ଯାଜପୁର : ୧୯୯୨ମସିହା ପଞ୍ଚାୟତ ନିର୍ବାଚନ ହିଂସା ଘଟଣାରେ ଶ୍ରମିକନେତା ମାୟାଧର ନାୟକଙ୍କ ନାମରେ ଏବେ ୱାରେଣ୍ଟ ଜାରି ହୋଇଥିଲା। ଶ୍ରୀ ନାୟକ ଓ ତାଙ୍କ ସହଯୋଗୀମାନେ ସୁକିନ୍ଦା କୋର୍ଟରେ ଗତ ୯ ତାରିଖରେ ଆତ୍ମସମର୍ପଣ କରି ୩ଘଣ୍ଟା ହାଜତରେ ରହିବାପରେ ନାମିନରେ ଖଲାସ ହୋଇଛନ୍ତି। ୩୧ବର୍ଷ ପରେ ଶ୍ରମିକନେତା ଶ୍ରୀ ନାୟକଙ୍କ ନାମରେ ୱାରଣ୍ଟ ଜାରିହେବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୨ରେ ବିଭିନ୍ନ ପଞ୍ଚାୟତରେ ଏସ୍ୟୁସିଆଇ ପକ୍ଷରୁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ପ୍ରାର୍ଥୀ ଦିଆଯାଇଥିଲା । ସେତେବେଳେ ଜନତା ଦଳ, କଂଗ୍ରେସ, ଏସ୍ୟୁସିଆଇ ସହ ତୀବ୍ର ପ୍ରତିଦ୍ୱନ୍ଦ୍ବିତା ହେଉଥିଲା। କୁହିକା ପଞ୍ଚାୟତରେ ସଶସ୍ତ୍ର ପୋଲିସ୍ ବାହିନୀଙ୍କ ଉପସ୍ଥିତିରେ ଜନତା ଦଳ କର୍ମୀ ବୁଥ୍ ଦଖଲ କରିଥିଲେ। ଏସୟୁସିଆଇ ପକ୍ଷରୁ ବାଧା ଦିଆଯିବାରୁ ଗଣ୍ଡଗୋଳ ସୃଷ୍ଟି ହେଲା ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ସମୟରେ ପୁଲିସ୍ ଫାଙ୍କା ଗୁଳି ଚାଳନା କଲେ। ଏସ୍ୟୁସିଆଇ ନେତା ବିଳାସ କୁମାର ବେହୁରାଙ୍କୁ ପୁଲିସ ପ୍ରବଳ ମାଡ଼ ମାରିଥିଲା। ଏହି ଖବର ପାଇ ଶ୍ରୀ ନାୟକ ଆହତ ଶ୍ରୀ ବେହୁରାଙ୍କୁ ସୁକିନ୍ଦାଗଡ଼କୁ ଆଣି ଚିକିତ୍ସା କରାଇଲେ। ସେତେବେଳେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାର୍ ଏହି ହିଂସାକାଣ୍ଡ ଘଟଣାରେରେ ଶ୍ରୀ ନାୟକଙ୍କ ସମେତ ୧୬ ଜଣଙ୍କ ନାଁରେ ସୁକିନ୍ଦା ଥାନାରେ ଏତଲା ଦେଲେ। ଇତିମଧ୍ୟରେ ୩୧ ବର୍ଷ ବିତିଗଲାଣି । ଜଣେ ଅଭିଯୁକ୍ତ ପିମ୍ପୁଡିଆ ଗ୍ରାମର ଉପେନ୍ଦ୍ର ମହାନ୍ତଙ୍କର ମୃତ୍ୟୁ ହୋଇଗଲାଣି । ସୁକିନ୍ଦା କୋର୍ଟରୁ ଫାଇଲ୍ ଖୋଳତାଡ଼ କରି ୧୬ ଜଣଙ୍କ ମଧ୍ୟରୁ ପ୍ରାଣକୃଷ୍ଣ ମହନ୍ତଙ୍କୁ ଗିରଫ କରି ୫ ଦିନ ତଳେ ରଗଡି ଜେଲ୍କୁ ପଠାଯାଇଛି । ଅନ୍ୟମାନଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିଲା।
ଗତ ୯ ତାରିଖରେ ଶ୍ରୀ ନାୟକଙ୍କ ସମେତ ବିଳାସ ବେହୁରା, ରାଜକିଶୋର ବାରିକ୍, ପରେଶ ମହନ୍ତ, ଶ୍ରୀକାନ୍ତ ନାୟକ ପ୍ରମୁଖଙ୍କ ସମେତ ୧୫ ଜଣ ସୁକିନ୍ଦା କୋର୍ଟରେ ଆତ୍ମସମର୍ପଣ କରିଥିଲେ। ବିଚାରପତି ସୁଶ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ଅଭିଯୁକ୍ତମାନଙ୍କୁ ଜେରା କରି କୋର୍ଟ ହାଜତକୁ ପଠାଇଲେ। ପ୍ରାୟ ଅପରାହ୍ନ ୫ଟା ବେଳେ ସମସ୍ତ ଅଭିଯୁକ୍ତମାନଙ୍କୁ ଜାମିନରେ ଖଲାସ୍ କରିଥିଲେ। ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ସୁଧାଂଶୁ ଦାସ ଓ ଗୌରାଙ୍ଗ ଚରଣ ନାୟକ ପରିଚାଳନା କରୁଥିଲେ।
କଲରଙ୍ଗୀ ଖଣି ଶ୍ରମିକଙ୍କ ବକେୟା ପାଉଣା ୫୦ କୋଟି ଟଙ୍କା ଦାବିକରି ବ୍ରହ୍ମାସ୍ତ୍ର ଛାଡ଼ିବାର ଘୋଷଣା ପରେ ୩୧ବର୍ଷ ତଳର ମାମଲାରେ ତାଙ୍କୁ ହାଜତ ଯିବାକୁ ପଡ଼ିଲା ବୋଲି ଶ୍ରମିକନେତା ଶ୍ରୀ ନାୟକ କହିଛନ୍ତି।