ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କରଲାପାଟ ଅଭୟାରଣ୍ୟର ରାବଣ ଡଙ୍ଗରରୁ ନିଶ୍ଚିହ୍ନ ହେବାରେ ଲାଗିଛି ଶାଗୁଣା ବଂଶ। ଜୁନାଗଡ଼ ବ୍ଲକ୍ର କଟିଂପଦର, ଦେଦର ଓ ଭବାନୀପାଟଣା ବ୍ଲକ୍ର ଓଲବାହାଲିକୁ ଲାଗିଥିବା ରାବଣ ଡଙ୍ଗରରେ ଥିବା ଛୋଟ ଛୋଟ ଗାତ ଓ ପାହାଡ଼ ଶୀର୍ଷରେ ଥିବା ଗୁମ୍ଫାରେ ହଜାର ହଜାର ସଂଖ୍ୟାରେ ଶାଗୁଣା ରହୁଥିଲେ। ପ୍ରାୟତଃ କଳା ଓ ଧଳା ମିଶ୍ରିତ ରଙ୍ଗ, କଳା ରଙ୍ଗର ଶାଗୁଣା ଦେଖିବାକୁ ମିଳୁଥିଲା। ୧୦୦ ବର୍ଗ କିମି ଅଞ୍ଚଳରେ ଏମାନଙ୍କ ଗତିବିଧି ଲକ୍ଷ୍ୟ କରାଯାଉଥିଲା। ଏ ଅଞ୍ଚଳରେ ଥିବା ମଣିଷ, ପ୍ରାଣୀଙ୍କ ମଢ଼ଖାଇ ଅଞ୍ଚଳକୁ ସଫା କରୁଥିଲେ।
ତେଣୁ ସେମାନଙ୍କୁ ଜଙ୍ଗଲ ସୁଇପର ବୋଲି କୁହାଯାଏ। ଅଭୟାରଣ୍ୟ ବ୍ୟତୀତ ଥୁଆମୂଳ ରାମପୁର, ଭବାନୀପାଟଣା, ଜୁନାଗଡ଼, ନାନ୍ଦୋଳ, କେଗାଁ, ଚୁରାଡଙ୍ଗର ଅଞ୍ଚଳ ଦେଇ ବିଭିନ୍ନ ସ୍ଥାନକୁ ଯାଉଥିଲେ। ଚାଷଜମିରେ ଅତ୍ୟଧିକ ରାସାୟନିକ ସାର, କୀଟନାଶକ ଔଷଧ ବ୍ୟବହାର ଏହି ଶାଗୁଣାଙ୍କ ଉପରେ ପ୍ରଭାବ ପଡ଼ିଥିବା କୁହାଯାଉଛି। ଏମାନେ ରାବଣ ଡଙ୍ଗର ଛାଡ଼ି ଅନ୍ୟତ୍ର ଯିବା ଆରମ୍ଭ କଲେ। ୧୯୮୭ ମସିହା ପର୍ଯ୍ୟନ୍ତ ରାବଣ ଡଙ୍ଗରରେ ସେମାନଙ୍କ ଆଡ଼ା ଥିଲା। ୧୯୯୦ ମସିହାରେ ରାୟଗଡ଼ା ଜିଲ୍ଲାର ଲେଲିଗୁମା, ମାଣ୍ଡିବିଶି, ରାଉଳି ନିକଟସ୍ଥ ପାହାଡ଼ ଅଞ୍ଚଳକୁ ଯିବା ଆରମ୍ଭ କରିଥିଲେ। ବର୍ତ୍ତମାନ ରାବଣ ଡଙ୍ଗର ଅଞ୍ଚଳରେ କାଁ ଭାଁ ଦେଖିବାକୁ ମିଳୁଛି। ପରିବର୍ତ୍ତିତ ପରିବେଶରେ ନିଜକୁ ଖାପ ଖୁଆଇ ନପାରି ରାବଣ ଡଙ୍ଗରରୁ ଶାଗୁଣା (ସ୍ଥାନୀୟ ଭାଷାରେ ଗିଦନ) ଲୋପ ପାଇଗଲେଣି।