ବନ ବିଭାଗ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ହାଟଡିହି: ବନ ବିଭାଗର ବାରଣ ଯୋଗୁଁ ପିତାନାଉ ଗ୍ରାମବାସୀ ଘର ନିର୍ମାଣ ପାଇଁ ନିର୍ମାଣ ସାମଗ୍ରୀ ଯଥା ପଥର, ଇଟା, ବାଲି, ଚିପ୍‌ସ ଆଦି ନେଇପାରୁ ନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ଗ୍ରାମବାସୀ କାଠକଟାରେ ଥିବା ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ହଦଗଡ଼ ପଞ୍ଚାୟତ ପିତାନାଉ ଗ୍ରାମ ହଦଗଡ଼ ହାତୀ ଅଭୟାରଣ୍ୟ ଭିତରେ ରହିଛି। ବନ ବିଭାଗ ପକ୍ଷରୁ କାଠକଟା ନିକଟରେ ଫାଟକ ପକାଯାଇ ଗାଡ଼ିମୋଟର ଯାତାୟାତକୁ ବନ୍ଦ କରାଯାଇଛି।

ଫଳରେ ଜଙ୍ଗଲ ଭିତରେ ବାସ କରୁଥିବା ପିତାନାଉ ଗ୍ରାମର ଲୋକେ ଆବାସ ଯୋଜନାରେ ଘର କରିପାରୁ ନାହାନ୍ତି। ଏହି ରାସ୍ତା ଦେଇ ନିର୍ମାଣ ସାମଗ୍ରୀ ବୋଝେଇ ଗାଡ଼ି ଛାଡ଼ିବାକୁ ସେମାନେ ବହୁବର୍ଷ ହେଲା ଦାବି କରିଆସୁଥିଲେ ମଧ୍ୟ ବନ ବିଭାଗ କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଆଜି ପିତାନାଉ ଗ୍ରାମର ସବିତା ବିନିସିଆ, କୁସୁଲା ବିନିସିଆ, ହଳିଆ ବେହେରା, ନବ ଖଟୁଆ, ଅନିତା ବେହେରାଙ୍କ ସମେତ ୫୦ରୁ ଊର୍ଦ୍ଧ୍ବ ଲୋକେ କାଠକଟା ବନପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ଫରେଷ୍ଟର କହିଛନ୍ତି, ଛୋଟଛୋଟ ଗାଡ଼ିରେ ନିର୍ମାଣ ସାମଗ୍ରୀ ପରିବହନ ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ଗ୍ରାମବାସୀ ଟ୍ରକ୍‌ରେ ନିର୍ମାଣ ସାମଗ୍ରୀ ପରିବହନ ପାଇଁ ଦାବି କରୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଗ୍ରାମବାସୀ ରେଞ୍ଜର ଏଠବ ଡିଏଫ୍‌ଓଙ୍କୁ ସାକ୍ଷାତ କରି ଅବଗତ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର