ଅସହାୟ ପରିବାର ପାଇଁ ସହାୟତା ମାଗିଲେ ଗ୍ରାମବାସୀ

ଦୀପାବଳିରେ ବାଣ ନ ଫୁଟାଇ ଯୁବ ସ୍ବେଚ୍ଛାସେବୀ ଦେଲେ ଆର୍ଥିକ ସହାୟତା

ଗାନ୍ଧିଛକ/ଦରଡ଼ା: ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ଅଧୀନ ପତ୍ରଝଡ଼ା ଗ୍ରାମର ବାସନ୍ତୀ ରାଓ। ବର୍ଷେ ପୂର୍ବରୁ ସ୍ବାମୀ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ସବୁଦିନ ପାଇଁ ଆଖି ବୁଜିଦେଲେ। ପରିବାରର ଯାହା ସ୍ଥିତି, ଶେଷ‌ରେ ବାସନ୍ତୀ ଭିକ ମାଗି ପରିବ‌ାର ଚଳାଇବାକୁ ଉଦ୍ୟମ କଲେ।

ଏହି ଗରିବ ପରିବାର ପାଇଁ ସରକାରୀ ସୁବିଧା‌ ସାତସପନ ହୋଇଛି। ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନାହିଁ। ସରକାରୀ ଘର ପାଇଁ  ଆବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଓଳିଏ ଖାଇଲେ ଆର ଓଳି ଉପାସ ରହିବାକୁ ପଡ଼ୁଛି ବସନ୍ତୀଙ୍କ ପରିବାରକୁ। ସରକାରଙ୍କ ପକ୍ଷରୁ ଚାଉଳ ୨୫ କେଜି ଯାହା ମିଳୁଛି। ବଡ଼ପୁଅ ଘନଶ୍ୟାମ ରାଓ (୧୫) ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ଯାହା ଟଙ୍କା ଥିଲା ଖର୍ଚ୍ଚ କରି ତାଙ୍କର ଚିକିତ୍ସା କରାଇଲେ। ହେଲେ ସେ ଏଯାଏ ସମ୍ପୂର୍ଣ ସୁସ୍ଥ ହୋଇ ନାହାନ୍ତି। ସେହିପରି ସାନପୁଅ ହରିଶ ରାଓ (୮) ଥାଲାସେମିଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଶ୍ବଶୁର ରଥିଆ ରାଓ (୬୩) କୋଷ୍ଠ ରୋଗରେ ଆକ୍ରାନ୍ତ। ତାଙ୍କର ଗୋଟିଏ ଆଖି ମଧ୍ୟ ନଷ୍ଟ ହୋଇଯାଇଛି।

ଫଳରେ ସେ ଚଲାବୁଲା କରିପାରନ୍ତି ନାହିଁ। ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ବ୍ଲକ୍‌ କାର୍ଯ୍ୟାଳୟ ଯାଇ ପାରୁନାହାନ୍ତି କି ଭତ୍ତା ପାଇପାରୁନାହାନ୍ତି। ଶାଶୂ ଦୃପତି ରାଓ (୫୫) ମଧ୍ୟ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲି ପାରୁନାହାନ୍ତି। ଏହି ପରିବାର ବିଷୟରେ ଜଳେଶ୍ବରସ୍ଥିତ ସ୍ବେଚ୍ଛାସେବୀ ସଂଗଠନ ହେଲ୍‌ପ ଫର୍‌ ୟୁ ଫାଉଣ୍ଡେସନ୍‌ର ସଦସ୍ୟମାନେ ଜାଣିଲା ପରେ ସେମାନେ ଦୀପାବଳିରେ ବାଣ ନଫୁଟାଇ ସେହି ଅର୍ଥରେ ବାସନ୍ତୀଙ୍କ ପରିବାର ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କରିଛନ୍ତି। ଫାଉଣ୍ଡେସନ୍‌ର ସଦସ୍ୟମାନେ ପରିବାରକୁ ଆର୍ଥିକ ସହାୟତା ୬ ହଜାର ଟଙ୍କା ସହ କିଛି ରାସନ୍‌ ସାମଗ୍ରୀ, ପନିପରିବା, ମୁଢ଼ି, ଚାଉଳ, ନୂଆ ବସ୍ତ୍ର ତଥା ହରିଶ ପାଇଁ ପାଠ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ସେହିପରି ଭଙ୍ଗାଘର ଛପରକୁ ଜରି ଦ୍ବାରା ଢାଙ୍କିଛନ୍ତି। ଫାଉଣ୍ଡେସନ୍‌ର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ତେବେ ବାସନ୍ତୀଙ୍କ ପରିବାରକୁ କେହି ସହୃଦୟ ବ୍ୟକ୍ତି ସହାୟତା କରିବାକୁ ଚାହୁଁଥିଲେ ମୋବାଇଲ୍‌ ନମ୍ବର ୭୭୩୫୩୭୧୯୧୫ରେ ଯୋଗାଯୋଗ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର