ବ୍ୟବଚ୍ଛେଦ ହୋଇଥିବା ଶବକୁ ଛୁଇଁଲେନି ଗ୍ରାମବାସୀ  

ନିଜେ ଶବ ସତ୍କାର କଲେ ସମାଜସେବୀ

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମର ସରପଞ୍ଚ ପ୍ରତିନିଧି ତଥା ନେତାଜୀ ଯୁବକ ସଂଘର ସଭାପତି ସୁନୀଲ ବେହେରା ଦେଖାଇଛନ୍ତି ମାନବିକତା। ବୁର୍ଲାରୁ ବ୍ୟବଚ୍ଛେଦ ହୋଇ ଆସିଥିବା ଏକ ଶବକୁ ଗ୍ରାମବାସୀ ନ ଛୁଇଁବାରୁ ସେ ନିଜସ୍ବ ପ୍ରଚେଷ୍ଟାରେ ଅନ୍ତିମ ସତ୍କାର କରିଛନ୍ତି। ସୂଚନାନୁସାରେ, ମହୁଲପାଲି ଗ୍ରାମର ମୁନୁଚୁ ପାଣ୍ତେ (୪୫ବର୍ଷ) ଯକୃତଜନିତ ରୋଗରେ ପୀଡ଼ିତ ଥିଲେ। ଘରେ ତାଙ୍କର ବୃଦ୍ଧା ମା’, ଗର୍ଭବତୀ ପତ୍ନୀ ଓ ୩ ବର୍ଷର ଏକ ଝିଅ ଅଛନ୍ତି। ଆର୍ଥିକ ଅନଟନ ତାଙ୍କ ଚିକିତ୍ସାରେ ବାଧକ ସାଜିଥିବା ବେଳେ ବହୁ କଷ୍ଟରେ ଅର୍ଥ ଯୋଗାଡ଼ କରି ସେ ବୁର୍ଲା ଭିମ୍‌ସାରକୁ ଯାଇଥିଲେ। ମାତ୍ର ଭଗବାନଙ୍କ ଇଚ୍ଛା ଥିଲା ଅଲଗା ପ୍ରକାର।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ମୁନୁଚୁ। ସେଠାରେ ବ୍ୟବଚ୍ଛେଦ ପରେ ଶବ ଏକ ଆମ୍ବୁଲାନ୍ସ ଯୋଗେ ଗାଁ’ରେ ପହଞ୍ଚିଥିଲା। ମୁନୁଚୁଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାରୁ ସେତେବେଳେ ଗାଁ’ରେ ଉପସ୍ଥିତ ସୁନୀଲ ଗ୍ରାମବାସୀଙ୍କଠାରୁ କିଛି ଅର୍ଥ ଯୋଗାଡ଼ କରି ଓ କିଛି ନିଜେ ଦେଇ ଆମ୍ବୁଲାନ୍ସକୁ ବିଦା କରିଥିଲେ। ମାତ୍ର ବ୍ୟବଚ୍ଛେଦ ହୋଇ ଆସିଥିବା ଶବକୁ ଛୁଇଁବା ଦ୍ବାରା ନିଜେ ସଂସ୍କାର ହେବାକୁ ପଡ଼େ ବୋଲି ଗ୍ରାମରେ ଅନ୍ଧବିଶ୍ବାସ ଥିବାରୁ କେହି ବି ଶବକୁ ଛୁଇଁ ନଥିଲେ। ଅନ୍ତିମ ସତ୍କାର ପାଇଁ କେହି ନବାହାରିବାରୁ ଶେଷରେ ସୁନୀଲ ନିଜେ ବାଇକ୍‌ରେ ଶବ ବୋହି ନେଇ ଏକୁଟିଆ ଦାହ କରିଥିଲେ। ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏହା ସହ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ମଧ୍ୟ ହୋଇଛି।

ସମ୍ବନ୍ଧିତ ଖବର