ଚୋରଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଠେଙ୍ଗା ଧରି ଗାଁ ଜଗୁଛନ୍ତି ଗ୍ରାମବାସୀ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ୱ, ଅନନ୍ତାପଲ୍ଲୀ, ନୂଆପଲ୍ଳୀ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛନ୍ତି ଚୋର। ଅଧରାତିରେ ଚୋରମାନେ ଗ୍ରାମରେ ମନ୍ଦିର ଏବଂ ବିଭିନ୍ନ ଘରୁ ବାରମ୍ବାର ଚୋରି କରୁଥିବା ବେଳେ ପୁଲିସ ଏମାନଙ୍କୁ ଧରିବାରେ ଅକ୍ଷମ। ଚୋରକୁ ଧରିବା ପାଇଁ ଏବେ ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି। ରାତି ଅନିଦ୍ରା ରହି ଗାଁ ଲୋକେ ପାଳି କରି ହାତରେ ଠେଙ୍ଗା, ଟର୍ଚ୍ଚ ଲାଇଟ୍‌ ଧରି ଗାଁରେ ପଇଁତରା ମାରୁଛନ୍ତି। କିଛି ଲୋକ ଗ୍ରାମର ବିଭିନ୍ନ ଛକରେ ରାତିରେ ଜଗିରହୁଛନ୍ତି।

ସୂଚନା ମୁତାବକ, କିଛି ଦିନ ହେଲା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଚୋରି ହେଉଥିବା ନେଇ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଚୋର ଧରିବାରେ ବିଫଳ ହେବାରୁ ଗ୍ରାମବାସୀ ନିଜସ୍ବ ଭରସାରେ ଗାଁ ଜଗୁଛନ୍ତି। ଅନ୍ୟପଟେ ପୁଲିସ ରାତ୍ରିକାଳୀନ ପାଟ୍ରୋଲିଂ କରୁ ନଥିବାରୁ ଚୋରମାନେ ଅନାୟସରେ ଚୋରି କରୁଛନ୍ତି। ଚୋରଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଗ୍ରାମସଭାରେ ପାଳି କରି ଗ୍ରାମବାସୀ ଗାଁ ଜଗିବାକୁ ସ୍ଥିର କରାଯାଇଛି। ଚୋରଙ୍କୁ କାବୁ କରିବାକୁ ଏମିତି ଉପାୟ ଅବଲମ୍ବନ କରିଛନ୍ତି ଗ୍ରାମବାସୀ। ପୁଲିସ ଉପରୁ ଆଶା ଓ ଭରସା ତୁଟିବା ପରେ ଗାଁ’ର ସୁରକ୍ଷା ପାଇଁ ଗ୍ରାମବାସୀ ରାତି ଉଜାଗର ରହୁଛନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର