ଘୁ.ଉଦୟଗିରି: ମାସାଧିକ ହେଲା ଘୁ. ଉଦୟଗିରି ଅଞ୍ଚଳରେ ହାତୀପଲ ଆତଙ୍କ ସୃଷ୍ଟି କରୁଛନ୍ତି। ବ୍ୟାପକ ଫସଲ ନଷ୍ଟ କରିବା ସହ ଲୋକଙ୍କ ଘରଦ୍ୱାର ମଧ୍ୟ ଭାଙ୍ଗିବାରେ ଲାଗିଛନ୍ତି। ଶେଷରେ ହାତୀଭୟରେ ଏବେ ବାଧ୍ୟ ହୋଇ ଲୋକ ରାତିରେ ଘର ଛାଡ଼ି ସୁରକ୍ଷିତ ଜାଗାକୁ ପଳାଉଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ମଙ୍ଗଳବାର ରାତି କଳିଙ୍ଗା ପଞ୍ଚାୟତ କୁରୁମିଙ୍ଗିଆ ଗାଁ ନିକଟ କାଡ଼ାମାହାରେ ଜଙ୍ଗଲୀ ହାତୀ ପୁଣିଥରେ ପଶି ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରିଛନ୍ତି। ରାତି ପ୍ରାୟ ୮ଟାରୁ ଭୋର ୫ ଘଣ୍ଟା ପର୍ଯ୍ୟନ୍ତ ୨୫ ଟିକିଆ ହାତୀପଲ କୁରୁମିଙ୍ଗିଆ, ବାରାକାଣ୍ଡି, ସାଲୁଙ୍ଗି, ରେଟୁଡ଼ି, ଗୁଟେଡ଼କୂପା ଓ ଡଗରମୁଣ୍ଡା ଦେଇ କାଡ଼ାମାହା ଗ୍ରାମରେ ପହଞ୍ଚି ଘରଦ୍ୱାର ଭଙ୍ଗାରୁଜା କରିବା ସହ ସହ ଫସଲ ହାନି କରିଛନ୍ତି I କାଡ଼ାମାହାର ମଳିନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ପ୍ରଧାନ, ସରିତା ପ୍ରଧାନ, ଜନନୀ ପ୍ରଧାନ, ତାରା ପ୍ରଧାନ, ବିଷ୍ଣୁ ପ୍ରଧାନ, ରାଜେଶ ପ୍ରଧାନ, ରାନୁମା ପ୍ରଧାନ, ଲିଖା ପ୍ରଧାନ, ରାଜନ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ସିଦ୍ଧେଶ୍ୱର ପ୍ରଧାନ ଓ ଜିଦାରାଣୀ ପ୍ରଧାନଙ୍କ ଫସଲ ଜମିରେ ପଶି ଚିନାବାଦାମ, ଆମ୍ବ, ପଣସ, କଦଳୀ ଖାଇବା ସହ ବ୍ୟାପକ କ୍ଷୟ କ୍ଷତି କରିଛନ୍ତି।
କାଡ଼ାମାହା ବାସୀଙ୍କ କହିବାନୁସାରେ ହାତୀପଲ ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀଭୟରେ ଗ୍ରାମବାସୀ ପିଲାଛୁଆଙ୍କୁ ଧରି ରାତିରେ ଏଠାରେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି। ତେଣୁ ଯଥାଶୀଘ୍ର ହାତୀଙ୍କ ଉପଦ୍ରବରୁ ରକ୍ଷା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଛନ୍ତି। ଅନ୍ୟ ପକ୍ଷରେ କାଡ଼ାମାହାର ଏହି କ୍ଷତିଗ୍ରସ୍ତ ପରିବାର କ୍ଷତିପୂରଣ ମାଗୁଥିବା ବେଳେ ସେମାନଙ୍କ ପାଖରେ ଘର ଓ ଜମିର ସ୍ଥାୟୀ ପଟ୍ଟା ନାହିଁ। ଯେଉଁ କାରଣରୁ ଏହି ପରିବାର କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ଗତ ତିନିଦିନ ହେଲା ହାତୀପଲଙ୍କୁ ବିଭିନ୍ନ ଗ୍ରାମରେ ଲୋକ ଏକତ୍ରିତ ହୋଇ ଗହଳି କରି ହୋହାଲ୍ଲା କରି ଘଉଡାଇବା ଫଳରେ ବାଟବଣା ହୋଇ ଏଣେତେଣେ ବୁଲିବୁଲି କରି ବ୍ୟାପକ କ୍ଷତି କରିବାରେ ଲାଗିଛନ୍ତି। ସ୍ଥାନୀୟ ଅଞ୍ଚଳର ଜଙ୍ଗଲରେ ବର୍ତ୍ତମାନ ପ୍ରଚୁର ପରିମାଣର ପାଚିଲା ଆମ୍ବପଣସ ରହିଥିବା ବେଳେ ଏଠାରେ ପାଣିର ସୁବିଧା ରହିଛି। ଯାହାଫଳରେ ହାତୀପଲ ଏବେ ଫେରିବାର ନାଁ ଧରୁନାହାନ୍ତି। ମାସାଧିକ କାଳ ଏଠାରେ ଜଙ୍ଗଲ ଭିତରେ ରହିବା ପରେ ଗତକାଲି ହାତୀପଲ ଘୁ.ଉଦୟଗିରି ସହରତଳି ୧ ନମ୍ବର ୱାର୍ଡର ଦୁଗୁଡ଼ି, ପଦାସହି ଏବଂ ପିଡ଼ିକାମାହାରେ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ କଦଳୀ ଗଛ ସବୁ ନଷ୍ଟ କରିଦେଇଛନ୍ତି। ବର୍ତ୍ତମାନ କଳିଙ୍ଗା-ଘୁ.ଉଦୟଗିରି ମୁଖ୍ୟ ସଡ଼କର ଘୁ.ଉଦୟଗିରି ସହର ଶେଷରେ ଥିବା ନନ୍ଦଗିରି ପାଖ ସୁରାଦେଇ ପାହାଡ଼ରେ ହାତୀପଲ ଥିବା ଖବର ମିଳିଛି। ହାତୀପଲରେ ଏବେ ମୋଟ ୨୫ଟି ହାତୀ ମଧ୍ୟରୁ ୬ ଦନ୍ତା, ୧୩ଟି ମାଈହାତୀଏବଂ ୬ପିଲା ହାତୀ ରହିଥିବା ସୂଚନା ମିଳିଛି। ଗତମାସେ ତଳେ ୧୮ଟିକିଆ ହାତୀପଲ କୁରୁମିଙ୍ଗିଆ ଅଞ୍ଚଳକୁ ଆସି ଫସଲ ନଷ୍ଟ କରିଥିବା ବେଳେ କିଛିଦିନ ପରେ ଉତ୍ତର ଘୁମୁସର ବନଖଣ୍ଡକୁ ଫେରିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/fssfhfhfhfh.jpg)