୪ ବିଦ୍ୟୁତ୍‌ ତାର ଚୋରଙ୍କ କାବୁ କଲେ ଗ୍ରାମବାସୀ

ଧର୍ମଶାଳା : ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ଶଗଡ଼ିଆ ପୋଲ ନିକଟରେ ବିଦ୍ୟୁତ୍ ତାର ଚୋରି କରୁଥିବା ୪ ଜଣ ଚୋରଙ୍କୁ ଗୁଣ୍ତିଲୋ ଗ୍ରାମବାସୀ ଗତ ଶୁକ୍ରବାର ବିଳମ୍ବିତ ରାତିରେ କାବୁ କରିଥିଲେ। ଖବରପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ଼ଚଣା ଥାନା ଧାନମଣ୍ତଳ ଦେବତାସାହିର ଦୀପକ ଦାସ(୨୫), ରାଜକିଶୋର ସ୍ବାଇଁ(୩୨), ସୁଙ୍ଗୁଡ଼ା ଗ୍ରାମର ଅୟସଉଦ୍ଦିନ୍ ଖାଁ(୩୮) ଓ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଚାପଲି ଗାଁର ସେକ୍ ଭାନୁ(୬୦)କୁ ଗିରଫ କରିଥିଲା।

ଏଥିସହ ସେମାନଙ୍କ ନିକଟରୁ ବିଦ୍ୟୁତ୍ ତାର ଓ ବ୍ୟବହୃତ ଏକ ଅଟୋ(ଓଆର୍-୦୫ଏଫ୍-୫୪୮୭)କୁ ପୁଲିସ୍‌ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କୁ ଆଜି ଚଣ୍ତିଖୋଲ କୋର୍ଟଚାଲାଣ କରାଯାଇଛି। ପ୍ରକାଶ ଯେ, ବାଉଁଶଥଳିଆ ମୌଜାରେ ଥିବା ଚାଷଜମିକୁ ଜଳସେଚନ ପାଇଁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ଗୁଣ୍ତିଲୋ ଗାଁ ନିକଟରୁ ୧୦ଟି ଖୁଣ୍ଟ ପକାଯିବା ସହିତ ଟ୍ରାନ୍ସଫର୍ମର ବସାଯାଇଛି। ଗତ ୧୫ ତାରିଖ ରାତିରେ ଚୋରମାନେ ଏଠାରୁ କିଛି ତାର କାଟି ନେଇଥିଲେ। ଏହା ଜଣାପଡ଼ିବା ପରେ ଗାଁ ଲୋକେ ଚୋର ଧରିବା ପାଇଁ ଜଗିଥିଲେ। ଗତକାଲି ରାତି ପ୍ରାୟ ୧୧ଟାରେ ପୁଣି ଏହି ଚୋରଦଳ ତାର ଚୋରି କରିବାକୁ ଆସିଥିଲେ। ପୂର୍ବରୁ ଜଗିଥିବା ଗାଁ ଲୋକେ ସେମାନଙ୍କୁ କାବୁ କରିନେଇଥିଲେ। ତାର ଚୋରି ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଉକ୍ତ ଟ୍ରାନ୍ସଫର୍ମରକୁ ଏଠାରୁ ଉଠାଇ ନିଆଯାଇଛି। ପୁଲିସ୍‌ ୬୨୫/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର