ଭୁବନେଶ୍ବର : ମେଘ ବରଷିଲା ଟୁପୁରୁ ଟୁପୁରୁ..., ଟିକ୍‌ ଟିକ୍‌ ହୁଏ ମୋ ଛାତି... ଆଦି ଗୀତ ଗାଇ ଓଡ଼ିଆ ପ୍ରେମିକ ମନରେ ରୋମାଞ୍ଚ ଭରିଥିବା ସ୍ବର ଆଜି ନିରବି ଯାଇଛି। ଆଧୁନିକ ଯୁଗର ମୀରାବାଈ ବୋଲାଉଥିବା ବିଶିଷ୍ଠ କଣ୍ଠଶିଳ୍ପୀ ବାଣୀ ଜୟରାମ ଆଜି ଚିର ନିଦ୍ରାରେ ଶୋଇ ଯାଇଛନ୍ତି। କିନ୍ତୁ ସେ ଗାଇଥିବା ଚିର ସବୁଜ ଗୀତ ଓଡ଼ିଆ ସଙ୍ଗୀତ ଭଣ୍ଡାରକୁ ସବୁବେଳେ ଋଦ୍ଧିମନ୍ତ କରୁଥିବ। ସତୁରୀ ଦଶକରୁ ଅଶୀ ଦଶକର ମଧ୍ୟଭାଗ ଯାଏ ବହୁ ଓଡ଼ିଆ ଶାସ୍ତ୍ରୀୟ ଓ ସୁଗମ ସଙ୍ଗୀତରେ ସେ କଣ୍ଠଦାନ କରିଛନ୍ତି। ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସହ ତାଙ୍କ ଯୁଗଳବନ୍ଦୀ ଓଡ଼ିଆ ସଙ୍ଗୀତ ଜଗତକୁ ଅନନ୍ୟ ଉପହାର ଦେଇଛି।

Advertisment

ବିଶିଷ୍ଠ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ କହିଛନ୍ତି, ସତୁରୀ ଦଶକର ମଝାମଝିରେ ଯେବେ ଅଧିକାଂଶ ଓଡ଼ିଆ ଚଳଚ୍ଚିତ୍ରର ଗୀତ ରେକର୍ଡିଂ କଲିକତାରୁ ମାଡ୍ରାସକୁ ସ୍ଥାନାନ୍ତରିତ ହେଲା, ବାଣୀ ଜୟରାମଙ୍କ କଣ୍ଠ ଓଡ଼ିଆ ଗୀତ ସହ ଯୋଡ଼ି ହୋଇଥିଲା। ସେବେ ସେ ଗାଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ଗୁଡ଼ି’ର ‘ବୋଲେରେ ପାପିହରା’ ଗୀତ ଅଦ୍ଭୁତ ଲୋକପ୍ରିୟତା ହାସଲ କରିଥିଲା। ସେ ଗାଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ପାକିଜା’ର ‘ମେରେ ସାଜନ ସୌତନ କେ ଘର ଯାଏ, ହେ ମେ କ୍ୟା କରୁଁ’ ଗୀତ ପାଇଁ ସେ ଚର୍ଚ୍ଚିତ ଥିଲେ। ସେତେବେଳକୁ ସେ ଗାଇଥିବା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ତାଙ୍କ ଗୀତଗୁଡ଼ିକ ମଧ୍ୟ ଯଥେଷ୍ଟ ଚହଳ ପକାଇ ସାରିଥିଲା।

ସାଧାରଣତଃ ସେ ଶାସ୍ତ୍ରୀୟ ସଂଗୀତ ଆଧାରିତ ସଙ୍ଗୀତ ଗାଉଥିଲେ। ସେ ଯେତେବେଳେ ଓଡ଼ିଆ ଗୀତ ସହ ସଂପୃକ୍ତ ହେଲେ ସ୍ୱାଭାବିକ ଭାବେ ଶାସ୍ତ୍ରୀୟ ସଂଗୀତ ଆଧାରିତ ଗାୟନ ସହ ହିଁ ସଂପୃକ୍ତ ହୋଇଥିଲେ। କିନ୍ତୁ ତାଙ୍କ ଓଡ଼ିଆ ସୁଗମ ସଙ୍ଗୀତ ସଂଖ୍ୟା କିଛି ବି କିଛି କମ୍‌ ନୁହେଁ। ସେ ‘କୃଷ୍ଣ ସୁଦାମା’ ଚଳଚ୍ଚିତ୍ର ପାଇଁ ଭୁବନେଶ୍ୱର ମିଶ୍ରଙ୍କ ସଂଗୀତ ସଂଯୋଜନାରେ ପ୍ରଥମ ଓଡ଼ିଆ ଗୀତ ଗାଇଥିଲେ ‘ଛୋଟ ମୋର ଏ ଘର’, ଏହାପରେ ପ୍ରଫୁଲ୍ଲ କରଙ୍କ ସହ ତାଙ୍କ ଯୋଡ଼ି ବେଶ୍‌ ଲୋକପ୍ରିୟ ହୋଇଥିଲା। ପ୍ରଫୁଲ୍ଲ କରଙ୍କ ସହ ମିଶି ସେ ‘ସିନ୍ଦୂର ବିନ୍ଦୁ’, ‘ଶେଷ ଶ୍ରାବଣ’, ‘ବଳିଦାନ’, ‘ଗୌରୀ’, ‘ସତୀ ଅନୁସୟା’, ‘ପୂଜା’, ‘ଅସ୍ତରାଗ’, ‘ତପସ୍ୟା’ ଆଦି ଚଳଚ୍ଚିତ୍ର ପାଇଁ ସେ କଣ୍ଠଦାନ କରିଛନ୍ତି। ଉପେନ୍ଦ୍ର କୁମାର, ବାସୁଦେବ ରଥ ଓ ଶ୍ରୀବତ୍ସ ପଟ୍ଟନାୟକ ପ୍ରମୁଖ ସଙ୍ଗୀତଜ୍ଞଙ୍କ ନିର୍ଦେଶନାରେ‌ ସେ ଅନେକ ଗୀତ ଗାଇଛନ୍ତି। ୧୯୮୧ରେ ନିର୍ମିତ ‘ଦେବଜାନୀ’ ଚଳଚ୍ଚିତ୍ରରେ କଣ୍ଠଦାନ ପାଇଁ ସେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।
ଓଡ଼ିଆ ଉଚ୍ଚାରଣ ସହ ଓଡ଼ିଆ ଭାବକୁ ଗୀତରେ ଯୋଡ଼ିବାରେ ସେ ଥିଲେ ଅନନ୍ୟା। ଏହାର ପ୍ରମାଣ ଭାବେ କେଉଁ ନାମ ଧରି ଡାକିବୁ ତୁମକୁ..., ଢାଳି ଦିଅ ସାରା ଧରଣୀରେ ଆଜି... ଓ ବିଶ୍ୱ ଜୀବନ ହେ... ଆଦି ସଙ୍ଗୀତକୁ ନିଆଯାଇପାରେ।

ଉଲ୍ଲେଖଯୋଗ୍ୟ, ଏହି ତିନିଟି ଗୀତ ଶାସ୍ତ୍ରୀୟ ରାଗ ଆଧାରିତ ଥିଲା। ଓଡ଼ିଆ ସୁଗମ ଗାୟନରେ ମଧ୍ୟ ବାଣୀ ଜୟରାମ ଅତୁଳନୀୟା। ଏହାର ସାକ୍ଷୀ ବି ହେଉଛି ‘ଟିକ୍‌ ଟିକ୍‌ ହୁଏ ମୋ ଛାତି..., ‘ଏଇ ଗାଁର ମଉଡ଼ମଣୀ ଲୋ ଆମ ଗୌରୀ ନାନୀ... ଓ ‘ଓ ଭାଇନା ଭାଇନା... ସଙ୍ଗୀତ। ବାଣୀ ଜୟରାମ ଥିଲେ ବୋଲି ଆମ ଓଡ଼ିଆ ଚଳଚ୍ଚିତ୍ର ପ୍ରଚ୍ଛଦ ଗାୟନ ଧାରାରେ ନୂଆ ଶିହରଣ, ନୂଆ ଉଲ୍ଲାସ ଆଣିଥିଲା। ଆଜି ତାଙ୍କୁ ହରାଇ ଓଡ଼ିଆ ସଙ୍ଗୀତ ଜଗତ ପୁଣି ଏକ ବିରାଟ ଶୂନ୍ୟତାକୁ ଠେଲି ହୋଇଯାଇଛି।