ଭୁବନେଶ୍ବର: ନୂଆଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜାରି ରହିଛି। ସରକାର-ଚାଷୀ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ନିକଟରେ ସଂସଦରେ ସ୍ବାମୀନାଥନ୍ କମିଟି ସୁପାରିସ ପ୍ରସଙ୍ଗରେ ବିଜେଡି କେନ୍ଦ୍ର ବିରୋଧରେ ତୀବ୍ର ପ୍ରତିକ୍ରିୟା ରଖିଥିଲା। ସେହିଭଳି ପୂର୍ବରୁ ସ୍ବାମୀନାଥନ୍ କମିଟି ସୁପାରିସ କାର୍ଯ୍ୟାନ୍ବୟନ ଲାଗି ସଂକଳ୍ପ ପାରିତ କରିଥିଲେ ରାଜ୍ୟ କ୍ୟାବିନେଟ୍। ଏହାସତ୍ତ୍ବେ ଚାଷୀଙ୍କ ସହିତ ସରକାର ଅଛନ୍ତି, ଏଭଳି ଧାରଣାକୁ ଅଧିକ ଦୃଢ଼ କରିବା ଲାଗି ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ପୁଣି ଏକ ସଂକଳ୍ପ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି ଯେ ପୂର୍ବରୁ ଏମ୍ ଏସ୍ ସ୍ବାମୀନାଥନ୍ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା ତଥା ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ସେ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ଏଥିସହିତ ମୋଟ ୨୭ଟି ପ୍ରସ୍ତାବରେ ଆଜି କ୍ୟାବିନେଟ୍ ମୋହର ଲଗାଇଛନ୍ତି। ଯେଉଁଥିରେ ଅତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସରକାର ଅପପୁଷ୍ଟି ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ରାଜ୍ୟର ୨୨ଟି ଜିଲ୍ଲାର ୧୨୫ଟି ଦୁର୍ଗମ ବା ଅପହଞ୍ଚ ବ୍ଲକର ପୁଷ୍ଟିଗତ ସ୍ଥିତିର ଉନ୍ନତି ପାଇଁ ଏକ ରୂପାନ୍ତରିତ ରଣନୀତି ଗ୍ରହଣ କରାଯିବ ବୋଲି ସ୍ଥିର କରିଛନ୍ତି। ଏହାବ୍ୟତୀତ ହସ୍ତତନ୍ତ ଓ ବୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ଜଳସଂପଦ, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି, ଅର୍ଥ, କୃଷି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ,ଜଙ୍ଗଲ ଓପରିବେଶ ପାନୀୟ ଜଳ, ଉଚ୍ଚଶିକ୍ଷା, ସଂସଦୀୟ ବ୍ୟାପାର ଏବଂ ସାଧାରଣ ପ୍ରଶାସନ ବିଭାଗର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲଗାଇଛନ୍ତି।
ପୁଣି ଚାଷୀ କାର୍ଡ ଖେଳିଲେ, ସଂକଳ୍ପ ପାରିତ
ଏମ୍ଏସ୍ପି ଦୁଇଗୁଣା ପାଇଁ ପୁଣି କେନ୍ଦ୍ରକୁ ଜଣାଇବେ
ମୋଟ ୨୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଲା
ଆଜିର ନିଷ୍ପତ୍ତି ସଂପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସେମାନେ କହିଥିଲେଳ ଯେ କୃଷକଙ୍କ ଆୟକୁ ଦ୍ବିଗୁଣିତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ୨୦୨୦ କୃଷି ନୀତି କରାଯାଇଛି। ଏ କ୍ଷେତ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟ ସବୁବେଳେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କୃଷିଜାତ ଦ୍ରବ୍ୟଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ କୃଷିକାର୍ଯ୍ୟକୁ ଲାଭଦାୟକ କରିବା ତଥା କୃଷକମାନଙ୍କୁ ସବୁ ପ୍ରକାର ବିପଦରୁ ସୁରକ୍ଷା ଦେବା ନିମନ୍ତେ ସାମଗ୍ରିକ ଭାବେ ନିର୍ଧାରଣ ହେବା ଆବଶ୍ୟକ। ଏହି ମର୍ମରେ ୨୦୧୭ ଓ ୨୦୧୮ରେ ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ପାରିତ ହୋଇଛି। ଏମ୍ ଏସ୍ ସ୍ବାମୀନାଥନ୍ଙ୍କ ଅଧ୍ୟକ୍ଷତାରେ ଗଠିତ ଜାତୀୟ କୃଷକ କମିସନଙ୍କ ସୁପାରିସ ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ଫସଲର ହାରାହାରି ଉତ୍ପାଦନ ଖର୍ଚ୍ଚ ଠାରୁ ଅତିକମରେ ଶତକଡ଼ା ୫୦ ଭାଗ ହେବା ଉଚିତ୍ । ଏହି ପରିପ୍ରେକ୍ଷୀରେ ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ପୁଣି ଥରେ ଦାବି ଜଣାଇବେ।
‘୫ଟି’ କାର୍ଯ୍ୟକ୍ରମରେ ପୁଷ୍ଟିହୀନତା ଦୂର ପାଇଁ ଏକ ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ପୁଷ୍ଟିଗତ ସ୍ଥିତିର ଉନ୍ନତି ଅଣାଯିବ। ସଙ୍କଟାପନ୍ନ ବା ଦୁୁର୍ବଳ ଶ୍ରେଣୀର ପିଲାଙ୍କ ପୁଷ୍ଟିଗତ ସ୍ଥିତିର ଉନ୍ନତି ଆଣିବା ପାଇଁ ଏହା ଏକ ରଣନୀତି ବୋଲି ସରକାର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପୁଷ୍ଟିଗତ ସ୍ଥିତିରେ ଅତ୍ୟନ୍ତ ନିମ୍ନସ୍ତରରେ ଥିବା ୨୨ଟି ଜିଲ୍ଲାର ୧୨୫ଟି ଆଇସିଡିଏସ୍ ପ୍ରକଳ୍ପକୁ ପ୍ରାଥମିକତା ଦିଆଯିବ। ରାଜ୍ୟର କିଶୋରୀ ବାଳିକା, ଗର୍ଭବତୀ ମହିଳା ଓ ୬ବର୍ଷରୁ କମ୍ ବର୍ଷର ଶିଶୁମାନଙ୍କର ପୁଷ୍ଟିହୀନତା, ରକ୍ତହୀନତା ଦୂର କରିବା ଦିଗରେ ସରକାର ପଦକ୍ଷେପ ନେବେ। ୧୪ରୁ ୧୯ ବର୍ଷର ବାଳିକାମାନେ ଯେଉଁମାନେ କି କିଶୋରୀ ବାଳିକାଙ୍କ ନିମନ୍ତେ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ଏବଂ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଜନା ଓ ରକ୍ତହୀନତା ନିମନ୍ତେ ପରୀକ୍ଷା ଓ ଚିକିତ୍ସା ପାଇନାହାନ୍ତି ସେମାନଙ୍କୁ ପାଇଁ ସ୍ବତନ୍ତ୍ର ସାହାଯ୍ୟ ଦିଆଯିବ। ଏହି ଅଞ୍ଚଳରେ ଗର୍ଭବତୀ ମହିଳାଙ୍କୁ ବର୍ତ୍ତମାନ ମିଳୁଥିବା ସମସ୍ତ ସୁବିଧା ବ୍ୟତୀତ ଅଙ୍ଗନବାଡି କେନ୍ଦ୍ରରେ ଆଉଥରେ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ। ୩ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ କେତେକ ମନୋନୀତ ଅଞ୍ଚଳରେ ଗୋଷ୍ଠୀ ଦ୍ବାରା ପରିଚାଳିତ କ୍ରେଚ୍ ଆରମ୍ଭ ହେବ। ଯେଉଁଠାରେ ଖାଦ୍ୟ ବ୍ୟତୀତ ସ୍ବାସ୍ଥ୍ୟ ପରୀକ୍ଷା, ଯତ୍ନ ସଂକ୍ରାନ୍ତ କାର୍ଯ୍ୟକ୍ରମ କରାଯିବ। ସରକାର ଆହୁରି ନିଷ୍ପତ୍ତି ନେଇଛନ୍ତି ଯେ ବର୍ଷକୁ ୨ଥର ୬ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଓଜନ ଯାଞ୍ଚ କରାଯିବ। ଯାହାଦ୍ବାରା ସ୍ବଳ୍ପ ପୁଷ୍ଟିହୀନ ଶିଶୁଙ୍କ ସ୍ବାସ୍ଥ୍ୟ ଅବଗତିକୁ ସଠିକ୍ ସମୟରେ ରୋକାଯାଇପାରିବ। ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ପାଇଁ ଶୁଖିଲା ପଡ଼ିଖାଦ୍ୟ ଦିଆଯିବ ଓ ୩ରୁ ୬ବର୍ଷ ପର୍ଯ୍ୟନ୍ତ ଯେଉଁ ଶିଶୁ ସବୁ ଚେଷ୍ଟା ସତ୍ତ୍ବେ ଅଙ୍ଗନବାଡି କେନ୍ଦ୍ରକୁ ଆସିପାରୁନାହାନ୍ତି ସେମାନଙ୍କର ମା’ କିମ୍ବା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପଡ଼ାପୁଷ୍ଟି କାର୍ଯ୍ୟକ୍ରମ କରାଯିବ। ୬ମାସ ପରେ ସ୍ତନ୍ୟପାନ ସହିତ ଅନୁରୂପକ ଖାଦ୍ୟକୁ ବୃଦ୍ଧି କରାଯିବ ଓ ଅଧିକ ଗୁରୁତ୍ବର ସହିତ ଅନ୍ନପ୍ରାସନ୍ନ ଦିବସ ପାଳନ ହେବ। ସେସବୁ ଅଞ୍ଚଳରେ ମଧ୍ୟାହ୍ନ ଭୋଜନରେ ରନ୍ଧା ଗରମ ଖାଦ୍ୟରେ ପୋଷକ ତତ୍ତ୍ବ ମିଶାଯିବ। ବିଶେଷକରି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ଛତୁଆରେ ୧୧ଟି ସୂକ୍ଷ୍ମ ପୋଷକ ତତ୍ତ୍ବ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଥାଉକି, କଳାହାଣ୍ଡିକୁ ଅନାହାର ଅପବାଦକୁ ଦୂର କରିବା ପରେ ଅପପୁଷ୍ଟି ଏକ ବଡ଼ ଚାଲେଞ୍ଜ ଭାବେ ଉଭା ହୋଇଛି। ନିକଟରେ ‘ସମ୍ବାଦ’ର ବ୍ରାଣ୍ଡ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ।