ଗାଁକୁ ନେତା ମନା: ଘରେ ଘରେ ଲାଗିଲା ପୋଷ୍ଟର

ରାସ୍ତା, ପାଣି ନାହିଁ ତ ଭୋଟ୍‌ ନାହିଁ

ପୁରୀ: ‘ରାସ୍ତା ନାହିଁ କି ପାଣି ନାହିଁ, ଭୋଟ୍‌ ମାଗୁଛ କାହିଁ ପାଇଁ…’। ଘରେ ଘରେ ଲାଗିଛି ଏଭଳି ପୋଷ୍ଟର। ପିଲାଠୁ ବୁଢ଼ା, ସମସ୍ତଙ୍କ ମୁହଁରେ ଗୋଟିଏ ନାରା, ଯଦି ଆମ ଗାଁ’କୁ ରାସ୍ତା କରିବେନି, ପାଣିର ସୁବିଧା ଦେବେନି, ତେବେ ଆମେ କୌଣସି ରାଜନେତାଙ୍କୁ ଗାଁ ମଡ଼ାଇ ଦେବୁନି। ଚଳିତ ନିର୍ବାଚନରେ ‌ବି କେହି ଭୋଟ୍‌ ଦେବୁନି।ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ କୃଷ୍ଣପ୍ରସାଦ ପଞ୍ଚାୟତ ଭେଟିପାଉରୀପଲ୍ଲୀ ଗାଁ’ରେ ଦେଖିବାକୁ ମିଳିଛି ଏହି ଚିତ୍ର। ସାଧାରଣ ନିର୍ବାଚନ ପୂର୍ବରୁ ଗାଁ’ ଲୋକଙ୍କ ଏଭଳି ମେଳି ଓ ନାରା ବିକାଶର ଅସଲ ଚେହେରାକୁ ପଦାରେ ପକାଇଥିବା ବେଳେ ରାଜନେତାଙ୍କ ପାଇଁ ସତର୍କଘଣ୍ଟି ସାଜିଛି।

ଜିଲ୍ଲା ସଦର ମହକୁମାଠାରୁ ଅଳ୍ପ ଦୂରରେ ଅବସ୍ଥିତ ଏହି ଗାଁକୁ ନାଁ ରାସ୍ତା ଅଛି, ନାଁ ପାଣିର ସୁବିଧା। ଅନ୍ୟ ଦିନ ଭିନ୍ନ କଥା ବର୍ଷା ଦିନରେ ଗାଁରୁ ବାହାରି ପାରୁନାହାନ୍ତି ଲୋକେ। କାଦୁଅ ପଚପଚ ରାସ୍ତାରେ ଯା’ଆସ କରିବାକୁ ପଡ଼ୁଛି। ଯଦି କାହାରି ଦେହ ଖରାପ ହେଲା, ଖଟିଆରେ ଗାଁରୁ ମୁଖ୍ୟ ରାସ୍ତାକୁ ବୁହା ହେଉଛନ୍ତି। ଗାଁର ରାଜେଶ ନାୟକ କହିଛନ୍ତି, ଭେଟି ବାଉରୀ ପଲ୍ଲୀରେ ୬୦ ପରିବାର ବସବାସ କରୁଛନ୍ତି। କିନ୍ତୁ ଭଲ ରାସ୍ତା ନଥିବାରୁ ଯା’ଆସରେ ଘୋର ଅସୁବିଧା ଭୋଗିବାକୁ ପଡ଼ୁଛି। ଗାଁରୁ ପ୍ରାୟ ୧ କିଲୋମିଟର ଚାଲି ଚାଲି ଗଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ପିଚୁ ରାସ୍ତା ପଡ଼ୁଛି। ବହୁଦିନରୁ ରାସ୍ତା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍‌ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ଆସିଛୁ, କିନ୍ତୁ କେହି ଶୁଣିବାକୁ ନାରାଜ। ବର୍ଷା ଦିନେ କୃଷ୍ଣପ୍ରସାଦ ବଜାରରେ ଆମ୍ବୁଲାନ୍ସ ଅବା ଭଡ଼ା ଗାଡ଼ି ରହୁଛି। ସମାନ ସ୍ଥିତି ପାନୀୟ ଜଳକୁ ନେଇ। ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିବା ପରେ ଗାଁରେ ବହୁ ବର୍ଷ ତଳେ ଏକ ଟ୍ୟୁବୱେଲ୍‌ ଖୋଳାଯାଇଥିଲା। କିନ୍ତୁ ଏଥିରୁ ଲୁଣି ପାଣି ବାହାରୁଛି। ସେପଟେ ଗାଁରେ ଯେଉଁଠି ଖୋଳିଲେ, ଲୁଣି ପାଣି ବାହାରୁଛି।

ପିଇବା ପାଣି ଆଣିବାକୁ ହେଲେ ପ୍ରାୟ ଦେଢ଼ରୁ ଦୁଇ କିଲୋମିଟର ଚାଲି ଚାଲି କୃଷ୍ଣପ୍ରସାଦ ବଜାରକୁ ଯିବାକୁ ପଡ଼ୁଛି। ଗାଁର ୬୦ ପରିବାର କୃଷ୍ଣପ୍ରସାଦ ବଜାରରୁ ପିଇବା ପାଣି ଆଣି ଚଳୁଛନ୍ତି। ଏଥିରେ ରୋଷେଇବାସ ବି ହେଉଛି। ଗତ ମାର୍ଚ୍ଚ ମାସରେ କୃଷ୍ଣପ୍ରସାଦ ବିଡିଓଙ୍କୁ ଗାଁ ଲୋକେ ଭେଟି ଲିଖିତ ଅଭିଯୋଗ କରିଥିଲେ। ରାସ୍ତା, ପିଇବା ପାଣିର ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। କିନ୍ତୁ ବ୍ଲକ୍‌ ପ୍ରଶାସନ ଅଦ୍ୟାବଧି କିଛି ବ୍ୟବସ୍ଥା କରିନି। ଏଣୁ ଏଥର ଗାଁର ସମସ୍ତ ଲୋକ ଭୋଟ୍‌ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୌଣସି ନେତାଙ୍କୁ ବି ଗାଁରେ ଭର୍ତ୍ତି କରାଇଦେବୁନି ବୋଲି ନିଷ୍ପତ୍ତି ନେଇଛନ୍ତି। ଯେଉଁଦିନ ଗାଁକୁ ରାସ୍ତା ହେବ, ଲୋକେ ବିଶୁଦ୍ଧ ପିଇବା ପାଣି ପାଇବେ, ସେହିଦିନ ରାଜନେତା ଗାଁ ମାଡ଼ିବେ। ଭୋଟ୍‌ ମାଗିବାକୁ ଆସିଲେ, ଗାଁରୁ ସମସ୍ତଙ୍କୁ ତଡ଼ିବୁ ବୋଲି ରାଜେଶଙ୍କ ସହ ମୀନା ନାୟକ, ଗୁରୁବାରୀ ପାହାଣ, ସୁଧୁରି ପାହାଣ, ପ୍ରଫୁଲ୍ଲ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର