ବେଆଇନ ବାଲିଘାଟ ବନ୍ଦ କଲେ ଗାଁ ଯୁବକ

ବ୍ରହ୍ମବରଦା: ରସଲପୁର ବ୍ଲକ ମହେଶ୍ବରପୁର ପଞ୍ଚାୟତରେ ବେଆଇନ ଭାବେ ଚାଲିଥିବା ଚାନ୍ଦପୁର ବାଲିଘାଟକୁ ଆଜି କୋଠିଡିହ ଗ୍ରାମବାସୀ ବନ୍ଦ କରିଛନ୍ତି। ବାଲି ପାଇଁ ବନ୍ଧବାଡ଼ ସବୁ ତାଡ଼ି ନେଉଥିବାରୁ ବନ୍ୟା ସମୟରେ ନଦୀବନ୍ଧରେ ଘାଇ ସୃଷ୍ଟି ହେଉଛି। ଫଳରେ ଲୋକମାନେ ଅସୁବିଧାରେ ପଡୁଛନ୍ତି। ଏନେଇ ଆଜି ଧର୍ମଶାଳା ବ୍ଲକ କୋଠିଡିହ ଗ୍ରାମର ଯୁବଗୋଷ୍ଠୀ ତାତିବା ସହ ବାଲି ଉତ୍ତୋଳନକୁ ବନ୍ଧ କରିଥିଲେ।

ମହେଶ୍ବରପୁର ପଞ୍ଚାୟତ ବ୍ରାହ୍ମଣୀ ନଦୀର ୧୦ ଏକର ପରିମିତ ଚାନ୍ଦପୁର ଘାଟକୁ ସରକାରୀ ଭାବେ ୨୦୧୯ ରେ ୧୨ ଲକ୍ଷ ଟଙ୍କାରେ ଲିଜ୍‌  ଦିଆଯାଇଥିଲା। ୧୦ ଏକର ଜାଗାରୁ ବାଲି ଉଠାଇବାକୁ ଅନୁମତି ଥିବାବେଳେ ଲିଜ୍‌ଧାରୀ ଧର୍ମଶାଳା ଅଞ୍ଚଳର ୧୫ ଏକରରୁ ଅଧିକ ଜାଗାରୁ ବେଆଇନ ଭାବେ ବାଲି ଉଠାଇ ଚାଲିଥିଲେ। ବାଲି ଗାଡ଼ି ଗୁଡ଼ିକ ଚଳାଚଳ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସ୍ବତନ୍ତ୍ର ରୁଟ ଦିଆଯାଇଥିଲେ ହେଁ ତାକୁ କେହି ମାନୁ ନାହାନ୍ତି। ଲିଜଧାରୀ ମନମାନି କରି ଲୋକମାନଙ୍କ ଚାଷଜମିରେ ଶହଶହ ଭାରୀଯାନରେ ବାଲି ପରିବହନ କରୁଛନ୍ତି। ଫଳରେ ଚାଷଜମି ନଷ୍ଟ ହୋଇଯାଉଛି। ଚାଷକାମ ବାଧାପ୍ରାପ୍ତ ହେଉଛି। ଏନେଇ ବାରମ୍ବାର ବିରୋଧ କରିଥିଲେ ମଧ୍ୟ ପ୍ରଶାସନ କି ଲିଜ୍‌ଧାରୀ କେହି ଶୁଣୁ ନାହାନ୍ତି। ବାର୍ଷିକ ନବୀକରଣ ଠିକ ସମୟରେ ନ କରି ମାସମାସ ଧରି ବେଆଇନ ଭାବେ ବାଲି ଉଠା ହେଉଛି।

ବରୀ ଅଞ୍ଚଳର ୱାଇ ଫର୍ମକୁ ଏହି ଘାଟରେ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ସେହିପରି ବ୍ରହ୍ମବରଦା ଓ କାକୁଡ଼ିକୁଦ ଅନ୍ୟ ଦୁଇଟି ଘାଟରେ ଅନିୟମିତତା ହେଉଥିବାରୁ ଜିଲ୍ଲା ରାଜସ୍ବ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର