ଦୟନୀୟ ସ୍ଥିତିରେ ୧୨ ହଜାର ଗ୍ରାମରକ୍ଷୀ

ସାଇକେଲ୍ କି ମୋବାଇଲ୍ ନାହିଁ , ଚାଲିଚାଲି ପାଟ୍ରୋଲିଂ, ଦୈନିକ ୬୦ ଟଙ୍କା ଦରମାରେ ଚଳିବେ କେମିତି?

କଟକ : ରାଜ୍ୟରେ ଗାଁ ଗାଁରେ ପାଦରେ ଚାଲିଚାଲି ସାରାରାତି ପାଟ୍ରୋଲିଂ କରୁଛନ୍ତି ଗ୍ରାମରକ୍ଷୀ। ଏମାନଙ୍କୁ ପାଟ୍ରୋଲିଂ ପାଇଁ ସାଇକେଲ୍ ଖଣ୍ଡେ ବି ମିଳିନାହିଁ। ଗାଁର କୌଣସି ଗୁରୁତ୍ବପୂର୍ଣ୍ଣ ସୂଚନା ଥାନା କିମ୍ବା ଫାଣ୍ଡିରେ ପହଞ୍ଚାଇବାକୁ ହେଲେ ଏମାନଙ୍କୁ ଚାଲିଚାଲି ଯିବାକୁ ପଡ଼ୁଛି। ଯୋଗାଯୋଗ ପାଇଁ ମୋବାଇଲ୍ ଫୋନ୍‌ ବି ମିଳିନାହିଁ। ରାଜ୍ୟରେ ଏବେ କାମ କରୁଥିବା ୧୧ହଜାର ୫୦୬ ଗ୍ରାମରକ୍ଷୀଙ୍କ ସ୍ଥିତି ଏଭଳି। ଦିନକୁ ମାତ୍ର ୬୦ ଟଙ୍କା ଦରମା ପାଉଥିବା ଗ୍ରାମରକ୍ଷୀ ମହଙ୍ଗା ବଜାରକୁ କିଭଳି ସାମ୍ନା କରିବେ, ସେନେଇ ଚିନ୍ତାରେ ଅଛନ୍ତି।

ରାଜ୍ୟରେ ମୋଟ ୧୮ ହଜାର ୪୪୧ଟି ମଞ୍ଜରୀପ୍ରାପ୍ତ ଗ୍ରାମରକ୍ଷୀ ପଦବି ରହିଛି। ଏଥିରୁ ୬ ହଜାର ୯୩୫ ଜଣ ଗ୍ରାମରକ୍ଷୀଙ୍କ ଦେହାନ୍ତ ହୋଇଯାଇଛି। ଏବେ କାର୍ଯ୍ୟରତ ୧୧ ହଜାର ୫୦୬ ଗ୍ରାମରକ୍ଷୀଙ୍କ ଭାଗରେ ଦୁଇରୁ ତିନୋଟି ଗାଁ ପାଟ୍ରୋଲିଂ ପାଇଁ ପଡ଼ୁଛି। ଗ୍ରାମରକ୍ଷୀଙ୍କ ପାଇଁ ଭତ୍ତିଭୂମିର ଅଭାବ ଥିବାରୁ ପାଦରେ ଚାଲିଚାଲି ପାଟ୍ରୋଲିଂ କରିବା ଅସନ୍ତୋଷ ସୃଷ୍ଟି କଲାଣି। ପଶ୍ଚିମବଙ୍ଗରେ ଗ୍ରାମରକ୍ଷୀ ମାସିକ ୧୮ ହଜାର ଟଙ୍କା, କେରଳରେ ୧୬ ହଜାର ୨୦୦, ଆନ୍ଧ୍ରପ୍ରଦେଶରେ ୧୬ ହଜାର ୫୦୦, ଛତିଶଗଡ଼ରେ ୧୫ ହଜାର ୫୦୦, ଝାଡ଼ଖଣ୍ଡରେ ୧୫ ହଜାର, ତେଲେଙ୍ଗାନାରେ ୧୬ ହଜାର ୨୦୦, ଆସାମରେ ୧୬ ହଜାର ୫୦୦ ମିଳୁଛି। କିନ୍ତୁ, ଓଡ଼ିଶାରେ ଦୈନିକ ୬୦ ଟଙ୍କା ହିସାବରେ ମାସିକ ୧୮ଶହ ଟଙ୍କା ଦରମା ମିଳୁଛି। ଦରମା ହାରରେ ବୃଦ୍ଧି ପାଇଁ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ ଦାବି ଉଠାଇଛି।

ସଂଘ ପକ୍ଷରୁ ଦାବି କରାଯାଇଛି, ଦରମା ସହିତ ଗ୍ରାମରକ୍ଷୀଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନ୍ୟତା ଦିଆଯାଇ ମାସିକ ୧୫ ହଜାର ଟଙ୍କା ବେତନ ଦିଆଯାଉ। ଅବସର ନେଉଥିବା ଗ୍ରାମରକ୍ଷୀଙ୍କୁ ପେନ୍‌ସନ୍ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନାହିଁ। ସେମାନଙ୍କୁ ପେନ୍‌ସନ୍ ଓ ତାଙ୍କ ସ୍ଥାନରେ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦିଆଯାଉ। ଗ୍ରାମରକ୍ଷୀଙ୍କ ପାଇଁ ଜୀବନ ବୀମା ୨୦ ଲକ୍ଷ ଟଙ୍କା ଯାଏ କରାଯାଉ। ମାଓ ଉପଦ୍ରୁତ ଜିଲ୍ଲାମାନଙ୍କରେ ମାଓବାଦୀଙ୍କ ଦ୍ବାରା ହତ୍ୟା ହେଉଥିବା ଗ୍ରାମରକ୍ଷୀଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଏକ ପ୍ରମୁଖ ସମସ୍ୟା ହୋଇଛି। ମୃତ ଗ୍ରାମରକ୍ଷୀଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଉ। ସେହିଭଳି, ପୋଷାକ ବାବଦ ଅର୍ଥ ଯୋଗାଯାଉ ନଥିବାରୁ ଏଥିପାଇଁ ହାତରୁ ଖର୍ଚ୍ଚ କରି ଗ୍ରାମରକ୍ଷୀମାନେ ପୋଷାକ କିଣୁଛନ୍ତି। ପୁଲିସ ବିଭାଗରେ ସିପାହିଠୁ ଉପର ପାହ୍ୟାର ଅଧିକାରୀଙ୍କୁ ଯେଭଳି ପୋଷାକ ଭତ୍ତା ମିଳୁଛି, ସେଭଳି ଗ୍ରାମରକ୍ଷୀଙ୍କୁ ଦିଆଯାଉ। ବାର୍ଷିକ ୨ ହଜାର ଟଙ୍କା ପୋଷାକ ଭତ୍ତା ନିହାତି ଆବଶ୍ୟକତା ଥିବା ସଂଘ ଦାବି କରିଛି। ଓଡ଼ିଶା ପୁଲିସ ଯେତେବେଳେ କନଷ୍ଟେବଳ ଓ ସିପାହିଙ୍କୁ ନିଯୁକ୍ତି କରୁଛି, ସେତେବେଳେ ଗ୍ରାମରକ୍ଷୀଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ରହୁନାହିଁ। ଏଥିରେ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଗ୍ରାମରକ୍ଷୀଙ୍କୁ କୌଣସି ଯାନବାହନ ସୁବିଧା ବି ନାହିଁ। ସାଇକେଲ୍ ଖଣ୍ଡେ ବି ଦିଆଯାଇନାହିଁ। ପାଦରେ ଚାଲି ସାରା ଗାଁ ପାଟ୍ରୋଲିଂ କରିବା ସମ୍ଭବପର ହେଉନଥିବା ସଂଘ ପକ୍ଷରୁ କୁହାଯାଇଛି।

ଆସନ୍ତା ୨୧ ତାରିଖରେ ସୁଦ୍ଧା ଦାବି ପୂରଣ ନହେଲେ ଡିସେମ୍ବର ୧୩ ତାରିଖରୁ ରାଜରାସ୍ତାକୁ ସଂଘ ଓହ୍ଲାଇବ ବୋଲି ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘର ସଭାପତି ରତ୍ନାକର ନାଏକ କହିଛନ୍ତି।

ସମ୍ବନ୍ଧିତ ଖବର