କପିଳେନ୍ଦ୍ର ପ୍ରଧାନ
ଅନୁଗୁଳ: ଆଜ୍ଞା, ଆମେ ଅପାଠୁଆ ଲୋକ। ସରକାରୀ ବାବୁମାନେ ଆସି ଭିଟାମାଟି ଛାଡ଼ିଲେ ସବୁ ସୁବିଧା କରିବୁ ବୋଲି ପ୍ରତିଶ୍ରୁତି ଦେଲେ। ସେମାନଙ୍କ କଥାରେ ଆମେ ଗାଁ ଛାଡ଼ିଦେଲୁ। ଏଇଠି ପାହାଡ଼ ତଳେ ଆମକୁ ୪ ଡେସିମିଲ ଜାଗା ଧରାଇ ଛୁ ମାରିଲେ। ଯାହା କହିଥିଲେ, କିଛି କଲେନି। ୮ ବର୍ଷ ତଳେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କୋର୍ ଏରିଆରୁ ବିସ୍ଥାପିତ ହୋଇଥିବା ରାଇଗୋଡ଼ା ଗାଁର ଦିବ୍ୟସିଂହ ଦେହୁରୀ କ୍ଷୋଭ ଓ କୋହଭରା କଣ୍ଠରେ ଏମିତି ବଖାଣିଛନ୍ତି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କୋର୍ ଏରିଆର ପ୍ରଥମ ଗାଁ ଭାବେ ବିସ୍ଥାପିତ ହୋଇଥିଲା ବଡ଼କନ୍ତକୁଳ ପଞ୍ଚାୟତର ‘ରାଇଗୋଡ଼ା’। ସାତକୋଶିଆ ଛାଡ଼ିବାକୁ ୭୮ ପରିବାର ବିଶିଷ୍ଟ ଏହି ଗାଁର ଲୋକଙ୍କୁ ସେତେବେଳେ ଅନେକ ସ୍ବପ୍ନ ଦେଖାଇଥିଲା ବନ ବିଭାଗ ଓ ଜିଲ୍ଲା ପ୍ରଶାସନ। ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କା ସହ ୨୪ ଦଫା ସୁବିଧା ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ସେହି ବଡ଼କନ୍ତକୁଳ ପଞ୍ଚାୟତର ଯେଉଁ ନୂଆ ଜାଗାରେ ଥଇଥାନ କଲେ, ତା’ ନାଁ ଦେଲେ ନୂଆ ରାଇଗୋଡ଼ା। ହେଲେ ପ୍ରଶାସନର ତଞ୍ଚକତାର ଶିକାର ହୋଇ ସୁବିଧା ସୁଯୋଗରୁ ବଞ୍ଚିତ ହେବାପରେ ଏବେ ନିଜ ପୁରୁଣା ଗାଁକୁ ଝୁରି ହେଉଛନ୍ତି ନୂଆ ରାଇଗୋଡ଼ାବାସୀ।
ଚୁଆ ପାଣିରେ ବିତୁଛି ଗାଁ ଲୋକଙ୍କ ଜୀବନ
ପାଠପଢ଼ା ପାଇଁ ସ୍କୁଲ କି ଅଙ୍ଗନବାଡ଼ି ନାହିଁ
୧୦ ଡେସିମିଲ ଜମି ବଦଳରେ ମିଳିଛି ମାତ୍ର ୪
ଚାଷ ବୁଡ଼ିବା ପରେ ଦାଦନ ଖଟୁଛନ୍ତି ଗାଁ ଯୁବକ
ନୂଆ ରାଇଗୋଡ଼ାର ପାଣି ସମସ୍ୟା ସବୁଠୁ ଉତ୍କଟ। ଗାଁକୁ ପାଇପ୍ ଯୋଗେ ଯେଉଁ କାଦୁଅ ମିଶା ପାଣି ଆସୁଛି, ତାହା ପିଇବା ଯୋଗ୍ୟ ନୁହେଁ। ଗାଁଠୁ ଦେଢ଼ କିଲୋମିଟର ଦୂରରେ ଥିବା ଝରଣାରୁ ଚୁଆ ଖୋଳି ପାଣି ଆଣିଲେ ଘରେ ଚୁଲି ଜଳେ। ହେଲେ ହାତୀ ଭୟ ଥିବାରୁ ରାତି ପାହିଲେ ଗାଁର ସବୁ ମହିଳା ଏକଜୁଟ୍ ହୋଇ ପାହାଡ଼ ଚଢ଼ି ପାଣି ସଂଗ୍ରହ କରନ୍ତି। ନୂଆ ରାଇଗୋଡ଼ାର ପରୀ ପ୍ରଧାନ କହିଛନ୍ତି, ତାଙ୍କ ପୁରୁଣା ଗାଁରେ ଘର ପାଖରେ ପିଇବା ପାଣି ମିଳୁଥିଲା। ଭଲରେ ରହୁଥିଲୁ। ହେଲେ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ଲୋଭ ଦେଖାଇ ଭିଟାମାଟି ଛାଡ଼ିବାକୁ କହି ଭଣ୍ଡେଇ ଦେଲେ।
ଖାଲି ସେତିକି ନୁହେଁ, ଗାଁର ୭୦ ବର୍ଷୀୟ ଗୁରୁଦେବ ପ୍ରଧାନ କହିଛନ୍ତି, ବାପଜେଜେ ଅମଳରୁ ସେମାନେ ରହିଆସୁଥିବା ତାଙ୍କ ପୁରୁଣା ଭିଟାମାଟିରେ ସବୁ ଥିଲା। ଚାଷବାସ କରି ସଭିଏଁ ଭଲରେ ଚଳୁଥିଲେ। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଭିଟାମାଟି ଛାଡ଼ିଲା ବେଳେ ନୂଆ ବସତିରେ ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କା ଓ ୧୦ ଡେସିମିଲ ଜାଗା ସହ ବିଜୁଳି, ପାଣି, ରାସ୍ତା, କୋଠଘର, ସ୍କୁଲ, ଅଙ୍ଗନବାଡ଼ି ଭଳି ୨୪ଟି ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ। ରାସ୍ତା, ବିଜୁଳିକୁ ଛାଡ଼ିଦେଲେ, ଆଉ କୌଣସି ପ୍ରତିଶ୍ରୁତି ରଖିନି ପ୍ରଶାସନ। ପୁରୁଣା ରାଇଗୋଡ଼ାରେ ପୂର୍ବରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଥିଲା। ଅଙ୍ଗନବାଡ଼ି ଥିଲା। ଏଠି ଆସିବା ପରେ ସବୁ ବନ୍ଦ କରିଦେଲେ। ଏବେ ପାଠ ପଢ଼ିବାକୁ ଛୋଟ ଛୋଟ ପିଲାଙ୍କୁ ୨ କିଲୋମିଟର ଦୂରରେ ଥିବା ସାରୁଆଳି ପ୍ରାଥମିକ ସ୍କୁଲକୁ ଯିବାକୁ ପଡ଼ୁଛି। ହାତୀ ଭୟରେ ଅନେକ ସମୟରେ ପିଲାମାନେ ପାଠ ପଢ଼ିବାକୁ ବି ଯାଇପାରୁ ନାହାନ୍ତି। ଆଉ ଏପଟେ ଚାଷ ପାଇଁ ନିଜର ଜମି ନ ଥିବାରୁ ଗାଁର ଅଧିକାଂଶ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଗଦାଧର ପାତ୍ର କହିଛନ୍ତି, ରାଇଗୋଡ଼ାବାସୀଙ୍କ ସମସ୍ୟା ନେଇ ମୋ ପାଖକୁ କୌଣସି ଅଭିଯୋଗ ଆସିନି। ଯେତେବେଳେ ସେମାନଙ୍କୁ ବିସ୍ଥାପିତ କରାଯାଇଥିଲା, କ’ଣ ପ୍ରତିଶ୍ରୁତି ଦିଆଯାଇଥିଲା, କେତେ ପୂରଣ ହୋଇଛି ଆଉ କ’ଣ ସମସ୍ୟା ରହିଛି ତାହାର ଅନୁଧ୍ୟାନ କରାଯିବ। ଜିଲ୍ଲା ପ୍ରଶାସନ ସହଯୋଗରେ ସେସବୁ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/21/dgdadgazcvcvvc-2025-11-21-02-16-06.jpg)