ବାଉଁଶ ପୋଲକୁ ଭରସା କରିଛନ୍ତି ଗ୍ରାମବାସୀ

ସ୍କୁଲ ପିଲାଙ୍କୁ ହାତ ଧରି ପାର କରାଉଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ

ତିହିଡ଼ି: ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କେଉଁଠି ନଦୀବନ୍ଧର ସୁଦୃଢ଼ୀକରଣ ତ କେଉଁଠି ନଦୀରେ ସ୍ଥାୟୀ ପକ୍କା ପୋଲ ନିର୍ମାଣ କରୁଛନ୍ତି। ମାତ୍ର ତିହିଡ଼ି ବ୍ଲକ କାଁପଡ଼ା ପଞ୍ଚାୟତ ଅଧୀନ ଦକ୍ଷିଣପାରି ଗ୍ରାମବାସୀଙ୍କ ପାଇଁ ପକ୍କା ପୋଲ ସ୍ବପ୍ନ ହୋଇଛି। ପକ୍କା ପୋଲ ନ ଥିବାରୁ ଲୋକେ ବାଉଁଶ ପୋଲକୁ ଭରସା କରିଛନ୍ତି।

ଦକ୍ଷିଣପାରି ଗ୍ରାମ ନିକଟରେ ଯାଇଥିବା ସାଳନ୍ଦୀ ନଦୀ ଗ୍ରାମବାସୀଙ୍କ ପାଇଁ ଦୁଃଖ ପାଲଟିଛି। ସାଳନ୍ଦୀ ନଦୀ ଦକ୍ଷିଣପାରି ଗ୍ରାମ ବିକାଶ‌େର ପ୍ରତିବନ୍ଧକ ସାଜିଛି। ଦୀର୍ଘ ତିନି ଦଶନ୍ଧି ଧରି ଗ୍ରାମବାସୀମାନେ ପୋଲ ନିର୍ମାଣ କରିବାକୁ ଦାବି କରି ବିଫଳ ହେବା ପରେ ବାଉଁଶପୋଲ ନିର୍ମାଣ କରି ଯିବାଆସିବା କରୁଛନ୍ତି। ଏପରିକି ଜୀବନକୁ ବିପନ୍ନ କରି ଗ୍ରାମର ଛାତ୍ରଛାତ୍ରୀ ଓ ଅଙ୍ଗନବାଡିର ପିଲାମାନେ ବାଉଁଶ ପୋଲ ଦେଇ ପ୍ରତିଦିନ ଯାତାୟତ କରୁଛନ୍ତି। ଅନେକ ସମୟରେ ଛାତ୍ରଛାତ୍ରୀ ବାଉଁଶ ଚାରାରୁ ଖସିପଡ଼ି ସାଳନ୍ଦୀ ନଦୀରେ ଭାସିଯାଉଥିବା ବେଳେ ଗ୍ରାମବାସୀ ଉଦ୍ଧାର କରିଛନ୍ତି।

ଏହି ବାଉଁଶ ପୋଲଟି ପ୍ରତିବର୍ଷ ବନ୍ୟାରେ ଭାସିଯାଇଥାଏ। ଫଳରେ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ପିଲାମାନଙ୍କର ପାଠପଢ଼ା ଠପ୍ ହୋଇଯାଇଥାଏ। ଦକ୍ଷିଣପାରି ରାଜସ୍ବ ଗ୍ରାମଟି ୪ଟି ୱାର୍ଡ଼କୁ ନେଇ ଗଠିତ ହୋଇଥିବା ବେଳେ ପାଖାପାଖି ୪ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏହି ଗ୍ରାମରେ ବିଶେଷ ଭାବେ ଅନୁସୂଚିତ ଜାତି ବର୍ଗର ଲୋକେ ବାସ କରନ୍ତି। ଗ୍ରାମକୁ ସାଳନ୍ଦୀ ନଦୀର ସ୍ଥାୟୀ ପକ୍କା ପୋଲଟିଏ ନ ଥିବାରୁ ସରକାରଙ୍କର ବିଭିନ୍ନ ଯୋଜନା ଏଠାରେ ପହଞ୍ଚି ପାରୁନାହିଁ। ଗ୍ରାମର କୌଣସି ସମୟରେ ଅଗ୍ନିକାଣ୍ଡ ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ପୋଲ ନଥିବାରୁ ଦମକଳ ଓ ଆମ୍ବୁଲାନ୍ସ ଗାଡ଼ିଟିଏ ପହଞ୍ଚି ପାରୁନାହିଁ। ଗ୍ରାମରେ କେହି ପକ୍କାଘରଟିଏ ନିର୍ମାଣ କଲେ ବହୁ ଖର୍ଚ୍ଚାନ୍ତ ହୋଇ ଘର ତିଆରି ସାମଗ୍ରୀ ନେଇଥାନ୍ତି। ପଣାସଂକ୍ରାନ୍ତିିରେ ବାସୁଳୀ ପଡ଼ିଆରେ ଯାତ୍ରା ଲାଗିଥାଏ। ଏହି ଯାତ୍ରକୁ ବାରଣାକୂଳ, ଦପା, ଈଶ୍ୱରପୁର, ସାପକାତିଆ, ଈଶାଣପୁର ଆଦି ଅଞ୍ଚଳର ଲୋକମାନେ ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ସାଳନ୍ଦୀ ନଦୀରେ ସ୍ଥାୟୀ ପକ୍କାପୋଲଟିଏ ନିର୍ମାଣ କରିବା ପାଇଁ ଦୀର୍ଘଦିନ ହେବ ଦାବି କରାଯାଇ ଅାସୁଥିଲେ ମଧ୍ୟ ସେଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି।

କାଁପଡ଼ା ପ୍ରାଥମିକ ସ୍କୁଲର ଶିକ୍ଷକ ଅଶୋକ ଦାସ କହନ୍ତି ପ୍ରତିଦିନ ପିଲାମାନେ ବାଉଁଶ ପୋଲରେ ଆସୁଥିବାରୁ  ଆମେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରତିଦିନ ବାଉଁଶ ପୋଲ ପାରି କରାଉଛୁ। ସାଳନ୍ଦୀ ନଦୀରେ ତୁରନ୍ତ ପକ୍କାପୋଲ ନିର୍ମାଣ ପାଇଁ ଭଦ୍ରକ ସାଳନ୍ଦୀ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବାକୁ ସରପଞ୍ଚ କୁନ୍ତଳା ମଳିକ ଦାବି କରିଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ଦାସ, ଗ୍ରାମ କମିଟି ସଭାପତି ବିଦ୍ୟାଧର ଦାସ, ରଂଜିତ ଦାସ, ବାସୁଦେବ ଦାସ, ପ୍ରଫୁଲ ମଳିକ, କପିଳ ଦାସ, ଅନୁଶରଣ ଦାସ, ନାରାୟଣ ଚନ୍ଦ୍ର ଦାସ, ରଂଜନ ଦାସ, ଦାଶରଥୀ ଦାସ, ୱାର୍ଡ଼ସଦସ୍ୟ ଅନୁକୂଳ ଦାସ, ଦୟାନିଧି ଦାସ ପ୍ରମୁଖଙ୍କ ସହିତ ଶତାଧିକ ଗ୍ରାମବାସୀ ମଧ୍ୟ ଭଦ୍ରକ ସାଳନ୍ଦୀ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପକ୍କାପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି।

ଏ ସମ୍ପର୍କରେ ଅଧୀକ୍ଷଣ ଯନ୍ତ୍ରୀ ଚିତ୍ତରଂଜନ ଭୂ୍ୟାଁଙ୍କୁ ପଚାରିବାରୁ ସେ କହନ୍ତି ସ୍ଥାୟୀ ପକ୍କାପୋଲ ନିର୍ମାଣ ପାଇଁ ଯୋଜନା କରାଯାଉଛି। ସାଳନ୍ଦୀ ଭଦ୍ରକ ଡିଭିଜନ କନିଷ୍ଠଯନ୍ତ୍ରୀ ସତ୍ୟସୁନ୍ଦର ମଣ୍ଡଳ କହନ୍ତି ଖୁବ୍‌ଶୀଘ୍ର ଏହାର ତଦନ୍ତ କରାଯାଇ ସ୍ଥାୟୀ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

ସମ୍ବନ୍ଧିତ ଖବର