ଜଳଛତ୍ର ପାଲଟିଛି ଅଟୋଷ୍ଟାଣ୍ଡ, ତାତୁଛି ରାସ୍ତାଘାଟ

ସହରରେ ଅଂଶୁଘାତ ମୁକାବିଲା ଏମିତି...

ବାଲେଶ୍ବର: ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତର ଆଶଙ୍କା ରହିଥିବାରୁ ଏହାର ସଫଳ ମୁକାବିଲା ନିମନ୍ତେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ହୋଇଥିବା ଜଣାଯାଇଛି। ମାତ୍ର ତାହା କେତେଦୂର କାର୍ଯ୍ୟକାରୀ ହେଉଛି ବାଲେଶ୍ବର ସହରରୁ ସହଜରେ ଅନୁମାନ କରିହେବ। ଅଂଶୁଘାତ ମୁକାବିଲା ଆଳରେ ସବୁଠି କେବଳ ପ୍ରହସନ ଚାଲିଥିବା ସହରବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।

ସହରରେ ପିଇବା ପାଣିର ଯଦିଓ ଅଭାବ ନାହିଁ କିନ୍ତୁ ପୌରପାଳିକା ଏବଂ ବିଭିନ୍ନ ସଂସ୍ଥା ପକ୍ଷରୁ ଛକ ଛକରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି। ତେବେ ଓଟିରୋଡ୍‌ର ସତ୍‌ସଙ୍ଗ ମନ୍ଦିର ନିକଟ, ଷ୍ଟେସନ୍‌ ନିକଟ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ଠାରେ ଖୋଲାଯାଇଥିବା ଜଳଛତ୍ର ଠିକ୍‌ ଭାବେ ଚାଲୁ ନଥିବା ଦେଖାଯାଇଛି। ସତ୍‌ସଙ୍ଗ ମନ୍ଦିର ନିକଟରେ ଜଳଛତ୍ର ଖୋଲାଯିବାର ଦିନେ ଦୁଇଦିନ ପରେ ବନ୍ଦ ହୋଇଥିବା ବେଳେ ଷ୍ଟେସନ୍‌ ଛକରେ ମଧ୍ୟ ସମାନ ଦୃଶ୍ୟ। ଏହି ଜଳଛତ୍ର ଯେଉଁ ସଂଗଠନ ତରଫରୁ କରାଯାଇଥିଲା ସେମାନଙ୍କର ଦେଖାଦର୍ଶନ ମିଳୁ ନଥିବା ବେଳେ ସେଠାରେ ଅଟୋରିକ୍ସା ଛିଡ଼ା କରାଯାଇଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ନିକଟରେ ଏକ ଜଳଛତ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ସମ୍ପୃକ୍ତ ସଂଗଠନ କେବଳ ସକାଳେ କିଛି ସମୟ ଜଳଦାନ କରି ଖରାବେଳେ ଆଉ ବସୁନାହାନ୍ତି।

ଫଳରେ ଜଳଛତ୍ରରେ ପାଣି ମୁନ୍ଦାଏ ମିଳିବା ଆଶାରେ ଯେଉଁମାନେ ଯାଉଛନ୍ତି ସେଠା‌ରୁ ନିରାଶ ହୋଇ ଫେରିବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି। ସେହିପରି ରାସ୍ତା ପ୍ରଶସ୍ତୀକରଣ ପାଇଁ ଓଟିରୋଡ଼୍‌ରୁ ୯୦ ଭାଗ ଗଛ ପ୍ରଶାସନ ତରଫରୁ କାଟି ଦିଆଯାଇଥିବା ବେଳେ ସେହି ଅନୁସାରେ ଛାଇର ବ୍ୟବସ୍ଥା କରାଯାଇନାହିଁ। ‌ଫଳରେ ଦୂରସ୍ଥାନକୁ ଯିବା ପାଇଁ ବସ୍‌ଷ୍ଟପ୍‌ରେ ଛିଡ଼ା ହେଉଥିବା ଲୋକଙ୍କୁ ଟାଣ ଖରାରେ କଷ୍ଟ ସହି ଛିଡ଼ାହେବାକୁ  ପଡ଼ୁଥିବା ଅଭିଯୋଗ ହୋଇଛି। ତେଣୁ ଅଂଶୁଘାତ ମୁକାବିଲା ପାଇଁ ପ୍ରଶାସନର ଏ ପ୍ରକାର ନୀତିକୁ ସହରବାସୀ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର