ହାତୀଙ୍କୁ ଦିଆହେବ ଚେଙ୍କ! ନିଆଁ ​ତେଣ୍ଟା ପ୍ରସ୍ତୁତ କଲେଣି ଗ୍ରାମବାସୀ

କୁତ୍ରା (ସୁନ୍ଦରଗଡ଼) : ବଡ଼ଗାଁ ବନାଞ୍ଚଳର କୁତ୍ରା ବ୍ଲକ୍‌ରେ ବର୍ଷ ବର୍ଷ ଧରି ହାତୀପଲଙ୍କ ଉତ୍ପାତରେ ଗ୍ରାମବାସୀ ଅତିଷ୍ଠ। ହାତୀଙ୍କ ଉପଦ୍ରବରେ ଜୀବନଜୀବିକା ଉଜୁଡ଼ି ଯାଉଛି। ପ୍ରତିବର୍ଷ ହାତୀପଲ ଏହି ଅଞ୍ଚଳରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଧାନ ଅମଳ ସମୟରେ ହାତୀଙ୍କ ଦ୍ବାରା ଫସଲ ନଷ୍ଟହେବା ଏକ ନିୟମିତ ଧାରାରେ ପଡ଼ିଗଲାଣି। ହାତୀ ଘଉଡ଼ାଇବା ପାଇଁ ବନବିଭାଗର ଅପାରଗତା ଯୋଗୁ ଗ୍ରାମବାସୀ ନିଜସ୍ବ ଉପାୟରେ ନିଆଁହୁଳା ଯୁକ୍ତ ତେଣ୍ଟା ଦ୍ବାରା ହାତୀ ଘଉଡ଼ାଇବାକୁ ପ୍ରୟାସ କରୁଥିବା ଦେଖାଯାଇଛି। ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଗ୍ରାମବାସୀ ଏଥିପାଇଁ ପ୍ରସ୍ତୁତ ହୋଇଗଲେଣି। ତେବେ ଏ ନେଇ ବନବିଭାଗ କେତେ ସଜାଗ ଅଛି ତାହାକୁ ନେଇ ଉଠିଛି ବିରାଟ ପ୍ରଶ୍ନ। ବିଗତ ବର୍ଷମାନଙ୍କରେ ବନବିଭାଗ ନିରବଦ୍ରଷ୍ଟା ସାଜିଥିବାବେଳେ ଚଳିତବର୍ଷ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି।

କିଛିବର୍ଷ ହେବ କୁତ୍ରା ବ୍ଲକ୍‌ର ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗ୍ରାମରେ ବର୍ଷସାରା ନିୟମିତ ବ୍ୟବଧାନରେ ହାତୀପଲ ଆସି ଏକର ଏକର ଧାନଫସଲ ନଷ୍ଟ କରିବାସହ ଅନେକ ଘର ମଧ୍ୟ ଭାଙ୍ଗି ଚାଲିଛନ୍ତି। ଅନେକ ସମୟରେ ଲୋକଙ୍କ ଜୀବନ ମଧ୍ୟ ନେଉଛନ୍ତି। ହାତୀ ଘଉଡ଼ାଇବାରେ ବନବିଭାଗ ସଂପୂର୍ଣ୍ଣ ବିଫଳହୋଇ ହାତୀଙ୍କ ନିକଟରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଦେଇଛି। ତେଣୁ ଲୋକେ ହାତୀ ଘଉଡ଼ାଇବାକୁ ଭିନ୍ନପନ୍ଥା ଆପଣାଇବା ପାଇଁ ବାଧ୍ୟ ହୋଉଛନ୍ତି। ହାତୀ ଆତଙ୍କରେ ଅତିଷ୍ଠ ଗ୍ରାମବାସୀ ତତଲାଲୁହା ଓ ନିଆଁହୁଳା ସାହାଯ୍ୟରେ ହାତୀଙ୍କୁ ଘଉଡ଼ାଉଥିବା ଦେଖିବାକୁ ମିଳୁଛି। ଅଗରେ ନିଆଁହୁଳା ବନ୍ଧା ହୋଇଥିବା ଏହି ତେଣ୍ଟାଗୁଡ଼ିକୁ ଲୋକେ ହାତୀ ଉପରକୁ ଫିଙ୍ଗନ୍ତି। ହାତୀ ନିଆଁଚେଙ୍କ ଖାଇ ପଳାଏ। ତେବେ ବେଳେ ବେଳେ ତାହା ହାତୀର ଦେହରେ ତେଣ୍ଟା ଗଳିଯାଏ, ହାତୀ ଦୌଡ଼ି ପଳାଏ। ହୁ-ହୁ ହୋଇ ଜଳୁଥିବା ତେଣ୍ଟା ବେଶ୍ କିଛି ସମୟ ତା ଦେହରେ ଲାଖିରହିବା ଫଳରେ ସେହି ସ୍ଥାନଟି ପୋଡ଼ିଯାଏ। ପରେ ତାହା ଘାଆ ଓ ତା ପରେ ପୋକ ହୋଇଯିବାର ଆଶଙ୍କା ରହେ। ଦୁଇବର୍ଷ ତଳେ ଲହି ଖବର ‘ସମ୍ବାଦରେ ପ୍ରକାଶିତ ହୋଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ଚଳିତ ବର୍ଷ ପୁଣିଥରେ ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ହାତୀ ଘଉଡ଼ାଇବା ପାଇଁ ଲୋକେ ଲୁହା ଓ ନିଆଁ ତେଣ୍ଟା ପ୍ରସ୍ତୁତ କରି ରଖୁଥିବା ଦେଖିବାକୁ ମିଳିଛି। ବନବିଭାଗ ତୁରନ୍ତ ଏ ଦିଗରେ ଦୃଷ୍ଟିଦେବା ସହ ହାତୀ ଘଉଡ଼ାଇବା ବ୍ୟବସ୍ଥା କରିବାକୁ ଦାବିହେଉଛି।

ସମ୍ବନ୍ଧିତ ଖବର