ଧସୁଛି ମାଟି ଅତଡ଼ା, ନାଗାବଳୀ ନଦୀଗର୍ଭରେ ଲୀନ ହେବ ମାରିଗୁଡ଼ା ଗାଁ

ରାୟଗଡ଼ା : ଘର ଆଗରେ ‌ବୋହି ଯାଉଛି ନାଗାବଳୀ ନଦୀ। ସୁରକ୍ଷା ପାଚେରି ନଥିବା ଯୋଗୁ ମାଟି ଖାଇ ଚାଲିଛି। ତେଣୁ ବହୁବାର ଦାବି କରିବା ସତ୍ତ୍ବେ କୌଣସି ପ୍ରକାର ପଦକ୍ଷେପ ନେଲା ନାହିଁ ପ୍ରଶାସନ। ଯାହାଫଳରେ କିଛି ବର୍ଷ ତଳେ ଗୋଟିଏ କିଲୋମିଟର ଦୂରରେ ପ୍ରବାହିତ ହେଉଥିବା ନଦୀ ଏବେ ଗାଁଠୁ ମାତ୍ର ଶହେ ମିଟର ଦୂରରେ ରହିଛି। ନାଗାବଳୀର ଏଭଳି ଗତିପଥ ପରିବର୍ତ୍ତନ ଚିନ୍ତାକୁ ବଢ଼ାଇଥିବା ବେଳେ ଏବେ ଗାଁ ପଛପାର୍ଶ୍ୱରେ ମାଟି ଫାଟି ବାହାରୁଛି ପାଣି। ଝରଣା ସ୍ରୋତ ଠାରୁ ବି ଅଧିକ ଗତିରେ ପାଣି ବାହାରୁ ଥିବାରୁ ସ୍ରୋତରେ ମାଟି ଅତଡ଼ା ଧସୁଛି। ପରିଣାମ ସ୍ବରୂପ ପାଖାପାଖି ୫୦ଏକର ଜମିରେ ଫସଲ ନଷ୍ଟ ହେଲାଣି। ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ବେଳେ ଜଳସେଚନ ବିଭାଗ ବୈଷୟିକ ଟିମ୍‌ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି।

ମାରିଗୁଡ଼ା ଗାଁରେ ବସବାସ କରୁଛନ୍ତି ପ୍ରାୟ ୬୦ ପରିବାର। କିଛି ବର୍ଷ ହେଲା ନାଗାବଳୀ କୂଳ ଖାଇ ଚାଲିଥିବାରୁ ସୁରକ୍ଷା ପାଚେରି ନିର୍ମାଣ କରିବାକୁ ଗ୍ରାମବାସୀ ଚଳିତ ବର୍ଷ ଫେବ୍ରୁଆରି ମାସରେ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଅବଗତ କରିଥିଲେ। ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଗ୍ରାମବାସୀଙ୍କ ସହ ଆଲୋଚନା କରି ସୁରକ୍ଷା ପାଚେରି ନିର୍ମାଣ ଲାଗି ୯୦ଲକ୍ଷ ମଞ୍ଜୁର ହୋଇଥିବା ଏବଂ ଟେଣ୍ଡର ସରିଥିବାରୁ କାମ ଆରମ୍ଭ ହେବ ବୋଲି କହିଥିଲେ। କିନ୍ତୁ ଆଜି ସୁଦ୍ଧା କାମ ଆରମ୍ଭ ହୋଇପାରିନି।

ଅନ୍ୟପଟେ ଗାଁ ପଛରେ ସୃଷ୍ଟି ହୋଇଥିବା ଝର ଗାଁ ପାଇଁ ବିପଦ ପାଲଟିଛି। ମାଟି ଫାଟି ତଳୁ ପାଣି ବାହାରିବା ପରେ ନାଗାବଳୀ ନଦୀରେ ମିଶିଛି। ଝର ପାଣି ଯେଉଁ ଅଞ୍ଚଳ ଦେଇ ଆସୁଛି ସେହି ଅଞ୍ଚଳରେ ଥିବା ସବୁ ଚାଷ ଜମିର ମାଟି ଅତଡ଼ା ଖସୁଥିବାରୁ ଫସଲ ନଷ୍ଟ ହେଉଛି। ୫୦ଏକର ଜମିରେ ହୋଇଥିବା ଫସଲ ନଷ୍ଟ ହେବା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ନଦୀ ଓ ଝର ପାଇଁ ପ୍ରଥମେ ଗାଁ, ଏହାପରେ ଫସଲ ନଷ୍ଟ ହେବାକୁ ବସିଛି। ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସୁରକ୍ଷା ପାଚେରି ନିର୍ମାଣ କରିବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ବନ୍ୟା ନିୟନ୍ତ୍ରଣ ଓ କୂଳ ଲଂଘିବା ରୋକିବାକୁ ନାଗାବଳୀ ତଳମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରିବାକୁ ସରକାର କୋଟି କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। କିନ୍ତୁ ପ୍ରସ୍ତାବିତ ପ୍ରକଳ୍ପର ଫାଇଲ ଜଳସେଚନ ବିଭାଗରେ ପଡି ରହିବା ଛଡ଼ା ଅନ୍ୟ କିଛି ସୁଫଳ ମିଳିପାରିନି। ଉଚ୍ଚସ୍ତରୀୟ କମିଟି ପ୍ରକଳ୍ପକୁ ଅନୁମୋଦନ କରିଥିଲେ ମଧ୍ୟ କାହିଁକି ନିର୍ମାଣ କାମ ଆରମ୍ଭ ହୋଇପାରୁନି ତାହା ଅସନ୍ତୋଷକୁ ବଢ଼ାଇଲାଣି। ଆଜି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଜଳସେଚନ ବିଭାଗ ଅଧିକାରୀ ମଧ୍ୟ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର