ଗାଁ ଜଗୁଛନ୍ତି ଗାଁର ଲୋକେ, ପିଲାଚୋରି, ଡକାୟତି ଭୟ!

ସିନ୍ଧେକେଲା: ସିନ୍ଧେକେଲା ଅଞ୍ଚଳରେ ଏବେ ପିଲାଚୋରି, ଡକାୟତି ଭୟ ଲୋକଙ୍କୁ ଘାରିଛି। ଲୋକେ ଗାଁ ଗାଁରେ ଠେଙ୍ଗା ବାଡ଼ି ଧରି ରାତିରେ ପାଳି କରି ଜଗୁଛନ୍ତି। କିଛି ଲୋକ ସନ୍ଧ୍ୟା ୬ଟା ପରେ କବାଟ କିଳି ଘର ଭିତରେ ରହି ଯାଉଛନ୍ତି। ଏହା ଗୁଜବ ବୋଲି ଆଲୋଚନା ହେଉଥିଲେ ମଧ୍ୟ ବିଗତ ଦିନରେ ଏ ଅଞ୍ଚଳରେ ଘଟିଥିବା କିଛି ଘଟଣାକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏ ଅଞ୍ଚଳରେ ବିଗତ ଦିନରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁବଳି ଭଳି ଘଟଣା ଘଟିଛି।

ଗୁଣିଗାରେଡ଼ି ସନ୍ଦେହରେ ଗାଁ ଦାଣ୍ଡରେ ବୁଲାଇ ମାଡ଼ ମାରିବା ସହ ବିଷ୍ଠା ଖୁଆଇଥିବା ନଜିର ରହିଛି। ନୂଆ ଥାନାଧିକାରୀ ଭାବେ ଆଲୋକ ବେହେରା ଯୋଗଦେବା ପରେ ସିନ୍ଧେକେଲା ଥାନାରେ ଏସ୍‌ଆଇ, ଏଏସ୍‌ଆଇ ଭଳି ଅଧିକାରୀଙ୍କ ସହ କର୍ମଚାରୀ ସଂଖ୍ୟା ବି ପୂର୍ବ ଅପେକ୍ଷା ବଢ଼ିଛି। ହେଲେ ଥାନାର ମୁଖ୍ୟ ଫାଟକ ଦିନରାତି ବନ୍ଦ ରଖାଯାଉଥିବାରୁ ଲୋକଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ହେଉଛି। ତେଣୁ ଥାନା ତରଫରୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଉ ଏବଂ ଥାନାର ମୁଖ୍ୟ ଫାଟକ ଖୋଲା ରଖାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର