୪ ବର୍ଷ ହେବ ଗାଁରୁ ବାସନ୍ଦ ରଖି ନିର୍ଯାତନା, ନିଆଁ-ପାଣି ବନ୍ଦ ପାଇଁ ଗାଁ ସଭାପତିଙ୍କ ହ୍ବିପ୍‌

ଓଡ଼ଗାଁ : ଆଜି ବି ଗାଁରେ କଙ୍ଗାରୁକୋର୍ଟ ବସି ଲୋକଙ୍କୁ ଅର୍ଥ ଦଣ୍ତରେ ଦଣ୍ତିତ କରାଯାଉଛି। ଏହାକୁ ଯିଏ ବିରୋଧ କରିବ ତାକୁ ଗାଁରୁ ବାସନ୍ଦ ରହିବାକୁ ପଡ଼ୁଛି। ବାସନ୍ଦ ପରିବାର ପୁଲିସ ପାଖରେ ଗୁହାରି କଲେ ମଧ୍ୟ କିଛି ଲାଭ ମିଳୁନି। ଗାଁ ଚାପରେ ପୁଲିସ ମାମଲା ରୁଜୁ କରିବା ତ ଦୂରର କଥା ଘଟଣାରେ ମୁଣ୍ତ ପୂରାଉନି। ଏମିତି ଏକ ଘଟଣା ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ଦରପଦା ଗ୍ରାମରେ ଦେଖିବାକୁ ମିଳିଛି। ଦୀର୍ଘ ୪ବର୍ଷ ଧରି ଗାଁରୁ ବାସନ୍ଦ ଥିଲେ ମଧ୍ୟ ପୁଲିସ କର୍ଣ୍ଣପାତ ନ କରିବାରୁ ଏବେ ପୀଡ଼ିତ ଜଣକ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଦରପଦା ଗ୍ରାମର ରବି ଦାଶଙ୍କ ପରିବାରରେ ଦୁଇ ଭାଇଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଦେଖା ଦେଇଥିଲା। ଘଟଣା ଯାଇ ଗାଁରେ ପହଞ୍ଚିବା ପରେ ଦୁଇଭାଇ ରବି ଦାଶ ଏବଂ ହରି ଦାଶଙ୍କୁ ବୈଠକକୁ ଡାକି ବିଚାର କରାଗଲା। କିନ୍ତୁ ରବି ଦାଶ ଏଥିରେ ଅସନ୍ତୋଷ ପ୍ରକାଶ କରିବାରୁ ତାଙ୍କୁ ପ୍ରଥମେ ଅର୍ଥ ଦଣ୍ତରେ ଦଣ୍ତିତ କରାଗଲା। ଏକକାଳୀନ ୧ ଲକ୍ଷ ଟଙ୍କା ଦଣ୍ତ ଆକାରରେ ଦେବାକୁ ଗାଁ ସଭାପତି ପଞ୍ଚାନନ ଡାକୁଆ ହ୍ବିପ୍‌ ଜାରି କଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।। ରବି ଦାଶ ଅର୍ଥ ନ ଦେବାରୁ ତାଙ୍କୁ ଗାଁରୁ ବାସନ୍ଦ କରାଯାଇଛି। ଗାଁ ନିଷ୍ପତ୍ତି ଅନୁଯାୟୀ, ତାଙ୍କୁ ନିଆଁ, ପାଣି, ଦୋକାନ, ବଜାର ବନ୍ଦ କରି ଦିଆଯାଇଛି। ଏମିତିକି ଯିଏ କଥା ହେବ କିମ୍ବା ସାହାଯ୍ୟ କରିବ ତାକୁ ଅର୍ଥଦଣ୍ତରେ ଦଣ୍ତିତ କରାଯିବ ବୋଲି ଗାଁ ସଭାପତି ଚେତାବନୀ ଦେଇଛନ୍ତି।

ଗାଁରୁ ବାସନ୍ଦ ରହିବା ପରେ ରବି ଦାଶ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ସେଥିରେ ହସ୍ତକ୍ଷେପ କରିନଥିଲା। ଏହା ପରେ ରବି ଦାଶ ଜମିରେ ଫସଲ କରିବା ପରେ ତାଙ୍କୁ ସେହି ଜମିକୁ ଯିବାକୁ ବାରଣ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଟ୍ରାକ୍ଟର ଲଗାଇ ଫସଲ ଉଜାଡ଼ି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହା ପରେ ସେ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଥିବା ସମୟରେ ସଭାପତି ପଞ୍ଚାନନ ଡାକୁଆ ତାଙ୍କୁ ଗାଳିଗୁଲଜ କରି ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ଗତ ୨୮ ତାରିଖ ଦିନ ଏଭଳି ଘଟଣା ଘଟିଥିଲେ ମଧ୍ୟ ପୁଲିସ ଏହି ଘଟଣାରେ ମୁଣ୍ତ ପୂରେଇନି। ବାରମ୍ବାର ଥାନାକୁ ନ୍ୟାୟ ପାଇଁ ଧାଇଁ ନିରାଶ ହେବା ପରେ ଏବେ ସେ କୋର୍ଟର ଆଶ୍ରୟ ନେଇଛନ୍ତି। ରବି ଦାଶଙ୍କ ପରିବାର ୪ ବର୍ଷ ହେବ ଗାଁରୁ ବାସନ୍ଦ ରହି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହିପରି ଦରପଦା ଗ୍ରାମର ଶ୍ୟାମବନ୍ଧୁ ପାତ୍ରଙ୍କ ପୁଅ ସୁରେଶ ଚନ୍ଦ୍ର ପାତ୍ରଙ୍କ କ୍ଷେତ୍ରରେ ସମାନ ଘଟଣା ଦେଖିବାକୁ ମିଳିଛି। ଜମିବାଡ଼ି ବିବାଦରେ ସୁରେଶଙ୍କୁ ଗାଁରୁ ବାସନ୍ଦ ହେବାକୁ ପଡ଼ିଛି। ଜମିବାଡ଼ି ଭାଗବଣ୍ଟା ନେଇ ବିବାଦ ଉପୁଜିବା ପରେ କଙ୍ଗାରୁକୋର୍ଟର ଆଶ୍ରୟ ନିଆଯାଇଥିଲା। ଗାଁ ସଭାପତି ସୁରେଶ ପାତ୍ରଙ୍କୁ ଅର୍ଥ ଦଣ୍ତ କରିବା ପରେ ତାଙ୍କୁ ଦୁଇବର୍ଷ ହେବ ଗାଁରୁ ବାସନ୍ଦ କରି ରଖିଥିବା କହିଛନ୍ତି। ତାଙ୍କୁ ମଧ୍ୟ ଗାଁରୁ ନିଆଁ, ପାଣି ବନ୍ଦ କରାଯାଇଛି। ସେ ଶରଣକୁଳ ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭିଯୋଗ ରଖିନଥିବା ସେ କହିଛନ୍ତି। ଗାଁ ଲୋକେ କଙ୍ଗାରୁକୋର୍ଟର ଶିକାର ହେଉଥିଲେ ମଧ୍ୟ ପୁଲିସ ଜାଣିଶୁଣି ଏହାକୁ ପ୍ରଶ୍ରୟ ଦେଉଥିବା କିଛି ବୁଦ୍ଧିଜୀବୀ କହିଛନ୍ତି। କିଛି କୁଜିନେତା, ଟାଉଟର୍‌ଙ୍କ ଚାପରେ ପୁଲିସ ଚୁପ୍ ରହିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କହିଛନ୍ତି।

ସମ୍ବନ୍ଧିତ ଖବର