ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ: ମା’, ଶିଶୁକନ୍ୟା ମୃତ, ବାପ-ପୁଅ ଗୁରୁତର

ଫୁଲବାଣୀ: ଲଗାଣ ବର୍ଷାରେ ଫୁଲବାଣୀ ସହରର ଏକ ଘର କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ମା’ ଓ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ବାପା ଓ ପୁଅ ଗୁରୁତର ହୋଇଛନ୍ତି। ମୃତ ମହିଳା ଜଣକ ବ୍ରଜବନ୍ଧୁ ମାଝିଙ୍କ ପତ୍ନୀ ସୁରତି ମାଝି (୪୨) ଓ ଝିଅ ସ୍ମୃତି ମାଝି (୫) ବୋଲି ଜଣାପଡ଼ିଛି। ବାପା ବ୍ରଜବନ୍ଧୁ ମାଝି ଓ ପୁଅ ରୋହନ ମାଝି (୩) ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଫୁଲବାଣୀ ସହରର କାର୍ମେଲ ସ୍କୁଲ ପଛପାଖ ତ୍ରିଦେବନଗରରେ ଆଜି ଅପରାହ୍ନ ୩ଟା ବେଳେ ଏଭଳି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ , ତ୍ରିଦେବନଗରର ବ୍ରଜବନ୍ଧୁ ମାଝି (୪୫)ଙ୍କ ପରିବାର ଲୋକେ ଘରେ ଖାଇ ବସିଥିବା ବେଳେ ହଠାତ୍‌ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ତଳେ ବାପା, ମା’, ପୁଅ ଓ ଝିଅ ସମସ୍ତେ ଚାପି ହୋଇ ରହି ଯାଇଥିଲେ। ଦୀର୍ଘସମୟ ଧରି ଚାପି ହୋଇ ରହିଯାଇଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ସ‌ଙ୍ଗେସଙ୍ଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ, ଡାକ୍ତର ମା’ ସମେତ ୫ ବର୍ଷର ଝିଅକୁ ମୃତ ଘୋଷଣା କରିଥିଲେ। ଆଜିର ଏହି ଘଟଣା ଫୁଲବାଣୀ ସହରରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ଧରି ଫୁଲବାଣୀରେ ଲଗାଣ ବର୍ଷା ଜାରି ରହିଛି। ଏହି କାରଣରୁ ବ୍ରଜବନ୍ଧୁଙ୍କ ମାଟି କାନ୍ଥର ଘରଟି ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର