ନିଜ ଉଦ୍ୟମରେ ରାସ୍ତା ମରାମତି କଲେ ଗ୍ରାମବାସୀ

ଝରାଡ଼ିହି(୨): ବହଳଦା ବ୍ଲକ ଯଶିପୁର ପଞ୍ଚାୟତ ରଙ୍ଗାମାଟିଆ ଗ୍ରାମର ପଡ଼ା ଗାଁ’ ଡୁଙ୍ଗୁରି ସାହିରେ ରାସ୍ତା ମରାମତି ପାଇଁ ପ୍ରଶାସନକୁ ବାରମ୍ବାର ଜଣାଇ ନିରାଶ ହେବା ପରେ ନିଜ ଉଦ୍ୟମରେ ରାସ୍ତା ମରାମତି କରିଛନ୍ତି ଗ୍ରାମବାସୀ।

ସୂଚନା ଅନୁସାରେ, ଡୁଙ୍ଗୁରି ସାହିକୁ ଯାତାୟାତ ପାଇଁ ରାସ୍ତା ନଥିବାରୁ ବର୍ଷା ଦିନେ ଗ୍ରାମବାସୀ ନାହିଁନଥିବା ହଟାହଟା ହେଉଛନ୍ତି। ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପାଇଁ ଗାଁ’କୁ ଆମ୍ବୁଲାନ୍‌ସ ଆସି ପାରୁନାହିଁ। ଫଳରେ ଗୁରୁତର ରୋଗୀ, ପ୍ରସୂତି ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍‌ସ ପାଖକୁ ନେବାକୁ ପଡ଼ୁଛି। ଏମିତିକି ଡାକ୍ତର କିମ୍ବା ଫାର୍ମାସିଷ୍ଟ ରୋଗୀ ଦେଖିବାକୁ ଆସିଲେ ସେମାନଙ୍କୁ ଗାଁ ମୁଣ୍ଡରେ ଗାଡ଼ି ରଖି ଚାଲିଚାଲି ଆସିବାକୁ ପଡ଼ିଥାଏ। ରାସ୍ତା ସମସ୍ୟା ବିଷୟରେ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅବଗତ କରାଯିବା ସତ୍ତ୍ବେ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ତେଣୁ ବାଧ୍ୟ ହୋଇ ଗାଁ’ର ମହିଳା, ପୁରୁଷ ଓ ପିଲାମାନେ ସମସ୍ତେ ମିଳିତ ଶ୍ରମଦାନ କରି ଆଜି ରାସ୍ତା ମରାମତି କାମରେ ଲାଗିଥିଲେ। ଏ ନେଇ ଯଶିପୁର ଗ୍ରାମ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ କାଶୁ ମାଝୀଙ୍କୁ ଯୋଗାଯୋଗ କରାଯିବାରୁ ସମସ୍ୟା ସମାଧାନ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବେ‌ ବୋଲି କହିଛନ୍ତି। ୩୦ରୁ ଅଧିକ ଘର ଥିବା ଏହି ଗାଁ’କୁ ତୁରନ୍ତ ସ୍ଥାୟୀ କଂକ୍ରିଟ୍‌ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର