ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ବଡ଼ମୌଦା ଗ୍ରାମ ନିକଟରେ ଥିବା ରେଳଫାଟକ ପାର୍ଶ୍ବରେ ଥିବା ଗୋଳାପୋଲଟି ଅତି ନିମ୍ନମାନର ଓ ଅବାଗିଆ ହୋଇଥିବାରୁ ବର୍ଷା ହେଲେ ସେଥିରେ ୫ ଫୁଟର ପାଣି ଜମି ରହିଥାଏ। ଘଣ୍ଟା ଘଣ୍ଟା ଧରି ପାଣି ଜମି ରହିଥାଏ, ଯାହାଫଳରେ ବଡ଼ମୌଦା ଗ୍ରାମ ସମେତ ହାତିଆ ଗ୍ରାମପଂଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀଙ୍କ ପାଇଁ ଏକ ମାତ୍ର ଭରସା ସେହି ରାସ୍ତା। ତେବେ ୫ ଫୁଟର ପାଣି ଜମିରହୁଥିବାରୁ ଦୀର୍ଘ ସମୟ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ତେବେ ଗ୍ରାମବାସୀ ବାରମ୍ବାର ଗୋରୁମହିଷାଣୀ ଷ୍ଟେସନ ମାଷ୍ଟର, ଗୋଳାପୋଲ କାର୍ଯ୍ୟ କରୁଥିବା ଠିକାଦାରଙ୍କ ସମେତ ଚକ୍ରଧରପୁର ରେଳ ଡିଭିଜନର ଡିଆରଏମଙ୍କ ନିକଟରେ ମଧ୍ୟ ଦାବି କରିଥିଲେ। ଏହାବ୍ୟତୀତ ଗୋଳାପୋଲ ନିର୍ମାଣ ଶେଷ ନ ହେବା ପ୍ରର୍ଯ୍ୟନ୍ତ ରେଳଫାଟକକୁ ଜନସାଧାରଣଙ୍କ ନିମନ୍ତେ ୨୪ ଘଣ୍ଟା ଖୋଲାଯାଉ ବୋଲି ମଧ୍ୟ ଦାବି କରିଛନ୍ତି।
ତେବେ ବାରମ୍ବାର ଦାବି ପରେ ମଧ୍ୟ କେହି କର୍ଣପାତ ନ କରିବାରୁ ଆଜି ଗ୍ରାମବାସୀ ବାଧ୍ୟ ହୋଇ ଟାଟା-ବାଦାମପାହାଡ ମେମୁ ଟ୍ରେନକୁ ଗୋରୁମହିଷାଣୀ ଷ୍ଟେସନ ପହଂଚିବାର ୩ କି.ମି ପୂର୍ବରୁ ବଡମୌଦା ଗ୍ରାମ ନିକଟରେ ସମସ୍ୟାର ସମାଧାନ ପାଇଁ ଅଟକାଇଦେଇଥିଲେ । ଗୋରୁମହିଷାଣୀ ଷ୍ଟେସନ ମାଷ୍ଟର, ରେଳ ବିଭାଗର ଓସି ସଞୟ କୁମାର ତିୱାରୀ, ସନ୍ଦୀପ କୁମାର ପାଣ୍ଡେ, ଏସ୍ସି ନାୟକ, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ଥାନାଅଧିକାରୀ ଦେବାଶିଷ ଶତପଥୀ ପ୍ରମୂଖ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ସମସ୍ୟାର ସମାଧାନ କରିବା ନେଇ ଆସନ୍ତାକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଚକ୍ରଧର ଡିଆରଏମ, ଉପଜିଲ୍ଲାପାଳ ଓ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ସମାଧାନ ବୈଠକ ବସିବା ନେଇ ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ୭ ଘଣ୍ଟା ପରେ ରେଳ ଧାରଣାରୁ ଗ୍ରାମବାସୀମାନେ ଓହରି ଥିଲେ। ୭ ଘଣ୍ଟା ଧରି ଟ୍ରେନ ଓଟକି ରହିଥିବାରୁ ଶହ ଶହ ଯାତ୍ରୀ ହଇରାଣ ହନ୍ତସନ୍ତ ହୋଇଥିଲେ। ରେଳ ଧାରଣା ସମୟରେ ଗ୍ରାମର ସୁବାଷ ଚନ୍ଦ୍ର ସେଠୀ, ବସନ୍ତ ମାଝୀ, ଉପେନ୍ଦ୍ର ମଣ୍ଡଳ, କିଶୋରୀ ମଣ୍ଡଳ, ଦାଖିନ ସୋରେନ, ଅଜିତ କୁମାର ମଣ୍ଡଳ, ସତ୍ୟସାଧନ ବେହେରା, ପ୍ରଦୀପ ପ୍ରମାଣିକ, ତ୍ରିନାଥ ପ୍ରମାଣିକ, ଚକ୍ରଧର ଗିରି, ଧୀରେନ ମୁଖି, ବୃନ୍ଦାବନ ବେହେରା, ଗୌତମ ବାରିକ, ପରିକ୍ଷିତ ବେହେରା, ପ୍ରଣତି ନନ୍ଦ ଓ ସୁରଜ ପରମାଣିକ ପ୍ରମୁଖ ଉପସ୍ଥିତ ଥିଲେ।