା ଯାଇଥିଲା। ତେବେ ଏହି ପିସ୍ତଲଟି ଆଇଆଇସିଙ୍କର ନା ଗୋପାଳ ଯେଉଁ ପିସ୍ତଲରୁ ଗୁଳି ଚଳାଇଥିଲା ସେହି ପିସ୍ତଲ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡ଼ିନାହିଁ। ଏହି ପିସ୍ତଲ ଲୁଟ୍ ଘଟଣାରେ ପୁଲିସ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ଏଫ୍ଆଇଆର୍ ମଧ୍ୟ ହୋଇ ନଥିବା ବ୍ରଜରାଜନଗର ଥାନା ସୂତ୍ରରୁ ଜଣାଯାଇଛି। ସବୁଠାରୁ ବଶେୀ ଗୁରୁତ୍ବପୂର୍ଣ୍ଣ କଥା ହେଲା ମନ୍ତ୍ରୀଙ୍କୁ ଏଏସ୍ଆଇ ଗୋପାଳ ଗୁଳି ମାରିବା ପରେ ମନ୍ତ୍ରୀ ଯେତେବେଳେ ତଳେ ପଡ଼ି ଯାଉଥିଲେ ସେତେବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ସେଠାରେ ଉପସ୍ଥିତ ଥିବା ଜଣେ ବି ପୁଲିସ କର୍ମଚାରୀ ମନ୍ତ୍ରୀଙ୍କ ପାଖକୁ ଯାଇନଥିଲେ। ସେଠାରେ ଥିବା କର୍ମୀମାନେ ମନ୍ତ୍ରୀଙ୍କୁ ଟେକି କାର୍ର ପଛ ସିଟରେ ରଖି ଡାକ୍ତରଖାନା ନେଇଥିବା ଦେଖା ଯାଇଥିଲା।