ଶୁଣିଲାନି ପ୍ରଶାସନ: ଗାଁକୁ ରାସ୍ତା ତିଆରି କଲେ ଗ୍ରାମବାସୀ

ରାଉରକେଲା: ବାରମ୍ବାର ଗୁହାରି କରିଥିଲେ ହେଁ ଶୁଣିଲେନି ପ୍ରଶାସନିକ ଅଧିକାରୀ। ଶେଷରେ ଏକାଠି ହୋଇ ଗାଁକୁ ସଂଯୋଗ କରୁଥିବା ରାସ୍ତା ତିଆରି କରିଛନ୍ତି ଗ୍ରାମବାସୀ। ଏମିତି ଭଲ ଖବର ଆସିଛି ଗୁରୁଣ୍ଡିଆ ବ୍ଲକ ଗୁରୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଗାଁରୁ। ମଧୁପୁରରୁ ବାଗଡେଗା ସାହିକୁ ସଂଯୋଗ କରୁଥିବା ପ୍ରାୟ ୩ କି.ମି. ରାସ୍ତା ଏହି ରାସ୍ତା ବର୍ଷ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇ ପଡିଛି। ରାସ୍ତା ମଝିରେ ମଧୁପୁର ନାଳା ଯାତାୟତରେ ପ୍ରତିବନ୍ଧକ ସାଜିଛି। ବର୍ଷା ପାଣିରେ କଲର୍ଭଟଟି ଭାସି ଯାଇଥିବାରୁ ବାଗଡେଗାବାସୀ ବର୍ଷା ଦିନେ ଆଣ୍ଠୁଏ ଲେଖାଏଁ ପାଣିରେ ପସି ନାଳି ପାରି ହେଉଛନ୍ତି।

ସ୍କୁଲ ଓ କଲେଜ ଯାଉଥିବା ପିଲାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।  ଆମ୍ବୁଲାନ୍ସ ଓ ଅନ୍ୟ ଗାଡି ବାଗଡେଗାକୁ ପସି ପାରୁ ନଥିଲା। ନାଳ ନିକଟରୁ ଫେରି ଯାଉଥିଲା। ନାଳ ଓ ରାସ୍ତା ମରାମତି ପାଇଁ ବାଗଡେଗାବାସୀ ବାରମ୍ବାର ବିଡିଓ ଓ ପଞ୍ଚାୟତର ସରପଞ୍ଚଙ୍କୁ ଗୁହାରି କରିଥିଲେ। କେହି ଦୁଃଖ ନ ଶୁଣିବାରୁ ବାଗଡେଗାବାସୀ ଏକାଠି ଆଜି ନାଳ ଓ ରାସ୍ତା ମରାମତି କରିଛନ୍ତି। ପ୍ରାୟ ୪୦ରୁ ଅଧିକ ଗ୍ରାମବାସୀ ଏକାଠି ହୋଇ ନାଳ ଓ ରାସ୍ତାକୁ ମରାମତି କରିଛନ୍ତି। ଗ୍ରାମବାସୀଙ୍କ ଏଭଳି କାମକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

ସମ୍ବନ୍ଧିତ ଖବର