ଖୋର୍ଦ୍ଧା: ନିଶାମୁକ୍ତ ପରିବାର ଓ ଗାଁ ଗଠନ କରିବାକୁ ଖୋର୍ଦ୍ଧାର ବରିଷ୍ଠ ନାଗରିକ ଓ ବିଶ୍ୱାମିତ୍ର ଜନସେବା ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନରେ ଆଜି ଛତ୍ରମା ଓ ମହତପଲ୍ଲା ଠାରେ ଗାଁ ଲୋକମାନେ ସାମୂହିକ ଶପଥ ନେଇଛନ୍ତି ।
ଗତକାଲି ପୂର୍ବାହ୍ଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ରାମଶଙ୍କର ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ନନ୍ଦପୁର ସରପଂଚ ବିପ୍ଲବ ବଳିଆରସିଂହ, ତାପଙ୍ଗ ସରପଂଚ ପ୍ରଭାତ କୁମାର ବ୍ରହ୍ମା, ନାଏବ ସରପଂଚ ସୂର୍ଯ୍ୟକାନ୍ତି ସୁନ୍ଦରାୟ, ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ସୀତା ଦେଈ, ସମ୍ପାଦକ ଲକ୍ଷ୍ମିପ୍ରିୟା ମଣ୍ଡଳ ଯୋଗ ଦେଇଥିଲେ । ପରିବାର ସୁଖଶାନ୍ତିରେ ରହିବା ନିମନ୍ତେ ଯେଉଁ ଅର୍ଥନୈତିକ, ସାମାଜିକ ଓ ମାନସିକ ସମସ୍ୟା ରହିଛି ତା’ର ସମାଧାନ କରିବା ପରିବର୍ତେ ଏକ ନିଶାଗ୍ରସ୍ତ ବ୍ୟକ୍ତି ଏହାକୁ ଆହୁରି ଜଟିଳ କରିଦିଏ ।
ନିଶା ସେବନ ଦ୍ୱାରା ସୁଖଶାନ୍ତି, ଅର୍ଥ ବିପାକ, ସ୍ୱାସ୍ଥ୍ୟହାନୀ ଏପରିକି ପ୍ରାଣହାନୀ ଘଟୁଥିବା ଜାଣି ମଧ୍ୟ ଅନେକ ଏହାର କବଳରେ ପଡ଼ୁଛନ୍ତି । ଏଣୁ ନିଶା ବିରୋଧରେ ପ୍ରତି ପରିବାରରୁ ଅଭିଯାନ ଆରମ୍ଭ ହେବା ଆବଶ୍ୟକ ବୋଲି ଅତିଥିମାନେ ମତ ଦେଇଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ରମେଶ ଚନ୍ଦ୍ର ପ୍ରଧାନ ସଂଯୋଜନା କରିଥିଲେ । ସମାଜସେବୀ ମାମୀ ରଣସିଂହ ଧନ୍ୟବାଦ ଦେଇଥିଲେ ।