କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ କୁଅଁର ପଞ୍ଚାୟତର ଉପରପଣସନସା। ଏହି ଗାଁର ବାସ୍ତବ ଚିତ୍ର ଦେଖିଲେ ଯେ କୌଣସି ଲୋକଙ୍କ ମନରେ ଆପେଅ‌ାପେ ପ୍ରଶ୍ନ ଉଙ୍କିମାରିବ, କ’ଣ ଏମିତି ବି ଗଁା ଅଛି? ଯେଉଁ ଗାଁକୁ ପହଞ୍ଚିବା ପାଇଁ ତିନି ପାହାଡ଼, ଜଙ୍ଗଲ, ନାଳ ପାର୍‌ ହେବାକୁ ପଡ଼ୁଛି?

Advertisment

ବଣପାହାଡ଼ ଘେରା ଉପରପଣସନସା ଗ୍ରାମରେ ୫୦ରୁ ଊର୍ଦ୍ଧ୍ବ ପରିବାର ବାସ କରୁଛନ୍ତି। ଲୋକସଂଖ୍ୟା ପ୍ରାୟ ୩୦୦। ସମସ୍ତ ପରିବାର ଆଦିବାସୀ ଜୁଆଙ୍ଗ ଜନଜାତିର ଅଟନ୍ତି। ଆଦିବାସୀଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଗ୍ରାମବାସୀ ଏସବୁ ସୁବିଧାସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଗମନାଗମନକୁ ବିକାଶର ଜନନୀ ବୋଲି କୁହାଯାଏ। କିନ୍ତୁ ଗାଁକୁ ରାସ୍ତା ଖଣ୍ଡେ ନାହିଁ। ତିନିଟି ପାହାଡ଼ ଓ ନାଳ ସହ ଜଙ୍ଗଲ ଅତିକ୍ରମ କଲେ ଯାଇ ଗାଁକୁ ଯାଇହେବ। ଏହି ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଛି। ବିଦ୍ୟାଳୟର ଶ୍ରେଣୀଗୃହ ନାହିଁ। ଛାତ୍ରଛାତ୍ରୀ ଗାଁର ମଣ୍ଡଘରେ ବସି ପାଠ ପଢ଼ୁଛନ୍ତି। ପଞ୍ଚମ ଶ୍ରେଣୀ ପରେ ଏଠାରେ ପାଠପଢ଼ା ବ୍ୟବସ୍ଥା ନାହିଁ। ତେଣୁ ଷଷ୍ଠ ଶ୍ରେଣୀରେ ପଢ଼ିବା ପାଇଁ ଜଙ୍ଗଲିଆ ରାସ୍ତାରେ ପ୍ରାୟ ୧୦ କିମି ଚାଲିଚାଲି ଆସିବାକୁ ପଡ଼ିଥାଏ।

ଏହି କାରଣରୁ ଗାଁରେ ମାତ୍ର ଜଣେ ଯୁବକଙ୍କୁ ଛାଡ଼ିଦେଲେ ଅନ୍ୟ କେହି ମାଟ୍ରିକ ପାସ୍‌ କରି ନାହାନ୍ତି। ଗମନାଗମନ ବ୍ୟବସ୍ଥା ନଥିବାରୁ ଏଠାରେ କୌଣସି ହିତାଧିକାରୀ ଆବାସ ଯୋଜନାରେ ଘର କାମ ସଂପୂର୍ଣ୍ଣ କରିପାରି ନାହାନ୍ତି। ସେହିପରି ଗାଁରେ ବିଜୁଳି ନାହିଁ କି ପାନୀୟଜଳ ବ୍ୟବସ୍ଥା ନାହିଁ। ବିଜୁଳି ନଥିବାରୁ ପ୍ରଶାସନ ପକ୍ଷରୁ ସୌର ଆଲୋକ ବ୍ୟବସ୍ଥା କରାଯାଇଛି। ସେହିପରି ପାନୀୟଜଳ ବ୍ୟବସ୍ଥା ନଥିବାରୁ ‌ଏଠାକାର ଲୋକେ ଝରଣା ଓ ଖୋଲାକୂଅରୁ ପାଣି ସଂଗ୍ରହ କରି ବ୍ୟବହାର କରିଥାନ୍ତି। ସ୍ବାସ୍ଥ୍ୟସେବା ଏଠାରେ ଅପହଞ୍ଚ ହୋଇ ରହିଛି। ଗାଁର କୌଣସି ଲୋକ ଅସୁସ୍ଥ ହେଲେ ତାଙ୍କୁ ଭାରରେ ବୋହି ନେବାକୁ ପଡ଼ିଥାଏ। ୧୦ କିମି ଭାରରେ ବୋହିବା ପରେ କାଞ୍ଜିପାଣି ଘାଟିରୁ ଗାଡ଼ିରେ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥାଏ। ଉପରପଣସନସା ଗାଁର ଶତ୍ରୁଘ୍ନ ଜୁଆଙ୍ଗ କହିଛନ୍ତି, ଗାଁକୁ ସବୁଦିନିଆ ରାସ୍ତା ହୋଇଗଲେ ଅନେକ ବିକାଶମୂଳକ କାମ ହୋଇପାରନ୍ତା। ରାସ୍ତା ନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଶତ୍ରୁଘ୍ନ କହିଛନ୍ତି।