ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବେଙ୍କମୁରା ଗ୍ରାମରେ ଥିବା ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିବା ପ୍ରତିବାଦରେ ଗ୍ରାମବାସୀ ଏହି ଉପନିର୍ବାଚନରେ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରଶାସନର ବାରମ୍ବାର ଅନୁରୋଧ ସତ୍ତ୍ବେ ଗ୍ରାମବାସୀ ତାଙ୍କ ଜିଦରେ ଅଟଳ ରହିବା ସହିତ ଆଜି କେହି ଭୋଟଦାନ କରି ନଥିଲେ। ଭୋଟ ଗ୍ରହଣ ଶେଷ ସମୟରେ ମଧ୍ୟ ଡିଆରଡିଏ ପିଡି ତପତରାମ ମାଝି ଓ ବିଡିଓ ସଞ୍ଜୀବ ପଟେଲ ଗାଁକୁ ଯାଇ ଗ୍ରାମବାସୀଙ୍କୁ ବୁଝାସୁଝା କରି ବିଫଳ ହୋଇ ଫେରି ଆସିଥିଲେ। ୨୭୨ ଭୋଟର୍ ଥିବା ଏହି ଗ୍ରାମର କେହି ଜଣେ ମଧ୍ୟ ଭୋଟ ଦେବାକୁ ଯାଇ ନଥିଲେ।
ବଲଣ୍ଡା ଓ ବେଙ୍କମୁରା ଉଭୟ ଗ୍ରାମର ୭୧୧ ଭୋଟରଙ୍କୁ ନେଇ ବଲଣ୍ଡା ଗ୍ରାମରେ ବୁଥ୍ ନମ୍ବର ୮୫ରେ ଭୋଟ୍ ଗ୍ରହଣ କେନ୍ଦ୍ର ଖୋଲାଯାଇଥିଲା। ତେବେ ବେଙ୍କମୁରା ଗ୍ରାମର କେହି ଭୋଟ୍ ଦେବାକୁ ନଯାଇ ଗାଁ ଦାଣ୍ଡରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଖନପୁର ବ୍ଲକ ପଣ୍ଡରି ପଞ୍ଚାୟତ ବେଙ୍କମୁରା ଗ୍ରାମରେ ଦୀର୍ଘ ବର୍ଷ ହେବ ଏକ ପ୍ରାଥମିକ ବଦ୍ୟାଳୟ ଚାଲି ଆସୁଥିବା ବେଳେ ଗତବର୍ଷ ଏହି ବିଦ୍ୟାଳୟକୁ ପ୍ରଶାସନ ତରଫରୁ ବନ୍ଦ କରି ଦିଆଯାଇ ବଲଣ୍ଡା ପ୍ରାଥମିକ ବିଦ୍ୟାଳୟ ସହିତ ମିଶାଇ ଦିଆଯାଇଥିଲା।
ଏହି ଗାଁରୁ ବଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୂରତା ୩ କିଲୋମିଟର ହୋଇଥିବାବେଳେ ଏହି ରାସ୍ତା ମଝିରେ ଜଙ୍ଗଲ ପଡ଼ୁଥିବାରୁ ଛାତ୍ରଛତ୍ରୀଙ୍କୁ ପଠାଇବାକୁ ଗ୍ରମାବାସୀ ରାଜି ହୋଇ ନଥିଲେ। ଫଳରେ ମିଶ୍ରଣ ହୋଇଥିବା ବିଦ୍ୟାଳୟରେ ଗ୍ରାମର ଜଣେ ହେଲେ ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି। ପଣ୍ଡରି ଉଚ୍ଚ ବିଦ୍ୟାଳୟ ମଧ୍ୟ ଉକ୍ତ ଗ୍ରାମରୁ ୪ କିଲୋମିଟର ହୋଇଥିବାବେଳେ ରାସ୍ତାରେ ହୀରାକୁଦ ଜଳଭଣ୍ଡାର ଯୋଗୁଁ ଯାତାୟାତରେ ସମସ୍ୟା ଦେଖା ଦେଇଥାଏ। ବର୍ତ୍ତମାନ ଗାଁରେ ୨୬ରୁ ଅଧିକ ଛାତ୍ରଛାତ୍ରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଥିବା ବେଳେ ସେମାନେ ଅଧିକାଂଶ ସମୟରେ ବିଦ୍ୟାଳୟ ଯାଉ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/protest.jpg)