ଗାଁକୁ ପୋଲ ଅଛି, ହେଲେ ରାସ୍ତା ନାହିଁ; ବର୍ଷାଦିନେ ବିଚ୍ଛିନ୍ନ ହେଉଛି ଦୁଇ ଗ୍ରାମ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଉଦୟପୁର ପଞ୍ଚାୟତର ଦୁଇ ପ୍ରମୁଖ କୋସଳାଙ୍ଗ ଏବଂ ଆଙ୍ଗିସିଙ୍ଗି ଗ୍ରାମରେ ରୁହନ୍ତି ଆଦିବାସୀ ସମୁଦାୟର ଲୋକ। ଏହି ଗ୍ରାମକୁ ଯିବା ପାଇଁ ଆଜିଯାଏଁ ରାସ୍ତା ଖଣ୍ଡେ ନାହିଁ। ଅଧାରୁ ଅଟକି ଯାଇଛି ରାସ୍ତା କାମ। ଏହି ଗ୍ରାମକୁ ଯିବା ବେଳେ ଏକ ନାଳ ପଡ଼ୁଥିବାରୁ ନାଳ ପାର ହୋଇ ଯିବା ପାଇଁ ପୋଲଟିଏ ନିର୍ମାଣ ହୋଇଛି କିନ୍ତୁ ରାସ୍ତା ସଂଯୋଗ ହୋଇନଥିବାରୁ ଏହା କୌଣସି କାମରେ ଲାଗୁନି। ଏବେ କିଛିଦିନ ହେବ ଲଗାଣ ବର୍ଷାରେ ପାଦଚଲା ରାସ୍ତା ସମ୍ପୂର୍ଣ୍ଣ ଭାବେ ବେହାଲ ହୋଇଯାଇଛି। ଆଗକୁ ଆସୁଥିବା ବର୍ଷା ଦିନରେ ଏହି ଦୁଇ ଗ୍ରାମ ବାହ୍ୟଜଗତରୁ ଏକ ପ୍ରକାରର ବିଚ୍ଛିନ୍ନ ହେବା ଏଥିରୁ ଅନୁମେୟ।

ସୂଚନା ମୁତାବକ, ଉଦୟପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋସଳାଙ୍ଗ ଓ ଆଙ୍ଗିସିଙ୍ଗି ଆଦିବାସୀ ବହୁଳ ଗ୍ରାମ ହୋଇଥିବା ବେଳେ ଏଠାରେ ୩୦୦ ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଏମାନଙ୍କ ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ଏହି ଗ୍ରାମକୁ ଯିବା ପାଇଁ ଦୁଇ କିଲୋମିଟର ଜଙ୍ଗଲ ରାସ୍ତା ପଡୁଥିବାରୁ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ କୌଣସି ପ୍ରକାରର ଅନୁମତି ମିଳିପାରୁନାହିଁ। ଏଥିପାଇଁ ବାରମ୍ବାର ସର୍ଭେ ହେଉଛି ଏବଂ ପ୍ରଶାସନିକ ଅଧିକାରୀମାନେ ଆସି ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇ ଜାଲିଯାଉଛନ୍ତି କିନ୍ତୁ ତାହା ଫାଇଲର ନାଲିଫିତା ତଳେ ତାହା ଅଟକି ଯାଉଛି। ନିର୍ବାଚନ ସମୟରେ ଅନେକ ରାଜନେତା ଏହି ଦୁଇ ଗ୍ରାମକୁ ଯାଇ ବିକାଶର କଥା କହୁଥିବା ବେଳେ ସେସବୁ ଏବେ ପାଣିର ଗାର ସଦୃଶ ହୋଇଛି। ଏହି ଗ୍ରାମରେ କିଛି ଅଘଟଣ ଘଟିଲେ କେବଳ ମୃତ୍ୟୁକୁ ହିଁ ଅପେକ୍ଷା କରାଯାଇଥାଏ ବୋଲି ଗ୍ରାମବାସୀମାନେ କହିଛନ୍ତି। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଓ ପୁଲିସ ଗାଡ଼ି ଗ୍ରାମରେ ପହଞ୍ଚିପାରେ ନାହିଁ। ସରକାରୀ ବାବୁମାନେ ଗାଁକୁ ଗଲେ ରାସ୍ତାର ଅବସ୍ଥା ଦେଖି ଯିବାକୁ ନାକ ଟେକନ୍ତି। ଗ୍ରାମରେ ବିଦ୍ୟୁତ ସେବା ଅଧା ସମୟ ବନ୍ଦ ରହୁଥିବା ବେଳେ ମୋବାଇଲ ସେବା କଥା ନ କହିବା ଭଲ। ଏହି ଗ୍ରାମକୁ ଯିବା ବାଟରେ ଏକ ନାଳ ପଡ଼ିଥାଏ। ଗତବର୍ଷ ଏହି ନାଳ ଉପରେ ପୋଲ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ରାସ୍ତା ସଂଯୋଗ ହୋଇନଥିବାରୁ ଏହା କୌଣସି କାମରେ ଲାଗୁନଥିବା ଦେଖିବାକୁ ମିଳିଛି।

ଏବେ କିଛିଦିନଧରି ଚାଲିଥିବା ଲଗାଣ ବର୍ଷାରେ ଏହି ରାସ୍ତାର ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିବା ବେଳେ ଆଗାମୀ ବର୍ଷା ଦିନରେ ଏହି ଦୁଇ ଗ୍ରାମ ପୂର୍ବ ବର୍ଷଗୁଡିକ ଭଳି ବାହ୍ୟଜଗତରୁ ବିଚ୍ଛିନ୍ନ ହେବା ସ୍ବାଭାବିକ। ତେବେ ଏହି ଗ୍ରାମକୁ ଯିବା ପାଇଁ ଜିଗିନିପଡ଼ାଠାରୁ କୋସଳାଙ୍ଗ ପର୍ଯ୍ୟନ୍ତ ଦୁଇ କିଲୋମିଟର ରାସ୍ତା ସଂରକ୍ଷିତ ଜଙ୍ଗଲ ପଡ଼ୁଡୁଥିବାରୁ ବର୍ଷେ ତଳେ ବନ ବିଭାଗ ପକ୍ଷରୁ ରାସ୍ତା ମାପ କରାଯାଇ ପଠାଯାଇଥିବା ବନ ବିଭାଗ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ହେଲେ ଏହି ରାସ୍ତା କେବେ ନିର୍ମାଣ ହେବ ତାହା ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି। ତେବେ ଏହି ଘଟଣା ପ୍ରତି ଉପରିସ୍ଥ ବିଭାଗୀୟ ଅଧିକାରୀମାନେ ବିଶେଷ ଭାବେ ଦୃଷ୍ଟି ଦେବା ସହ ଲୋକଙ୍କ ବହୁଦିନର ସମସ୍ୟା ଦୂର କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର