ଆନନ୍ଦପୁର : ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ଆନନ୍ଦପୁର ବ୍ଲକ୍‌ର ଆଦିବାସୀବହୁଳ ସିଙ୍ଗନାଳିଠାରେ ବୈତରଣୀ ନଦୀରେ କେନ୍ଦୁଝର ଜିଲ୍ଲାର ପ୍ରଥମ ଜଳବିଦ୍ୟୁତ୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। ତେବେ, ଏହିସ୍ଥାନକୁ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇ ପାରିଲାନି। ବାରମ୍ବାର ନେହୁରା ହେବାପରେ ବିଫଳ ହେବାରୁ ଦରଗୁଡ଼ିଶିଳା ଗ୍ରାମର ଲୋକମାନେ ଶ୍ରମଦାନ କରି ରାସ୍ତା ନିର୍ମାଣ କରିଛନ୍ତି।

Advertisment

ବୁଢ଼ୀକୁଦ ପଞ୍ଚାୟତର ସିଙ୍ଗନାଳିଠାରେ ୩୦୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ଜଳବିଦ୍ୟୁତ୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। ଏହାଛଡ଼ା ନିକଟରେ ପ୍ରାକୃତିକ ପରିବେଶରେ ଦରଗୁଡ଼ିଶିଳା ପର୍ଯ୍ୟଟନସ୍ଥଳୀ ରହିଛି। ଆଜିପର୍ଯ୍ୟନ୍ତ ଏଠାରେ ରାସ୍ତା ନିର୍ମାଣ କରାଯାଇପାରି ନାହିଁ। ଜଙ୍ଗଲ ବିଭାଗର ଅନୁମତି ମିଳୁ ନଥିବାରୁ ରାସ୍ତା ନିର୍ମାଣ ସମ୍ଭବ ହୋଇପାରୁନାହିଁ। ଗତ ୮ବର୍ଷହେଲା ଏଠାରେ ରାସ୍ତା ନିର୍ମାଣ ପାଇଁ ଅନୁମତି ଫାଇଲ୍‌ ଜଙ୍ଗଲ ବିଭାଗ ନିକଟରେ ଅଟକି ରହିଛି।

କୋଳିମାଟି ପଞ୍ଚାୟତର କାଦବାହାଳିଠାରୁ ଦରଗୁଡ଼ିଶିଳା ପର୍ଯ୍ୟନ୍ତ ୪କିମି ରାସ୍ତାର ଦୁରବସ୍ଥା ସମ୍ପର୍କରେ ପ୍ରଥମେ ୨୦୧୪ରେ ଖବର ପ୍ରକାଶ ପାଇବାପରେ ତତ୍କାଳୀନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରାଯିବାକୁ ଟେଣ୍ଡର କରାଯାଇଥିଲା। ନିର୍ମାଣ ଆରମ୍ଭ ହେବାବେଳକୁ ଜଙ୍ଗଲ ବିଭାଗର ବିରୋଧ ଯୋଗୁ ‌ନିର୍ମାଣ ସମ୍ଭବ ହୋଇ ନଥିଲା। ପରେ ଏହି ଟେଣ୍ଡର ବାତିଲ୍‌ ହୋଇଯାଇଥିଲା। ବାରମ୍ବାର ଦାବିପରେ ମଧ୍ୟ ରାସ୍ତା ନିର୍ମାଣ ହେଉ ନଥିବାରୁ ଲୋକମାନଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା। ରାସ୍ତାରେ ବଡ଼ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ଅନେକ ସମୟରେ ଯାଇଥିବା ପର୍ଯ୍ୟଟକଙ୍କ ଗାଡ଼ି ମଧ୍ୟ ଅଟକି ରହୁଥିଲା।

ଶେ‌ଷରେ, ଦରଗୁଡ଼ିଶିଳା ଗ୍ରାମର ଜନସାଧାରଣ ରାସ୍ତା ନିର୍ମାଣ କରିଛନ୍ତି। ଗ୍ରାମର ଘନ ନାଇକ, ଯୁଧିଷ୍ଠିର ନାଇକ, ଗୟା ନାଇକ, କାନ୍ଦୋ ନାଇକ, କୁଳମଣି ନାଇକ, ଉମାକାନ୍ତ ନାୟକ, ଧୀର ନାଇକ, ବିଶିଆ ନାଇକଙ୍କ ନେତୃତ୍ବରେ ୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ କୋଡ଼ିକୋଦାଳ ଧରି ରାସ୍ତା ନିର୍ମାଣ କରିଛନ୍ତି। ଖାଲଥିବା ସ୍ଥାନ ଗୁଡିକରେ ମାଟି ପକାଇ ସମାନ କରିଛନ୍ତି। ଗ୍ରାମବାସୀଙ୍କ ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।